ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଏଦୀ ହେଲେ ଆରଜେ(ରେଡିଓ ଜକି)। ‘ଆଜାଦ୍ ବାଣୀ’ କାର୍ଯ୍ୟକ୍ରମ ପ୍ରସାରଣ କରିଲେ। ଏହି କାର୍ଯ୍ୟକ୍ରମକୁ ନିଜେ ପରିଚାଳନା ମଧ୍ୟ କରିଲେ। ଗୀତ ହେଉକି ନାଟକ କିମ୍ବା ଖବର ପ୍ରକାଶନ; ସବୁକିଛି କଏଦି ହିଁ କରୁଛନ୍ତି ଏଠାରେ। ଭୁବନେଶ୍ୱର ଝାରପଡା ଜେଲରେ ଖୋଲିଲା ଖୋଲିଛି ଏହି କମ୍ୟୁନିଟି ରେଡିଓ ଏଫ୍ଏମ୍। ଏହା ଜରିଆରେ ସେମାନେ ଅନ୍ୟମାନଙ୍କ ମନୋରଞ୍ଜନ କରିପାରିବା ସହ ସୂଚନା, ଜ୍ଞାନ, ବିଜ୍ଞାନ ଆହରଣ କରିପାରିବେ। ଭୁବନେଶ୍ଵର ଝାରପଡ଼ା ଜେଲ୍ ପରିସରରେ ଏହି କମ୍ୟୁନିଟି ରେଡିଓ ଏଫ୍ଏମ୍ ଚ୍ୟାନେଲ୍କୁ ଜେଲ୍ ବିଭାଗ ଡିଜି ମନୋଜ ଛାବ୍ରା ଲୋକାର୍ପଣ କରିଛନ୍ତି। ଗତକାଲି ଜେଲ୍ ପ୍ରତିଷ୍ଠା ଦିବସ ଅବସରରେ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି।
ଶ୍ରୀ ଛାବ୍ରା କହିଛନ୍ତି, ଏଭଳି ବ୍ୟବସ୍ଥା କରାଯାଇ କଏଦୀମାନଙ୍କ ବ୍ୟକ୍ତିତ୍ୱ ବିକାଶର ସୁଯୋଗ ପ୍ରଦାନ କରାଯାଉଛି। ଏଠାକୁ କଏଦୀମାନେ ଯେଉଁ ଦୋଷରେ ଦଣ୍ଡ ଭୋଗୀବାକୁ ଆସୁଛନ୍ତି, ଏଠାରେ ତାଙ୍କୁ ଦଣ୍ଡ ନୁହେଁ ବରଂ ସୁଧୁରିବାର ସୁଯୋଗ ଦିଆଯାଉଛି। ଏହା ସୁଧାର ଗୃହ ବା ଆଶ୍ରମ ଭଳି କାର୍ଯ୍ୟ କରୁଛି। ଏଠାରେ କଏଦୀମାନଙ୍କୁ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ, କୃଷି, ମେଡିକାଲ ଆଟେଣ୍ଡାଣ୍ଟ, କାଠକାମ, ବ୍ୟୁଟିପାରଲର ଓ ସେଲୁନ୍, ଇଲେକ୍ଟ୍ରିସିଆନ୍ ଟ୍ରେନିଂ ଦିଆଯାଉଛି। ଏହାଛଡ଼ା ତାଙ୍କର ବ୍ୟକ୍ତିର ବିକାଶ ନିମନ୍ତେ ତଥା ସର୍ବଦା ଭଲ କାମରେ ବ୍ୟସ୍ତ ରଖିବା ପାଇଁ ଓ ସେମାନଙ୍କ ଆତ୍ମବିଶ୍ୱାସ ଫେରାଇ ଆଣିବା ନିମନ୍ତେ ମୁକ୍ତ ବିହଙ୍ଗମ କ୍ରିଏଟିଭିଟି ସେଣ୍ଟର କରାଯାଇଛି। ଏହି କେନ୍ଦ୍ରରେ ସେମାନେ ପେଣ୍ଟିଂ, ସଙ୍ଗୀତ ଶିକ୍ଷା କରୁଛନ୍ତି। ଏହା ଭିତରେ ଏକ ସୁନ୍ଦର ଲାଇବ୍ରେରୀ କରାଯାଇଛି। ସେମାନେ ଏଠାରେ ପାଠପଢ଼ିପାରୁଛନ୍ତି। କିଛି ଭୁଲ କରି ଏଠାକୁ ଆସିଥିବା ବ୍ୟକ୍ତିମାନଙ୍କୁ ଭଲ ମଣିଷ କରି ଏଠାରୁ ବାହାର କରିବା ଏହାର ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି।
ଏହି ଅବସରରେ ଜେଲ୍ କଏଦୀମାନେ ନିଜସ୍ୱ ରଚନା ଓ ପରିଚାଳନାରେ ନାଟକ ସହିତ ସଂଗୀତ ପରିବେଷଣ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ୍ ହୃଦୟସ୍ପଶୀ ହୋଇଥିଲା। ଏଥିନିମନ୍ତେ ସେମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।