ପ୍ରକଳ୍ପ ଆଖି ବୁଜିବା ଆଗରୁ ଦେଖିଗଲେ ପିଡି

ପିପିଲି(ଦ୍ଵିତୀକୃଷ୍ଣ ପଟ୍ଟନାୟକ): ୫କୋଟି ଖର୍ଚ୍ଚରେ ୧୫ ବର୍ଷ ତଳେ ନିର୍ମାଣ ହୋଇଥିଲା ସୁଦୃଶ୍ୟ ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମ। ଉଦ୍ଦେଶ୍ୟ ଥିଲା ପିପିଲି ଚାନ୍ଦୁଆର ସର୍ବାଙ୍ଗିନ ବିକାଶ ଏହିଠାରେ ହେବ। ହେଲେ ଦିନଟିଏ ବି ଏହା ନା ଲୋକଙ୍କ କାମରେ ଲାଗିଛି ନା ଉଦ୍ଦେଶ୍ୟ ସାଧନ ନିମନ୍ତେ ବ୍ୟବହାର ହୋଇଛି। ନିର୍ମାଣ କାମ ସରିବା ପରେ ସମ୍ପୂର୍ଣ୍ଣ ଭୂତ କୋଠିରେ ପରିଣତ ହୋଇଛି ଏହି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମ। ପୁରୀ ଜିଲ୍ଲା ପିପିଲି ଟୋଲ ପ୍ଲାଜା ନିକଟରେ ରହିଛି […]

chanduaa

  • Published: Saturday, 10 December 2022
  • , Updated: 10 December 2022, 07:08 PM IST

ପିପିଲି(ଦ୍ଵିତୀକୃଷ୍ଣ ପଟ୍ଟନାୟକ): ୫କୋଟି ଖର୍ଚ୍ଚରେ ୧୫ ବର୍ଷ ତଳେ ନିର୍ମାଣ ହୋଇଥିଲା ସୁଦୃଶ୍ୟ ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମ। ଉଦ୍ଦେଶ୍ୟ ଥିଲା ପିପିଲି ଚାନ୍ଦୁଆର ସର୍ବାଙ୍ଗିନ ବିକାଶ ଏହିଠାରେ ହେବ। ହେଲେ ଦିନଟିଏ ବି ଏହା ନା ଲୋକଙ୍କ କାମରେ ଲାଗିଛି ନା ଉଦ୍ଦେଶ୍ୟ ସାଧନ ନିମନ୍ତେ ବ୍ୟବହାର ହୋଇଛି। ନିର୍ମାଣ କାମ ସରିବା ପରେ ସମ୍ପୂର୍ଣ୍ଣ ଭୂତ କୋଠିରେ ପରିଣତ ହୋଇଛି ଏହି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମ। ପୁରୀ ଜିଲ୍ଲା ପିପିଲି ଟୋଲ ପ୍ଲାଜା ନିକଟରେ ରହିଛି ଏହି ବିରାଟ ପ୍ରକଳ୍ପ। କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ଏହି କୋଠା ଓ ଏଠାରେ ବ୍ୟବହୃତ ସାମଗ୍ରୀ ଖତ ଖାଇଗଲାଣି। ତେଣେ ହଠାତ୍ ଆଜି ପ୍ରଶାସନର ନଜର ଏହି ପ୍ଲାଜା ଉପରେ ପଡ଼ିଛି। ପ୍ରକଳ୍ପ ଆଖି ବୁଜିବା ଆଗରୁ ସ୍ଥିତି ଦେଖିଛନ୍ତି ପିଡି। ଯାହା ଚାନ୍ଦୁଆ କାରିଗର ଓ ବ୍ୟବସାୟୀଙ୍କ ଭିତରେ ଆଲୋଚନାର ବିଷୟ ହୋଇଛି।

ଆଜି ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଜ୍ୟୋତିଶଙ୍କର ମହାପାତ୍ର ଏହି ସ୍ଥାନର ସ୍ଥିତି ଦେଖିବା ସହ ଏହାକୁ କିପରି ଆଗକୁ ଲୋକଙ୍କ କାମରେ ବ୍ୟବହାର କରିହେବ ପରିଦର୍ଶନ କରିଛନ୍ତି। ପର୍ଯ୍ୟଟନ ପ୍ରକଳ୍ପ ମୁଖ୍ୟ ଏମ ନହୁରଙ୍କ ଠାରୁ ଏହାର ଭିତ୍ତିଭୂମି ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ପିପିଲି ବିଡିଓ ଓ ତହସିଲଦାର। ଚାନ୍ଦୁଆ ବ୍ୟବସାୟୀମାନେ ପ୍ରକଳ୍ପର ବିକାଶ ନିମନ୍ତେ ଏହି ସମୟରେ ବିଭିନ୍ନ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ଏହି ପ୍ରକଳ୍ପ ପର୍ଯ୍ୟଟନ ଓ କାରିଗରଙ୍କ ବିକାଶକୁ ଦୃଷ୍ଟି ରଖି କରାଯାଇଥିଲା। ବିଶେଷ ଭାବେ ସ୍ଥାନୀୟ ହାତ ତିଆରି ଜିନିଷର ଚାହିଦା ବୃଦ୍ଧି ଏବଂ ସ୍ଥାନୀୟ ଚାନ୍ଦୁଆ କାରିଗର ଓ ଚାଦୁଆ ବ୍ୟବସାୟୀ ବିକାଶ ଏହା ଜରିଆରେ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏପରି ପରିକଳ୍ପନା ନେଇ ୨୦୦୭ ମସିହାରେ ନିର୍ମାଣ କରାଯାଇଥିଲା ଚାନ୍ଦୁଆ ନଗର। ତେବେ ପ୍ରକଳ୍ପ ନିର୍ମାଣ ସରିବାକୁ ୧୫ ବର୍ଷ ବିତି ଯାଇଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ନିର୍ମାଣ କରାଯାଇଥିବା ଘରର କବାଟ ଝରକା ନଷ୍ଟ ହେବାକୁ ବିସିଲାଣି। ଘରର ପ୍ଲାଷ୍ଟର ଖସିବାରେ ଲାଗିଛି। ନିମ୍ନମାନର ବିଦ୍ୟୁତ ୱାରିଙ୍ଗ ଯୋଗୁଁ ଏହା ଭାଙ୍ଗିରୁଜି ଗଲାଣି। ସିଡ଼ି ଗୁଡ଼ିକ ମଧ୍ୟ ଭାଙ୍ଗିରୁଜି ଗଲାଣି। ଦୀର୍ଘ ଦିନ ହେବ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ପ୍ରଶାସନ କି ପର୍ଯ୍ୟଟନ ବିଭାଗ କେହି ବି ଏହାକୁ ଚାଲୁ ରଖିବା ପାଇଁ ଟିକିଏ ବି ପ୍ରୟାସ କରୁନାହାନ୍ତି।

ଏହି ପ୍ରକଳ୍ପର ବିକାଶ ପାଇଁ ଏହାର ଚତୁଃପାର୍ଶ୍ୱରେ ଜବରଦଖଲ କରି ରହିଥିବା ଭୂମିହୀନ ଲୋକମାନଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ଦୁଇ ଡ଼ିସିମିଲ ଲେଖାଏଁ ଜମି ଦିଆଯିବା, ଏହି ସ୍ଥାନକୁ ଆସିବା ପାଇଁ ଜାତୀୟ ରାଜପଥରୁ ଏ ସିଧା ରାସ୍ତା ନିର୍ମାଣ କରିବା, ପ୍ରବେଶ ପଥରେ ଏକ ସୁନ୍ଦର ତୋରଣ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।

ଏହା ଭିତରେ କନଫରେନ୍ସି ହଲ, ରେଷ୍ଟୁରାଂଟ, ବିଶ୍ରାମ ଘର, ସୁଇମିଙ୍ଗପୁଲ, ପାର୍କିଂ ବ୍ୟବସ୍ଥା ରହିଛି। ଚାନ୍ଦୁଆର ପ୍ରସ୍ତୁତି ଓ ବିକ୍ରି ନିମନ୍ତେ ୨୧ଟି ଗୃହ ରହିଛି। ଏହାର ମରାମତି ଓ ବିକାଶ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ଚାନ୍ଦୁଆ ବ୍ୟବସାୟୀମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ପ୍ରସ୍ତାବ ଦିଆଯାଇଛି।

ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ କହିଛନ୍ତି, ପ୍ରକଳ୍ପ କାମରେ ନ ଆସିବା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଏହାର ପୁନରୁଦ୍ଧାର ନିମନ୍ତେ ପ୍ରଶାସନ ପଦକ୍ଷେପ ନେଉ।

ଚାନ୍ଦୁଆ ବ୍ୟବସାୟୀ ରାମେଶ  ମହାପାତ୍ର କହିଛନ୍ତି, ଏହି ସ୍ଥାନକୁ ଯେପରି ପର୍ଯ୍ୟଟକମାନେ ବୁଲିବାକୁ ଆସି ଅତି କମ୍‌ରେ ଦୁଇଘଣ୍ଟା ବିତାଇ ପାରିବେ ଓ ଚାନ୍ଦୁଆ ତିଆରି ଜିନିଷ କିଣିପାରିବେ ସେ ନେଇ ପିଡିଙ୍କୁ ପ୍ରସ୍ତାବ ଦିଆଯାଇଛି।

ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର କହିଛନ୍ତି, ଏହି ପ୍ରକଳ୍ପର କିପରି ବିକାଶ ହୋଇପାରିବ ତାହାର ସ୍ଥିତି ପରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ସେ ଏଠାକୁ ପରିଦର୍ଶନରେ ଆସିଥିଲେ। ପ୍ରକଳ୍ପ ସ୍ଥିତି ନେଇ ସେ ଜିଲ୍ଲାପାଳଙ୍କୁ ଜଣାଇବେ। ପ୍ରକଳ୍ପ ବିକାଶ ନେଇ ଯୋଜନା ପ୍ରସ୍ତୁତ ହେବା ପରେ କୁହାଯିବ।

ତେବେ ଦେଖିବାର କଥା ଆଗକୁ ଏହି ପ୍ରକଳ୍ପ ଜୀବନ୍ୟାସ ପାଉଛି ନା ନାହିଁ ଓ ଚାନ୍ଦୁଆ କାରିଗରି ତଥା ଚାନ୍ଦୁଆ ବ୍ୟବସାୟରେ ଏହାର ବ୍ୟବହାର ହୋଇପାରୁଛି କି ନାହିଁ।

Related story