Advertisment

ରେଲୱେ ବୋର୍ଡର ପ୍ରେସମିଟ୍‌: ବର୍ଣ୍ଣନା କଲେ କେମିତି ଘଟିଥିଲା ଦୁର୍ଘଟଣା

ଲୁହା ପଥର ବୋଝେଇ ମାଲବାହୀକୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ

Train Accident

Train Accident

Advertisment

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟାନକ ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡ ପକ୍ଷରୁ ରବିବାର ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ସେଦିନ କେମିତି ଦୁର୍ଘଟଣା ଘଟିଥିଲା, ତାହା ବର୍ଣ୍ଣନା କରିଥିଲେ ବୋର୍ଡ ସଦସ୍ୟ ଜୟା ବର୍ମା ସିହ୍ନା।

Advertisment

ବୋର୍ଡ ପକ୍ଷରୁ କୁହାଯାଇଛି ଯେ ବାହାନଗା ବଜାର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଷ୍ଟେସନ ଦେଇ ୪ଟି ଲାଇନ ଯାଇଛି। ସେଥିରୁ ଦୁଇଟି ହେଉଛି ମୁଖ୍ୟ ଲାଇନ। ଦୁଇଟି ଯାକ ମୁଖ୍ୟ ଲାଇନ ମଝିର ରହିଛି। ଦୁଇ ମୁଖ୍ୟ ଲାଇନର କଡ଼ରେ ରହିଛି ଦୁଇଟି ଲୁପ୍ ଲାଇନ। ଦୁର୍ଘଟଣା ଘଟିବା ଦିନ ଉଭୟ ଲୁପ୍ ଲାଇନରେ ଦୁଇଟି ଲୁହା ପଥର ବୋଝେଇ ମାଲଗାଡ଼ି ଛିଡ଼ା ହୋଇଥିଲେ।

ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଚେନ୍ନାଇରୁ ହାୱଡା ଅଭିମୁଖେ ଯାଉଥିବା ବେଳେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ହାୱଡା ପଟରୁ ଆସୁଥିଲା। ଏହି ଦୁଇ ଟ୍ରେନ ପାଇଁ ଦୁଇ ମୁଖ୍ୟ ଲାଇନରେ ଗ୍ରୀନ୍ ସିଗ୍‌ନାଲ ଦିଆଯାଇଥିଲା। କରମଣ୍ଡଳ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଉଥିବା ବେଳେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୬ କିଲୋମିଟର ବେଗରେ ଯାଉଥିଲା। ଉଭୟ ଟ୍ରେନ ଘଣ୍ଟା ପ୍ରତି ୧୩୦ କିମି ବେଗରେ ଯାଇପାରିବେ। ତେଣୁ କେହି ଅଧିକ ବେଗରେ ଯାଉ ନଥିଲେ ବୋଲି କହିଛନ୍ତି ବୋର୍ଡ ସଦସ୍ୟ ଜୟା ବର୍ମା ସିହ୍ନା।

Advertisment

ସେ କହିଛନ୍ତି, କୌଣସି କାରଣରୁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହା ଏକ ଲୁପ୍‌ଲାଇନରେ ଥିବା ଲୁହା ପଥର ବୋଝେଇ ଟ୍ରେନ୍‌କୁ ଧକ୍କା ଦେଇଥିଲା। କରମଣ୍ଡଳ ଧକ୍କାରେ ଲୁହା ପଥର ବୋଝେଇ ଟ୍ରେନ୍‌ଟି ହଲଚଲ ହୋଇନଥିଲା। ବୋଧହୁଏ ଲୁହା ପଥର ବୋଝେଇ ହୋଇଥିବାରୁ ଅଧିକ ଓଜନ ହେତୁ ତାହା ହଲି ନଥିଲା। କିନ୍ତୁ କରମଣ୍ଡଳର ବଗି ଗୁଡ଼ିକ ବିକ୍ଷିପ୍ତ ହୋଇ ଏଣେତେଣେ ପଡ଼ିଥିଲା। କରମଣ୍ଡଳର କିଛି ବଗି ଯାଇ ତୃତୀୟ ଲାଇନରେ ପଡ଼ିଥିଲା ଯେଉଁଥିରେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଆସୁଥିଲା। କରମଣ୍ଡଳର କିଛି ବଗି ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର କିଛି ବଗିରେ ମାଡ଼ ହୋଇଥିଲା।

ବୋର୍ଡ ସଦସ୍ୟ ଜୟା ବର୍ମା ସିହ୍ନା ପ୍ରେସମିଟରେ ବାରମ୍ବାର କହିଥିଲେ ଯେ କେବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଅନ୍ୟ ଟ୍ରେନଗୁଡ଼ିକ ଦୁର୍ଘଟଣାର ଶିକାର ହୋଇନାହାନ୍ତି।

ସେ କହିଛନ୍ତି, ସିଗ୍‌ନାଲ ସମସ୍ୟା ଥିଲା ବୋଲି ଜଣାପଡ଼ିଛି। ଏନେଇ ସବିଶେଷ ତଥ୍ୟ କେବଳ ପରବର୍ତ୍ତୀ ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ ଏହାକୁ ସିଗନାଲ ଫେଲ୍ୟୁଅର ବୋଲି କହିବା ଠିକ୍ ନୁହେଁ। ତେବେ ଏସବୁ କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୂରା ତଦନ୍ତ ରିପୋର୍ଟ ନଆସିଲା ପର୍ଯ୍ୟନ୍ତ କିଛି କୁହାଯାଇପାରିବ ନାହିଁ।

କରମଣ୍ଡଳ ଅଧିକ ବେଗରେ ଯାଉଥିବା କଥାକୁ ଅସ୍ୱୀକାର କରିଛନ୍ତି ବୋର୍ଡ ସଦସ୍ୟ ଜୟା ବର୍ମା। ଏହି ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସେ କହିଛନ୍ତି।

ରେଳୱେ ବୋର୍ଡର ପ୍ରେସମିଟ ପୂର୍ବରୁ ବାହାନଗାରେ କ୍ୟାମ୍ପ କରି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି। ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe