ମୋ ମଥାକୁ ଛାଇ ଦେଲୁ, ତୋ ମଥାକୁ ଟାହିଆ ନେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ହାତ ଗଣତି ଦିନ କେଇଟା ପରେ ରଥଯାତ୍ରା। ଦାଣ୍ଡ ଦୁଲୁକେଇ ବଡ଼ଦାଣ୍ଡକୁ ବିଜେ କରିବେ ବଡ଼ ଠାକୁର। ଅଣ୍ଟାରେ ପାଟଡୋର ବାନ୍ଧି ଟାହିଆ ହଲେଇ ସିଂହ ଠାଣିରେ ବିଜେ କରିବେ ଠାକୁର।  ପହଣ୍ଡି ବିଜୟର ଏ ଦୃଶ୍ୟ ଯିଏ ଦେଖିବ ସିଏ ମନ୍ତ୍ରମୁଗ୍ଧ ହୋଇଯିବ। ହେଲେ କେବେ ଭାବିଛନ୍ତି କାଳିଆ ମୁଣ୍ଡରେ ଏହି ମନଲୋଭା ଟାହିଆ ଖଣ୍ଡକ କିଏ ଯୋଡିଲା।  ତା’ହେଲେ ଆସନ୍ତୁ ଜାଣିବା କାଳିଆକୁ ଟାହିଆ ଦେଇଥିବା ସେ ଭକ୍ତ ସମ୍ପର୍କରେ।

ଆମେ ଅନେକ ଭକ୍ତ ଓ ଭଗବାନଙ୍କ କାହାଣୀ କଥା ଶୁଣିଛେ। ସାଲବେଗ ହୁଅନ୍ତୁ ଅଥବା କରମା ବାଈ ଅବା ଦାସିଆ ବାଉରୀ। ସମସ୍ତେ ଯେମିତି ଭାବ ଡୋରୀରେ ବନ୍ଧା ହୋଇ ଧାଇଁ ଆସିଥିଲେ ଶ୍ରୀକ୍ଷେତ୍ର ଆଉ ପାଲଟି ଯାଇଥିଲା କାଳିଆର ଗଳାମାଳି। ଠିକ୍‌ ସେମିତି ଭକ୍ତ ଜଣେ ଥିଲେ ରାଘବ ଦାଶ। ଆଜି ଆମେ ତାଙ୍କରି କାହାଣୀ କହିବାକୁ ଯାଉଛୁ । ଯାହାଙ୍କ ଲାଗି କାଳିଆ ମୁଣ୍ଡରେ ଝଟକୁଛି ଟାହିଆ।

ବାବାଜୀଟିଏ । ନାଁ ତାଙ୍କର ରାଘବ ଦାଶ। ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ସେ । ଦିନ ରାତି ତାଙ୍କ ନାଁ ଜପୁଥାନ୍ତି ଓ ତାଙ୍କୁ ପୂଜା କରୁଥାନ୍ତି। ଦିନ ସେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମନ ବଳାଇଳେ। ଠାକୁର ଦର୍ଶନ ଲାଗି ବାହାରିଲେ ଶ୍ରୀକ୍ଷେତ୍ର ଅଭିମୁଖେ। ଡହ ଡହ ଖରା। ତାତି ଯାଉଥାଏ ପାଦ। କିନ୍ତୁ ପ୍ରଭୁଙ୍କୁ ଦର୍ଶନ କରିବାର ଇଚ୍ଛା ମନରେ ଅସିମୀତ। କଳିଆର ଟିକିଏ ଝଲକ ପାଇବା ପାଇଁ ଚାଲିଥାନ୍ତି ରାଘବ। କିଛି ବାଟ ଗଲାପରେ ସାଥ୍‌ ଦେଲାନି ପାଦ। ତେଣୁ  ଖରାରେ ସେହି ତତାଲା ବାଲିରେ ବସି କାଳିଆର ନାଁ ଜାପିବାର ନିଷ୍ପତ୍ତି ନେଲେ । ଖରାରେ ବସି କାଳିଆକୁ ସୁମରଣା କରୁଥାନ୍ତି। ଭକତ ଭାବରେ ବନ୍ଧା ବଡ଼ ଠାକୁର ବି ନିଜ ଭକ୍ତର ମନ କଥା ବୁଝି ପାରୁଥାନ୍ତି।

ରତ୍ନ ସିଂହାସନରେ ତାଙ୍କ ମନ ଲାଗିଲାନି। ଭକ୍ତର ଭକ୍ତିକୁ ସେ ଅନୁଭବ କରିପାରିଲେ। ଆଉ ତାଙ୍କ ଭକ୍ତ ଖରାରେ ବସି ଏତେ କଷ୍ଟ ପାଉଥିବା ଦେଖି ସେ ସହି ପାରି ନ ଥିଲେ। ତେଣୁ ଠାକୁର ଜଣେ ଛୋଟପିଲା ବେଶରେ ଯାଇ ତାଙ୍କ ଉପରେ ଏକ ଛତା ରଖି ଛାୟା ପ୍ରଦାନ କଲେ। ଗଜପତିଙ୍କୁ ସ୍ୱପ୍ନାଦେଶ ହେଲା।

“ମୋ ଭକ୍ତଟିଏ ଖରାରେ ସିଝୁଛି। ତା ପାଇଁ କିଛି ବ୍ୟବସ୍ଥା କର। ମୋ ମନ ତା ପାଇଁ ବଡ଼ ବିବ୍ରତ।”

ସ୍ୱପ୍ନାଦେଶ ପାଇ ରାଜା ଦୌଡିଲେ ସମୁଦ୍ର କୂଳକୁ। ଡହଡହ ଖରାରେ ସିଝୁଥିବା ରାଘବ ଦାଶଙ୍କୁ ପ୍ରଣିପାତ କରି କୁଣ୍ଢାଇ ପାକାଇଲେ। ପ୍ରଭୁ ଯେ, ତାଙ୍କ ମନକଥା ଜାଣିପାରିଛନ୍ତି ସେ କଥା କହିଲେ। ଆଉ ରାଘବ ଯେଉଁଠାରେ ବସିଛନ୍ତି ସେଠାରେ ମଠ ସ୍ଥାପନ ପାଇଁ ରାଜା ଅନୁମତି ମଧ୍ୟ ଦେଲେ। ଏ କଥା ଶୁଣି ରାଘବ କାନ୍ଦିଲେ। ପ୍ରଭୁ ତାଙ୍କ ଭଳି ଏକ ତୁଚ୍ଛ ଭକ୍ତକୁ ଏତେ ଶ୍ରଦ୍ଧା କରନ୍ତି ଭାବି ସେ ରାଜାଙ୍କ ସହ ଗୋଟିଏ ଚୁକ୍ତି କଲେ।

କହିଲେ- “ ଯେଉଁ ଠାକୁର ମୋ ମଥାକୁ ଛାଇ ଦେଲା। ମୁଁ ତା ମଥାକୁ ଛାଇ ଦେବି। ମୁଁ କାଳିଆର ଋଣ ଶୁଝିବାକୁ ଚାହୁଁଛି। ଯଦି ତୁମ ଇଚ୍ଛାରେ ମୋ ପାଇଁ ମଠ ନିର୍ମାଣ ହେବ ତେବେ ମୁଁ ବି ତୁମ ମଥାକୁ ଛତାଟିଏ ଦେବି। ନାଁ ହେବ ତାର ଟାହିଆ। ତା’ ପୁଣି ଏତେ ବଡ଼ ଯେ, ତୁମ ଛଡା ତାକୁ ପୂର୍ବରୁ କେହି ଧାରଣ କରି ନ ଥିବେ।”

ରାଜା ହସିଲେ। ଭକ୍ତର ମନ ରହିଲା। ରାଘବ ଦାଶଙ୍କ ଲାଗି ଗଢାହେଲା ରାଘବ ଦାଶ ମଠ। ଆଉ ପରମ୍ପରା କ୍ରମେ ପ୍ରତିବର୍ଷ ଏହି ମଠରୁ ଆସୁଥିବା ଟାହିଆ ପିନ୍ଧି ଯାତ୍ରା କରନ୍ତି କଳା ଠାକୁର। ରାଘବଙ୍କ କଥା ଅନୁୟାୟୀ ପ୍ରତି ବର୍ଷ ସେ ଜଗନ୍ନାଥଙ୍କ ପହଣ୍ଡି ସମୟରେ ୧୮ ଟି ଟାହିଆ ଯୋଗାଇ ଦିଅନ୍ତି।