ଚାନ୍ଦବାଲି (ବାସୁଦେବ ଦାସ): ରବିବାର ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଫତେପୁର ପଞ୍ଚାୟତ ବଡ଼ଗାଲୋ ବୁଥ୍ରେ ଯେଉଁ ମହିଳା ଜଣଙ୍କ ଅନ୍ୟ ମହିଳାମାନଙ୍କ ପାଇଁ ଭୋଟ୍ ଦେଇଥିବା ଅଭିଯୋଗ ହୋଇଥିଲା, ସେ ହେଉଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ରୀତାଞ୍ଜଳି ପାତ୍ର। ଗତଥର ସେ ୮ ନମ୍ବର ଜୋନ୍ରୁ ବିଜେଡି ଟିକେଟ୍ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଆଉ ଏଥର ତାଙ୍କ ଶ୍ୱଶୁର ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଶାସକ ଦଳର ହୋଇଥିବାରୁ ଗତକାଲି ଭୋଟ୍ ବେଳେ ସେ ଇନ୍ଦ୍ରଚନ୍ଦ୍ର ମାନୁ ନଥିଲେ। ଗତକାଲିର ଘଟଣା ପାଇଁ ରୀତାଞ୍ଜଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ସଜବାଜ ହେଉଛି।
ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝି କହିଛନ୍ତି, ଏହି ଘଟଣା ନେଇ ଆମ ପାଖରେ ଯେଉଁ ତଥ୍ୟ ଉପଲବ୍ଧ ହେବ, ତା’ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଡିଓ ଘଟଣାର ତଦନ୍ତ କରୁଛନ୍ତି। ସେ ଘଟଣାର ସମୀକ୍ଷା କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅନ୍ୟପକ୍ଷରେ ଗତକାଲିର ଘଟଣାକୁ ଅସ୍ୱୀକାର କରିଛନ୍ତି ଜିଲ୍ଲା ପରିଷଦ ସଦ୍ୟସ ରୀତାଞ୍ଜଳି ପାତ୍ର। ସେ ଏକାଧିକ ମହିଳାଙ୍କ ପାଇଁ ଭୋଟ୍ ଦେଇଥିବା କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୁଁ କେବଳ ମୋର ଜଣେ ସମ୍ପର୍କୀୟ ଶାଶୂଙ୍କ ଭୋଟ୍ ଦେଇଛି। ବୟସାଧିକ ହେତୁ ତାଙ୍କୁ ଭଲ ଦେଖାଯାଉ ନଥିବାରୁ ମୁଁ ତାଙ୍କ ପାଇଁ ଭୋଟ୍ ଦେଇଥିଲି। ବୁଥ୍ରେ ଉପସ୍ଥିତ ପ୍ରିଜାଇଡିଂ ଅଫିସରଙ୍କ ଠାରୁ ଅନୁମତି ନେଇ ମୁଁ ତାଙ୍କ ପାଇଁ ଭୋଟ୍ ଦେଇଥିଲି। ଆଉ କାହା ପାଇଁ ମୁଁ ଭୋଟ୍ ଦେଇ ନାହିଁ। ସେହିପରି କୌଣସି ସାମ୍ବାଦିକଙ୍କୁ ମୁଁ ଦୁର୍ବ୍ୟବହାର କରି ନାହିଁ। ଯେତେବେଳେ ମୁଁ ଜାଣିଲି ଯେ ଫଟୋ ଉଠାଉଥିବା ବ୍ୟକ୍ତି ଜଣଙ୍କ ଗଣମାଧ୍ୟମ ପ୍ରତିନିଧି, ତା’ପରେ ମୁଁ କିଛି କହି ନଥିଲି। ସେହିପରି ମୁଁ ଯଦି ଦୋଷୀ ସାବ୍ୟସ୍ତ ହେବି, ତା’ହେଲେ ଆଇନରେ ପ୍ରାବଧାନ ଥିବ, ତାକୁ ମାନି ନେବି।
ସୂଚନାଯୋଗ୍ୟ, ଗତକାଲି ରୀତାଞ୍ଜଳି ପାତ୍ର ଅନ୍ୟ ମହିଳାଙ୍କ ପାଇଁ ଭୋଟ୍ ଦେବା ସହିତ ଏଏସ୍ପି ଓ ଅନ୍ୟ ପୁଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଥ୍ ପରିସରରୁ ଚାଲିଯିବାକୁ ଚେତାବନୀ ଦେଇଥିଲେ। ନ ହେଲେ ସ୍ଥିତି ଖରାପ ହେବ ବୋଲି କହିଥିଲେ। ସେହିପରି ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ମଧ୍ୟ ସେ ଭୋଟ୍ ଦେବାକୁ ଦେଇ ନଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ସେଠାରେ ଉପସ୍ଥିତ ଏଏସ୍ପି ଯତୀନ ପଣ୍ଡା କହିଥିଲେ ଯେ ସବୁ ଶାନ୍ତିଶୃଙ୍ଖଳାରେ ଚାଲିଛି।