ହାଇସ୍କୁଲରେ ପାଠ ପଢ଼ାଉଛନ୍ତି ପ୍ରାଇମେରୀ ଟିଚର

ବାଲିଗୁଡ଼ା (ଅଜିତ ନାୟକ): ହାଇସ୍କୁଲରେ ପାଠ ପଢ଼ାଉଛି ପ୍ରାଥମିକ ଶିକ୍ଷକ! ଏପରି ଅଭିଯୋଗ କନ୍ଧମାଳ ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଆସିଛି। ଶିକ୍ଷକ, ଆବଶ୍ୟକ ଶ୍ରେଣୀ ଗୃହ ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଆଜି ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ମାତ୍ର ସେମାନଙ୍କ ସହିତ କୌଣସି ପ୍ରଶାସନିକ ଅଧିକାରୀ ଆଲୋଚନା କରିନାହାନ୍ତି। ଯାହାଫଳରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷାର ଦୀପ ଜାଳିବା ପାଇଁ ଦାରିଙ୍ଗବାଡ଼ି ବ୍ଲକ […]

primary-teacher-are-teaches-high-school-students

Manoranjan Sial
  • Published: Wednesday, 05 February 2020
  • , Updated: 05 February 2020, 10:02 PM IST

ବାଲିଗୁଡ଼ା (ଅଜିତ ନାୟକ): ହାଇସ୍କୁଲରେ ପାଠ ପଢ଼ାଉଛି ପ୍ରାଥମିକ ଶିକ୍ଷକ! ଏପରି ଅଭିଯୋଗ କନ୍ଧମାଳ ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଆସିଛି। ଶିକ୍ଷକ, ଆବଶ୍ୟକ ଶ୍ରେଣୀ ଗୃହ ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଆଜି ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ମାତ୍ର ସେମାନଙ୍କ ସହିତ କୌଣସି ପ୍ରଶାସନିକ ଅଧିକାରୀ ଆଲୋଚନା କରିନାହାନ୍ତି। ଯାହାଫଳରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଶିକ୍ଷାର ଦୀପ ଜାଳିବା ପାଇଁ ଦାରିଙ୍ଗବାଡ଼ି ବ୍ଲକ ତାମାଙ୍ଗିରେ ସରକାରୀ ହାଇସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଅଧ୍ୟୟନ କରୁଛନ୍ତି ୧୫୭ ଛାତ୍ରଛାତ୍ର। ୧୦ଟା ଶ୍ରେଣୀ ପାଇଁ ରହିଛି ମାତ୍ର ୪ଟି ଶ୍ରେଣୀଗୃହ। ଗୋଟିଏ ଗୃହରେ ଦୁଇଟି ଲେଖାଏଁ ଶ୍ରେଣୀର ପିଲା ବସି ପାଠ ପଢ଼ୁଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ବହୁ ଅସୁବିଧା ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉକ୍ତ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ୧୦ଟି ଶ୍ରେଣୀ ପାଇଁ ଅଛନ୍ତି ୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ। ଏମାନେ ସମସ୍ତେ ପ୍ରାଥମିକ ଶିକ୍ଷକ।

ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବା ପାଇଁ କୌଣସି ଶିକ୍ଷକ ନାହାନ୍ତି। ସେଥିପାଇଁ ପ୍ରାଥମିକ ଶିକ୍ଷକମାନେ ପାଳିକରି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ବିଜ୍ଞାନ, ସଂସ୍କୃତ, ହିନ୍ଦୀ ଓ ଇଂରାଜୀ ଶିକ୍ଷକ କଥା ନକହିବା ଭଲ। ଏନେଇ ଅଭିଭାବକମାନେ ବାରମ୍ୱାର ଜିଲ୍ଲାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଗୁହାରି କରିଛନ୍ତି। ମାତ୍ର ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତି। ଶିକ୍ଷକମାନେ ସ୍କୁଲ ଭିତରେ ପ୍ରବେଶ କରିନପାରି ବାହାରେ ବସିଛନ୍ତି। ସକାଳୁ ସଞ୍ଜ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣାରେ ବସିଥିଲେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ସ୍କୁଲରେ ପହଞ୍ଚି ନାହାନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ।

Related story