ବଡ଼ଦାଣ୍ଡରେ ଚାଲିଲେ, ଶ୍ରୀମନ୍ଦିର ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କଲେ ରାଷ୍ଟ୍ରପତି

ପୁରୀ (ଓଡ଼ିଶା ରିପୋର୍ଟର): ରାଇରଙ୍ଗପୁରରୁ ରାଇସିନା ହିଲ୍‌ରେ ପହଞ୍ଚିବା ପରେ ଆଜି ପ୍ରଥମ ଥର ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାଉନସିଲର, ବିଧାୟକ, ମନ୍ତ୍ରୀ ତଥା ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଅଭିସିକ୍ତ ହେବା ପରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସେ ଧାଇଁ ଆସଥିଲେ। ଆଉ ଏଥର ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ କଳା ଠାକୁରଙ୍କ ଦର୍ଶନ କରିବାକୁ ଆସିଛନ୍ତି । ଏପରିକି ସୁରକ୍ଷା ପ୍ରୋଟୋକଲ […]

pic

  • Published: Thursday, 10 November 2022
  • , Updated: 10 November 2022, 01:49 PM IST

ପୁରୀ (ଓଡ଼ିଶା ରିପୋର୍ଟର): ରାଇରଙ୍ଗପୁରରୁ ରାଇସିନା ହିଲ୍‌ରେ ପହଞ୍ଚିବା ପରେ ଆଜି ପ୍ରଥମ ଥର ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାଉନସିଲର, ବିଧାୟକ, ମନ୍ତ୍ରୀ ତଥା ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଅଭିସିକ୍ତ ହେବା ପରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସେ ଧାଇଁ ଆସଥିଲେ। ଆଉ ଏଥର ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ କଳା ଠାକୁରଙ୍କ ଦର୍ଶନ କରିବାକୁ ଆସିଛନ୍ତି । ଏପରିକି ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ବଳଗଣ୍ଡି ଛକରୁ କାର୍‌ରୁ ଓହ୍ଲାଇ ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି।

୨ ଦିନିଆ ଓଡ଼ିଆ ଗସ୍ତରେ ଆସି ଆଜି ପୂର୍ବାହ୍ନ ୧୦ଟା୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେଠାରୁ ସିଧାସଳଖ ହେଲିକପ୍ଟରରେ ପୁରୀ ଯାଇ ତାଳବଣିଆସ୍ଥିତ ହେଲିପ୍ୟାଡରେ ପୂର୍ବାହ୍ନ ୧୧ଟା୪୦ରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ଗାର୍ଡ ଅପ୍ ଅନର ପ୍ରଦାନ କରାଯାଇଥିଲା। ଏହାପରେ ସେଠାରୁ କଡ଼ା ସୁରକ୍ଷା ବଳୟରେ ସେ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ।

ରାଷ୍ଟ୍ରପତିଙ୍କ ସ୍ୱାଗତ ନିମନ୍ତେ ସିଂହଦ୍ୱାର ନିକଟରେ ଗଜପତି ମହାରାଜ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, କୌଳିକ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବହୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ଗଜପତି ମହାରାଜା ପୁଷ୍ପଗୁଚ୍ଛ ଦେଇ ରାଷ୍ଟ୍ରପତି ମୁର୍ମୁଙ୍କ ସ୍ୱାଗତ ଜଣାଇଥିଲେ।

ରାଷ୍ଟ୍ରପତିଙ୍କ ସୁରକ୍ଷା ନିମନ୍ତେ ମେଟାଲ ଡିଟେକ୍ଟର ଟିମ୍‌, ବମ୍‌ ଡିସପୋଜାଲ ଟିମ୍‌, ଡଗ୍‌ ସ୍କାର୍ଡ ଟିମ୍‌ ମୁତୟନ ହୋଇଥିଲେ।  ଏହାବାଦ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ।

ବଡ଼ଦାଣ୍ଡରେ ରାଷ୍ଟ୍ରପତି ଚାଲି ଚାଲି ଯିବା ସମୟରେ ତାଙ୍କ ଚାରିପଟେ ସୁରକ୍ଷା ଅଧିକାରୀ ତଥା ଆଗ ଧାଡ଼ିର ନେତା ଓ ଅଧିକାରୀ ବି ଚାଲି ଚାଲି ଯାଇଥିଲେ। ବଡ଼ଦାଣ୍ଡରେ ପହଞ୍ଚିବା ପରେ ଆତ୍ମ ବିଭୋର ହୋଇ ପଡ଼ିଥିଲେ ଦେଶର ପ୍ରଥମ ନାଗରିକ । ବଡ଼ଦାଣ୍ଡରେ ସାଷ୍ଟାଙ୍ଗ ପ୍ରଣିପାତ କରିବା ସହ ଅରୁଣ ସ୍ତମ୍ଭଙ୍କୁ ସ୍ପର୍ଶ କରି ନମସ୍କାର ହୋଇଥିଲେ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ସହ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଆସିଥିବା ତାଙ୍କ କୌଳିକ ବ୍ରାହ୍ମଣ ବି ଶ୍ରୀମନ୍ଦିରକୁ ଯାଇଥିଲେ।  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରାୟ ୩୦ ମିନିଟ କାଳ ପୂଜାର୍ଚ୍ଚନା କରିବା ପରେ ଶ୍ରୀମନ୍ଦିର ଭିତରୁ ଫେରିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ତୁଳସୀ ମାଳ ଦେଇଥିଲେ ଓ ଦୀପ ଜଳାଇ ଥିଲେ । ସେ ବିମଳା ମନ୍ଦିରରେ ମଧ୍ୟ ମା’ଙ୍କ ଦର୍ଶନ କରିଥିଲେ।

[caption id="attachment_780391" align="aligncenter" width="650"] ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।[/caption]

ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ରାଜଭବନକୁ ଯାଇ ମହାପ୍ରସାଦ ସେବନ କରିବେ। ପୁରୀରୁ ଅପରାହ୍ନରେ ଭୁବନେଶ୍ୱର ଫେରି  ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଦିଲ୍ଲୀ ବାହୁଡ଼ିଯିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱର ଓ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

https://youtu.be/u_oIjB7zA48

 

Related story