କଟକ (ପ୍ରଭାତ ବିଶୋଇ ): କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ନିଜ ଜନ୍ମ ଦିନ ପାଳନ ବେଳେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ତାଙ୍କୁ ରାଗିଂ କରିଥିବା ନେଇ ସେ ଅଭିଯୋଗ କରିଥିଲେ। ଏହି ଘଟଣାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୬ ଜଣ ଛାତ୍ରଙ୍କୁ ଇଷ୍ଟ ହଷ୍ଟେଲ୍ରୁ ବହିଷ୍କାର କରିଥିଲେ। ମାତ୍ର ଉକ୍ତ ଛାତ୍ରମାନେ ଏହାର ପ୍ରତିବାଦ କରି ଗତ ରାତିରେ ରେଜିଷ୍ଟ୍ରାର ଅଶୋକ ଦାସଙ୍କୁ ଘେରାଉ କରିଥିଲେ । ତାଙ୍କ ସହ ଶୃଙ୍ଖଳା କମିଟିର ୬ ସଦସ୍ୟଙ୍କୁ ମଧ୍ୟ ପ୍ରାୟ ଘଣ୍ଟେରୁ ଊର୍ଦ୍ଧ୍ୱ ସମୟ ଅଟକ ରଖିଥିଲେ।
ଖବର ପାଇ ମାଲଗୋଦାମ ଥାନା ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ସେମାନେ ରେଜିଷ୍ଟ୍ରାରଙ୍କ ସହ ଅନ୍ୟ ସଦସ୍ୟଙ୍କୁ ଛାଡି ଦେଇଥିଲେ । ଆଜି ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚୁଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି।