ନନ୍ଦନକାନନ ହାଲ୍‌ ବେହାଲା: ଶୁଭୁନି ମହାବଳର ଗର୍ଜନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ପୂରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଏଥିରୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବାଦ୍‌ ପଡ଼ିବ ବା କେମିତି? ଲଗାଣ ବର୍ଷାରେ ନନ୍ଦନକାନନରେ ନାହିଁ ନଥିବା ପରିସ୍ଥିତି। ବିଭିନ୍ନ ଏନ୍‌କ୍ଲୋଜର୍‌ରେ ପାଣି ପଶିଯାଇଛି। ଜୀବଜନ୍ତୁଙ୍କୁ ବୁଲିବାକୁ ବି ଜାଗା ଟିକେ ମିଳୁନାହିଁ। ବଟାନିକାଲ୍‌ ଗାର୍ଡେନ୍‌କୁ ଯିବା ରାସ୍ତା ବୁଡ଼ିଯାଇଛି। ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି। କାଞ୍ଜିଆ ହ୍ରଦରେ ବଢ଼ିବାରେ ଲାଗିଛି ଜଳସ୍ତର। ଏପରି ସ୍ଥିତିରେ ନନ୍ଦନକାନନ ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ […]

nandankanan

Rakesh Mallick
  • Published: Sunday, 22 July 2018
  • , Updated: 22 July 2018, 07:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ପୂରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଏଥିରୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବାଦ୍‌ ପଡ଼ିବ ବା କେମିତି? ଲଗାଣ ବର୍ଷାରେ ନନ୍ଦନକାନନରେ ନାହିଁ ନଥିବା ପରିସ୍ଥିତି। ବିଭିନ୍ନ ଏନ୍‌କ୍ଲୋଜର୍‌ରେ ପାଣି ପଶିଯାଇଛି। ଜୀବଜନ୍ତୁଙ୍କୁ ବୁଲିବାକୁ ବି ଜାଗା ଟିକେ ମିଳୁନାହିଁ। ବଟାନିକାଲ୍‌ ଗାର୍ଡେନ୍‌କୁ ଯିବା ରାସ୍ତା ବୁଡ଼ିଯାଇଛି। ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି। କାଞ୍ଜିଆ ହ୍ରଦରେ ବଢ଼ିବାରେ ଲାଗିଛି ଜଳସ୍ତର। ଏପରି ସ୍ଥିତିରେ ନନ୍ଦନକାନନ ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି।

ଲଗାଣ ବର୍ଷା କାରଣରୁ କେଉଁଠି ପାଚେରୀ ଭାଙ୍ଗି ଯାଇଛି ତ ଆଉ କେଉଁଠି ଏନ୍‌କ୍ଲୋଜର୍‌ରେ ପାଣି ପଶିଯାଇଛି। ଜଳ ନିଷ୍କାସନ ହୋଇ ନ ପାରି କାଞ୍ଜିଆ ହ୍ରଦର ଜଳସ୍ତର ବଢ଼ିବାରୁ ପ୍ରାଣୀ ଉଦ୍ୟାନ ସହ ବଟାନିକାଲ୍ ଗାର୍ଡେନ୍‌କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବୁଲାବୁଲି ପାଇଁ ଜାଗା ନପାଇ ଗୁମ୍ ହୋଇ ଶୋଇଛନ୍ତି ମହାବଳ। ଚୁପ୍‌ଚାପ ପଡ଼ି ରହିଛନ୍ତି ଏମୁ ଓ ଅନ୍ୟାନ୍ୟ ପକ୍ଷୀ।

ବାଘ ଏନ୍‌କ୍ଲୋଜର ଭିତରୁ ପମ୍ପ୍ ଲଗାଇ ଜଳ ନିଷ୍କାସନ କରାଯାଉଛି। ଏପଟେ ନନ୍ଦନକାନନରେ ଜଳସ୍ତର ବଢ଼ିବାରୁ ବିନ୍ଦାସ୍‌ ବୁଲୁଛନ୍ତି ଜଳହସ୍ତୀ। ସେମାନେ ରହୁଥିବା ଜଳାଶୟ କାଞ୍ଜିଆ ହ୍ରଦରେ ମିଶିବାକୁ ବସିଲାଣି। କାଞ୍ଜିଆକୁ ଲାଗି ବୋଟିଂ ପାଇଁ ଥିବା ଟିକେଟ୍ ଘରେ ପାଣି ପଶିଥିବାରୁ ବୋଟିଂ ବ୍ୟବସ୍ଥା ବି ବନ୍ଦ ରଖାଯାଇଛି। ସଫାରୀ ଭିତରେ କଚ୍ଚା ରାସ୍ତା ଧସିଥିବାରୁ ତାକୁ ବି ବନ୍ଦ ରଖାଯାଇଛି। ପାଣିରେ ପଶି ବଟାନିକାଲ୍ ଗାର୍ଡେନ୍‌କୁ ଯିବା ସମ୍ଭବ ହେଉନାହିଁ।

ସୂଚନାଯୋଗ୍ୟ, ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ସାଜିଥିବା କାଞ୍ଜିଆ ହ୍ରଦ, ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଦୁଃଖ ସାଜିଛି। ହ୍ରଦରୁ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ସେଥିରେ ଜଳସ୍ତର ବଢ଼ି ପ୍ରାଣୀ ଉଦ୍ୟାନର ତଳି ଅଞ୍ଚଳକୁ ବୁଡ଼ାଇ ସାରିଲାଣି।

ଅନ୍ୟପକ୍ଷରେ ଏ ବର୍ଷା ଯୋଗୁ ଜୀବଜନ୍ତୁଙ୍କ ପାଇଁ ସେଭଳି କୌଣସି ସମସ୍ୟା ନାହିଁ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ କହିଛନ୍ତି।

Related story