ରାଗିଂ: ଜୁନିଅର କଲେଜ ଛାତ୍ରଙ୍କ ମୁଣ୍ଡ ଫାଟିଲା, ସ୍କୁଲ ଛାତ୍ରୀଙ୍କୁ ଲୁହାରଡରେ ମାଡ଼

ବ୍ରହ୍ମପୁର/କୋଇଡ଼ା(ଓଡ଼ିଶା ରିପୋର୍ଟର): ବଢ଼ିବାରେ ଲାଗିଛି ରାଗିଂ ଅଭିଯୋଗ। କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଡେଉଁ ଏହା ସ୍କୁଲରେ ମଧ୍ୟ ଧସେଇ ପଶିଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପାରଳା ଯାନ୍ତ୍ରିକ ମହାବିଦ୍ୟାଳୟ କଲେଜ ଓ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା କସ୍ତୁରବା ଗାନ୍ଧୀ ଛାତ୍ରୀ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ରାଗିଂ ସହ ମାଡ଼ ମରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଉଭୟ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଭାବକମାନେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ରହ୍ମପୁର ପାରଳା […]

Parala

  • Published: Tuesday, 02 August 2022
  • , Updated: 02 August 2022, 10:15 PM IST

ବ୍ରହ୍ମପୁର/କୋଇଡ଼ା(ଓଡ଼ିଶା ରିପୋର୍ଟର): ବଢ଼ିବାରେ ଲାଗିଛି ରାଗିଂ ଅଭିଯୋଗ। କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଡେଉଁ ଏହା ସ୍କୁଲରେ ମଧ୍ୟ ଧସେଇ ପଶିଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପାରଳା ଯାନ୍ତ୍ରିକ ମହାବିଦ୍ୟାଳୟ କଲେଜ ଓ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା କସ୍ତୁରବା ଗାନ୍ଧୀ ଛାତ୍ରୀ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ରାଗିଂ ସହ ମାଡ଼ ମରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଉଭୟ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଭାବକମାନେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବ୍ରହ୍ମପୁର ପାରଳା ଯାନ୍ତ୍ରିକ ମହାବିଦ୍ୟାଳୟ କଲେଜରେ ରାଗିଂ ଯୋଗୁ ହାତାହାତି ହୋଇଛନ୍ତି ଜୁନିଅର-ସିନିୟର ଛାତ୍ର। ଆକ୍ରମଣରେ ଜୁନିଅର ଛାତ୍ରଙ୍କ ମୁଣ୍ଡ ଫାଟିଛି। ଅଭିଯୋଗ ମୁତାବକ ବିବାଦ ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କୁ ତୃତୀୟ ବର୍ଷର ଛାତ୍ରମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ତୃତୀୟ ବର୍ଷର ଛାତ୍ରମାନଙ୍କ କହିବା କଥା ଦ୍ୱିତୀୟ ବର୍ଷର ଛାତ୍ରମାନେ ନିଶା ଖାଇ କଲେଜ କ୍ୟାମ୍ପସରଆ ଉତ୍ପାତ କରୁଥିଲେ। ବାରଣ କରିଥିଲେ ହେଁ ମାନି ନ ଥିଲେ। ଓଲଟା ସିନିୟର ଛାତ୍ରମାନଙ୍କୁ ଅସମ୍ମାନ କରିଥିଲେ। ଯାହାକୁ ନେଇ ଏହି ଉତ୍ତେଜନା ପ୍ରକାଶ ପାଇଛି।

ସେପଟେ ରାଗିଂ ନେଇ ପୁଲିସ ଓ ଅଭିଭାବକଙ୍କୁ ଜଣାଇବା ସହ ତଦନ୍ତ ଚାଲିଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ପ୍ର. ରଞ୍ଜନ କୁମାର ସ୍ୱାଇଁ। ସେ କହିଛନ୍ତି, ଗତକାଲି ଅପରାହ୍ନରେ କଲେଜ ଭିତରେ ରହିଥିବା ଜଳଖିଆ ଦୋକାନରେ ଏହି ଘଟଣା ଘଟିଥିଲା। ପରେ ଏହାର ତଦନ୍ତ ହୋଇଥିଲା। ସିସିଟିଭି ଫୁଟେଜ ମଧ୍ୟ ହସ୍ତଗତ ହୋଇଛି। ଜଣେ ଛାତ୍ର ଆହତ ହୋଇଛନ୍ତି। ହଷ୍ଟେଲ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝାଯାଇଛି। କଲେଜରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବିଶୃଙ୍ଖଳା ନ କରିବାକୁ ସମସ୍ତଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ଏହା ଏକ ରାଗିଂ ନୁହେଁ। ବଚସା ପରେ ଦୁଇ ଗୋଷ୍ଠୀ ଭିତରେ ହିଁ ହାତାହାତି ହୋଇଛି। ଶୃଙ୍ଖଳା କମିଟି ଓ ଆଣ୍ଟିଂ ରାଗିଂ କମିଟି ଯାହାକୁ ଦୋଷୀ ପାଇବ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ କହିଛନ୍ତି।

ଆହତ ଛାତ୍ର ସନ୍ଦିପ କୁମାର ବେଜ୍ କହିଛନ୍ତି, ସିନିୟର ଛାତ୍ରମାନେ ୟୁଟିଲିଟି ବ୍ଲକକୁ ଆସିବା ସହ ଜୁନିଅର ଛାତ୍ରମାନଙ୍କୁ ତୁରନ୍ତ ଖାଦ୍ୟ ଖାଇ ସ୍ଥାନ ଛାଡ଼ିବାକୁ କହିଥିଲେ। ସେମାନେ କାହିଁକି ପଚାରିବାରୁ ସିନିୟରଙ୍କୁ ରେସ୍‌ପେକ୍ଟ ଦେବାକୁ ପଡ଼ିବ ବୋଲି କହିଥିଲେ। ହେଲେ ସେମାନେ ସ୍ଥାନ ନ ଛାଡ଼ିବାରୁ ସିନୟର ଛାତ୍ରମାନେ ବଳପୂର୍ବକ ଜୁନିଅର ଛାତ୍ରମାନଙ୍କ ହାତ ଟାଣି ବାହାର କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା ବୋଲି ସେ କହିଛନ୍ତି।

ସେହିପରି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା କସ୍ତୁରବା ଗାନ୍ଧୀ ଛାତ୍ରୀ ହଷ୍ଟେଲରେ ମଧ୍ୟ ରାଗିଂ ଅଭିଯୋଗ ଆସିଛି। ଦଶମ ଶ୍ରେଣୀ ଛାତ୍ରୀମାନେ ଷଷ୍ଠ ଓ ଅଷ୍ଟମ ଶ୍ରେଣୀର ତିନି ଜଣ ଛାତ୍ରୀଙ୍କୁ ଲୁହାରଡରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ୩ ଦିନ ବିତିଛି। ହେଲେ ଗତକାଲି ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଧରି ଡାକ୍ତରଖାନା ଚିକିତ୍ସା ନିମନ୍ତେ ଆସିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା।

ଏନେଇ କୋଇଡ଼ା ବିଇଓ ମହମ୍ମଦ ସାକିବଲ ରେହମାନ୍ କହିଛନ୍ତି, ଏଠାର ପିଲାମାନେ ଶୃଙ୍ଖଳିତ। ହଷ୍ଟେଲ ଓ ହଷ୍ଟେଲ କର୍ତ୍ତୃପକ୍ଷ ମଧ୍ୟ ଭଲ। ତଥାପି ଏଭଳି ଘଟଣା ସମ୍ପର୍କରେ ତଦନ୍ତ କରିବେ। ହଷ୍ଟେଲ ୱାଡେନ୍ ସୁପ୍ରଭା ମହାନ୍ତି କହିଛନ୍ତି, ଏଭଳି ଘଟଣା ହଷ୍ଟେଲରେ ଘଟିନି। ସେମାନେ ଘରକୁ ଲୁଚି ପଳାଇଛନ୍ତି।

[caption id="attachment_754265" align="aligncenter" width="650"] ସ୍କୁଲ ଛାତ୍ରୀଙ୍କୁ ମାଡ଼ ମରାଯିବା ନେଇ ଅଭିଯୋଗ କରିବାକୁ ହଷ୍ଟେଲ ଆସିଥିବା ଅଭିଭାବକ।[/caption]

ତେବେ ଅଭିଭାବକମାନେ କହିଛନ୍ତି, ଘଟଣାର ସମାଧାନ ନ କରି ଆକ୍ରମଣର ଶିକାର ଛାତ୍ରୀଙ୍କୁ ହଷ୍ଟେଲରୁ ତଡ଼ିଦେବାକୁ ସେମାନଙ୍କୁ ଧମକ ଦିଆଯାଉଛି। ଗତମାସ ରଥଯାତ୍ରା ବେଳେ ମଧ୍ୟ ଏଭଳି ଭାବେ ସେମାନଙ୍କ ପିଲାମାନଙ୍କୁ ହଷ୍ଟେଲରେ ମାଡ଼ ମରାଯାଇଥିଲା। ମାଡ଼ ମାରିଥିବା ଛାତ୍ରୀ, ତାଙ୍କ ଅଭିଭାବକ ଓ ହଷ୍ଟେଲ ଅଧିକାରୀ ପ୍ରମୁଖଙ୍କୁ ବସାଇ ସମାଧାନ କରିବାକୁ କହିଲେ ହେଁ କେହି ଶୁଣୁନାହାନ୍ତି। ତେଣୁ ଏଠାରେ ଆଦିବାସୀ ଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଅଭିଭାବକମାନେ କହିଛନ୍ତି।

Related story