ନୂଆଦିଲ୍ଲୀ: ଆର୍ଯ୍ୟ ଆକ୍ରମଣରେ ଧ୍ୱଂସ ପାଇ ନଥିଲା ହରପ୍ପା ଓ ମହେଞ୍ଜାଦାରୋ ସଭ୍ୟତା। ବରଂ ସିନ୍ଧୁ ଉପତ୍ୟକାର ସଭ୍ୟତା ହେଉଛି ସଂପୂର୍ଣ୍ଣ ଦେଶୀ। ରାକ୍ଷୀଗଡ଼ି କଂକାଳର ଡିଏନଏ ବା ଗୁଣସୂତ୍ର ବିଶ୍ଳେଷଣରୁ ଏହି ପ୍ରମାଣ ମିଳିଛି।
ରାକ୍ଷୀଗଡ଼ି କଂକାଳର ପ୍ରତ୍ନତାତ୍ତ୍ୱିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ସିନ୍ଧୁ ଉପତ୍ୟକା ସଭ୍ୟତାର ଲୋକମାନେ ହେଉଛନ୍ତି ସଂପୂର୍ଣ୍ଣ ଭାବରେ ଦକ୍ଷୀଣ ଏସୀୟ ଦେଶୀ ସଂପ୍ରଦାୟ। ଏମାନେ ଖ୍ରୀଷ୍ଟପୂର୍ବ ୭୦୦୦ ବର୍ଷରୁ ରହି ଆସିଛନ୍ତି। ରାକ୍ଷିଗଡ଼ି ଅଂଚଳରୁ ମିଳିଥିବା ଏକ କଂକାଳରୁ ବାହାର କରାଯାଇଥିବା ଜେନୋମ ନମୁନାର ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ ସେମାନେ ଅନ୍ୟ କେଉଁଠାରୁ ଦେଶାନ୍ତରୀ ହୋଇ ଆସିନଥିଲେ।
ଏହି ଗବେଷଣା ନିବନ୍ଧର ଅନ୍ୟତମ ଲେଖକ ତଥା ଡେକାନ କଲେଜର ପୂର୍ବତନ କୁଳପତି ବସନ୍ତ ସିନ୍ଧେ କୁହନ୍ତି, ‘ଏହି ଅନୁଧ୍ୟାନ ଆର୍ଯ୍ୟ ଆକ୍ରମଣ ବା ଆଗମନ ତତ୍ତ୍ୱକୁ ସଂପୂର୍ଣ୍ଣ ଭାବେ ବେପ୍ରମାଣିତ କରୁଛି। ମହେଞ୍ଜୋଦାରୋର ଏକ ପ୍ରମୁଖ ସ୍ଥାନରୁ ମିଳିଥିବା କଂକାଳର ଗୁଣସୂତ୍ର ବିଶ୍ଳେଷଣରୁ ପ୍ରମାଣିତ ହୋଇଛି ଯେ ସେହି ଲୋକମାନେ ବନ୍ୟା ଯୋଗୁଁ ମୃତ୍ୟୁବରଣ କରିଥିଲେ। ସାର୍ ମର୍ଟିମୁର୍ ହୁଇଲର୍ ଯେଉଁ ଆନୁମାନିକ ସିଦ୍ଧାନ୍ତ ଦେଇଥିଲେ ଯେ ସେମାନେ ଆର୍ଯ୍ୟ ଆକ୍ରମଣ ସମୟରେ ଗଣହତ୍ୟାର ଶିକାର ହୋଇଥିଲେ ତାହା ସଂପୂର୍ଣ୍ଣ ଭୁଲ।’
ପୁନାର ଡେକାନ୍ କଲେଜର ପୂର୍ବତନ କୁଳପତି ବସନ୍ତ ସିନ୍ଧେଙ୍କ ନେତୃତ୍ୱରେ ଏକ ୨୮ ଜଣିଆ ଗବେଷକ ଦଳ ଏହି ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ଦଳରେ ହାର୍ଭାଡ଼ ମେଡିକାଲ ସ୍କୁଲର ବାଗୀଶ ନରସିଂହମ ଓ ଡେଭିଡ ରିଚ୍ ଏବଂ ବୀରବଲ ସାଇନି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପାଲିଓସାଇନ୍ସେସର ନୀରଜ ରାଇ ମଧ୍ୟ ସାମିଲ ଥିଲେ। ଏହି ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ସେହି ସମୟରେ ଭାରତୀୟ ସଂସ୍କୃତିର ପ୍ରଗତି ଉଲ୍ଲେଖନୀୟ ଥିଲା। ଏହା ଖ୍ରୀଷ୍ଟପୂର୍ବ ୨୦୦୦ ବର୍ଷର ମେସୋପଟାମିଆ ସଭ୍ୟତାର ସମକାଳୀନ ଥିଲା ବୋଲି ମଧ୍ୟ ଜଣାପଡ଼ିଛି।
ଏହି ଅନୁଧ୍ୟାନରୁ ଏହା ବି ଜଣାପଡ଼ିଛି ଯେ କୃଷି ହେଉଛି ଭାରତର ଦେଶୀୟ ଜୀବିକା। ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ କୃଷି ଏକ ଜୀବିକା ଭାବେ ଇରାନରୁ ଦେଶାନ୍ତର ଜରିଆରେ ଆମଦାନୀ ହୋଇଛି। ଅଧିକନ୍ତୁ ହରପ୍ପା ସମୟର ଜିନ୍ ସମଗ୍ର ଦକ୍ଷିଣ ଏସିଆର ବିଭିନ୍ନ ପ୍ରାନ୍ତରେ ଆଜି ବି ଉପଲବ୍ଧ ଥିବାରୁ ହରପ୍ପା ଓ ମହେଞ୍ଜୋଦାରୋ ସଭ୍ୟତା ଆର୍ଯ୍ୟ ମୂଳୋଦ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଛି।
ଏହି ଡିଏନଏ ଗବେଷଣାରୁ ସାବିତ ହୋଇଛି ଯେ ରାକ୍ଷୀଗଡ଼ି ଅଂଚଳର ବାସିନ୍ଦା ଏବଂ ଉଦ୍ଧାର ହୋଇଥିବା କଂକାଳର ବ୍ୟକ୍ତି ବିଶେଷଙ୍କ ସଂପ୍ରଦାୟର ବଂଶଧରମାନେ ହେଉଛନ୍ତି ଆଜିର ଦକ୍ଷିଣ ଏସୀୟ ଜନସମଗ୍ର। ଇରାନୀ କୃଷକ, ପଶୁପାଳକ, ଶିକାରୀ ଓ ସଂଗ୍ରାହକଙ୍କ ଦେଶାନ୍ତରୀ ହେବା କଥା ସେମାନଙ୍କ ପୂର୍ବଜମାନଙ୍କ ଅଲଗା ଅଲଗା ହେବା ବା ଅନ୍ୟତ୍ର ଗମନ କରିବା ପରେ ଉଠିଛି। ତେଣୁ ଇରାନୀମାନେ ଯେ ସିନ୍ଧୁ ଉପତ୍ୟକାର ସଭ୍ୟତାକୁ ପ୍ରଭାବିତ କରିଥିଲେ ତାହା କହିବା ଭୁଲ। ପୂର୍ବ ବିଶ୍ୱାସ ଅନୁସାରେ ପଶ୍ଚିମ ଇରାନୀ କୃଷକମାନ ପୂର୍ବକୁ ଗତି କରିଥିଲେ ଓ ସେଇମାନେ ହିଁ ସିନ୍ଧୁ ଉପତ୍ୟକା ସଭ୍ୟତା ପ୍ରତିଷ୍ଠା କରିଥିଲେ।
ଏ ସଂପର୍କରେ ନିଜର ମତ ଦେଇ ବୀରବଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପାଲିଓସାଇନ୍ସେସର ନୀରଜ ସାଇନି କୁହନ୍ତି, ‘ଗୋଟିଏ ନମୁନା ମାନେ ଶହେ କୋଟି ମଣିଷ। ଏହା ହେଉଛି ଜେନେଟିକ୍ସର ଶକ୍ତି। ଆର୍ଯ୍ୟ ଆକ୍ରମଣ ହୋଇନଥିଲା ବୋଲି ପ୍ରମାଣିତ କରିବା ପାଇଁ ଆମ ପାଖରେ ଅନେକ ସ୍ୱୟଂସଂପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ରହିଛି। ଚାଷ ହେଉଛି ଭାରତର ସଂପୂର୍ଣ୍ଣ ନିଜସ୍ୱ।’ ସେ ଆହୁରି କହିଛନ୍ତି ଯେ ଭାରତର ଏହି ଦେଶୀୟ ଲୋକମାନେ ଖ୍ରୀଷ୍ଟାବ୍ଦ ୧୮୦୦ରୁ ୧୬୦୦ ମଧ୍ୟରେ ଉତ୍ତରରୁ ଦକ୍ଷିଣକୁ ଦେଶାନ୍ତର ହୋଇଛନ୍ତି। ସରସ୍ୱତୀ ନଦୀ ଶୁଖିଯିବା ଏବଂ ଅନ୍ୟାନ୍ୟ ପାଗ ସମ୍ବନ୍ଧୀୟ କାରଣ ଯୋଗୁଁ ସିନ୍ଧୁ ଉପତ୍ୟକା ସଭ୍ୟତାର ଲୋକମାନେ ନିରାପଦ ଚାରଣଭୂମି ଓ ଜଳପ୍ଲାବିତ ଅଂଚଳ ଖୋଜି ଦକ୍ଷିଣକୁ ପଳାଇଥିଲେ।
ଏହାର ପ୍ରାୟ ୧୦୦ ବର୍ଷ ପରେ ଆରବୀୟ ଓ କେନ୍ଦ୍ର ଏସିଆର ଷ୍ଟେପ୍ ପଶୁପାଳକମାନେ ଭାରତରେ ପ୍ରବେଶ କରିଥିଲେ।