ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): “ଏହା ଜନାଦେଶ ନୁହେଁ। ଏହା ଯନ୍ତ୍ରାଦେଶ। ଇଭିଏମ୍ ଟାମ୍ପରିଂ କରାଯାଇଛି। ମୁଁ ଏହି ଜନାଦେଶକୁ ଗ୍ରହଣ କରୁ ନାହିଁ।” ବ୍ରଜରାଜନଗର ଉପ-ନିର୍ବାଚନରେ ପରାସ୍ତ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା।
ଏହି ଉପ-ନିର୍ବାଚନରେ ୨୨,୬୩୦ ଖଣ୍ଡ ଭୋଟ୍ ପାଇ ଅମାନତ ହରାଇଥିବା ଶ୍ରୀମତୀ ପଣ୍ଡା କହିଛନ୍ତି, ଏହା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଜନାଦେଶ ନୁହେଁ। କେହି ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ଲୋକେ ଭାରତୀୟ ଜନତା ପାର୍ଟି ସପକ୍ଷରେ ଭୋଟ୍ ଦେଇଛନ୍ତି। ବିଜୁ ଜନତା ଦଳ ଶାସନରେ ଥିବାରୁ ଏ ନିର୍ବାଚନ ଜିତିବାକୁ ନିଜର ଅର୍ଥ ବଳ, ବାହୁ ବଳ ଓ ପ୍ରଶାସନିକ କଳକୁ ଲଗାଇ ଦେଇଥିଲା। କିନ୍ତୁ ଦୁଇ ଦିନ ତଳେ ସେମାନେ ପରାସ୍ତ ହେବେ ବୋଲି ଜାଣିବାକୁ ପାଇ ବିଚଳିତ ହୋଇଯାଇଥିଲେ। ଏଣୁ ସେମାନେ ଇଭିଏମ୍ ଟାମ୍ପରିଂ କରିବାକୁ ଯୋଜନା କରୁଥିବା ଆମେ ଶୁଣି ଥିଲୁ। କିନ୍ତୁ ଆଜି ତାହା ପ୍ରମାଣିତ ହୋଇଗଲା।
ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ବ୍ରଜରାଜନଗରରେ କେବେ ବି ମାତ୍ର ୨୨ ହଜାର ଭୋଟ୍ ପାଇବ ନାହିଁ। ସ୍ୱାଧୀନ ପ୍ରାର୍ଥୀ ହିସାବରେ ମୁଁ ନିଜେ ୨୦-୨୨ ହଜାର ଭୋଟ୍ ଆଣୁଥିଲି। ଦଳକୁ ୫୦-୬୦ ହଜାର ଭୋଟ୍ ନିଶ୍ଚିତ ଆସିବା କଥା। ପୂର୍ବରୁ ପ୍ରଭାବଶାଳୀ ନେତା ଦିବଙ୍ଗତ ପ୍ରସନ୍ନ ପଣ୍ଡା ହୁଅନ୍ତୁ ବା କେଶବ ସାହୁ ହୁଅନ୍ତୁ, ଅଳକା ମହାନ୍ତି ତ ସେମାନଙ୍କଠାରୁ ବହୁତ ଭୋଟ୍ ପାଇଛନ୍ତି। ତାଙ୍କ ସ୍ୱାମୀ କିଶୋର ମହାନ୍ତିଙ୍କ ଠାରୁ ବି ସେ ଟପିଗଲେ। ଏସବୁର ମାନେ କ’ଣ? ଏହା ପ୍ରମାଣିତ କରୁଛି ଭୋଟ୍ ଟାମ୍ପରିଂ ନିଶ୍ଚିତ ଭାବରେ ହୋଇଛି।
ଶ୍ରୀମତୀ ପଣ୍ଡା ଆହୁରି କହିଛନ୍ତି, ଭଅଁରାଚକା ଗାଁରେ ୧୮୦ ଖଣ୍ଡ ଭୋଟ୍ ଅଛି। ସେଠାରୁ ବିଜେପି ୧୭୦ ଭୋଟ୍ ପାଏ। ଏଥର ୪୪ ଖଣ୍ଡ ଭୋଟ୍ ପାଇଛି। ବିଜେଡି ସେଠାରେ ଏଜେଣ୍ଟ ବି ଦେଇ ନଥିଲା। କିନ୍ତୁ ଦଳ ସେଠାରେ ଅଧିକ ଭୋଟ୍ କେମିତି ପାଇଲା? କିରାରମା ଗାଁରେ ବିଜେପି କାର୍ଯ୍ୟକର୍ତ୍ତା ଅଛନ୍ତି। କିନ୍ତୁ ସେଠାରୁ ଆମେ ୧୮ ଖଣ୍ଡ ପାଇଛୁ। ଏହା ଅସମ୍ଭବ। ଏହାକୁ ମୁଁ ଗ୍ରହଣ କରୁ ନାହିଁ। ଏହା ଜନାଦେଶ ନୁହେଁ, ଯନ୍ତ୍ରାଦେଶ। ଗାଁ ଗାଁରେ ଲୋକେ ଫଳାଫଳ ଶୁଣି ଅଶାନ୍ତିରେ ଅଛନ୍ତି। ସେମାନେ ବିଶ୍ୱାସ କରିପାରୁ ନାହାନ୍ତି ଯେ ବିଜୁ ଜନତା ଦଳ ଜଣଙ୍କୁ ଜିତାଇବା ପାଇଁ ଏତେ ତଳସ୍ତରକୁ ଖସିଯାଇପାରେ।
ସୂଚନାଯୋଗ୍ୟ, ବିଜେଡିର ଅଳକା ମହାନ୍ତି ୯୩,୯୫୩ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୭,୮୩୧ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
https://youtu.be/YQtPMOBwOAU