ଆସୁଛି ଆଉ ଏକ ଲଘୁଚାପ: ୧୦ରୁ ୧୪ ବର୍ଷିବ, ଜିଲ୍ଲାପାଳଙ୍କୁ ଆଲର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ୟାସ’ କ୍ଷୟକ୍ଷତିକୁ ୧୫ଦିନ ନପୁରୁଣୁ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟ ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ସମସ୍ତ ଜିଲ୍ଲାପାଳ, ବିଭିନ୍ନ ବିଭାଗର […]

rain

Ordigital Desk
  • Published: Monday, 07 June 2021
  • , Updated: 07 June 2021, 10:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ୟାସ’ କ୍ଷୟକ୍ଷତିକୁ ୧୫ଦିନ ନପୁରୁଣୁ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟ ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ସମସ୍ତ ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ, ଅଗ୍ନିଶମ, ଏନଡିଆରଏଫ ଓ ଓସଡମାକୁ ଏହି ସମ୍ଭାବ୍ୟ ଲଘୁଚାପ ସମ୍ପର୍କରେ ଅବଗତ କରାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ରିଲିଫ କମିଶନରଙ୍କ କାର୍ଯ୍ୟାଳୟ କହିଛି ଯେ ଆସନ୍ତା ଜୁନ୍ ୧୧ତାରିଖ ପାଖାପାଖି ଉତ୍ତର ବଙ୍ଗୋପସାଗରରେ ଏକ ଘଲୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ହେବ।

ଜୁନ୍ ୧୦ରୁ ୧୪ତାରିଖ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୦ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ପାଇଁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ଏହି ବର୍ଷା ଅନୁଭୂତ ହେବ। ୧୦ ଓ ୧୧ତାରିଖରେ ସମୁଦ୍ର ଅଶାନ୍ତ ରହିବା ସହ ୪୦-୫୦କିମି ବେଗରେ ପବନ ବୋହିବାର ଆଶଙ୍କା ରହିଛି। ମତ୍ସ୍ୟଜୀବୀମାନଙ୍କୁ ୧୧ତାରିଖରୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ୧୦ତାରିଖ ସନ୍ଧ୍ୟା ସୁଦ୍ଧା ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି।

ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ରହିଥିବା ଜିଲ୍ଲାଗୁଡ଼ିକ ତଳିଆ ଅଂଚଳ ଓ ସହରାଂଚଳରେ ପାଣି ଜମିବା ନେଇ ଯେକୌଣସି ପରିସ୍ଥିତି ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜିଲ୍ଲାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା, କେତେ ବର୍ଷା ରେକର୍ଡ କରାଯାଉଛି ତାହା ତୁରନ୍ତ ଜଣାଇବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related story