କର୍ମଚାରୀଙ୍କୁ ଆଗୁଆ ଅବସର: ବିଭାଗ ଶୁଣିଲେନି କି ରିପୋର୍ଟ ବି ଦେଲେନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ଓ ଆଚରଣର ଯାଂଚ କରି ଅପାରଗ ଓ ଦୁର୍ନୀତିଖୋର କର୍ମଚାରୀମାନଙ୍କୁ ଆଗୁଆ ବାଧ୍ୟତାମୂଳକ ଅବସର ଦେବା ନିମନ୍ତେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଏବେ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ୩୦ବର୍ଷ ଚାକିରି ପୂରଣ କିମ୍ବା ୫୦ ଓ ୫୫ବର୍ଷରେ ଉପନୀତ ହୋଇଥିବା କର୍ମଚାରୀମାନଙ୍କ କାର୍ଯ୍ୟର ଯାଂଚ କରିବା ନିମନ୍ତେ ଗଠିତ ବିଭାଗୀୟ ରିଭ୍ୟୁ କମିଟିଗୁଡ଼ିକ କୌଣସି ରିପୋର୍ଟ ଦେଉନଥିବାରୁ ସାଧାରଣ ପ୍ରଶାସନ ବିଭାଗ ଉଦବେଗ ପ୍ରକାଶ କରି ସମସ୍ତ […]

employ

Manoranjan Sial
  • Published: Tuesday, 22 September 2020
  • , Updated: 22 September 2020, 10:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ଓ ଆଚରଣର ଯାଂଚ କରି ଅପାରଗ ଓ ଦୁର୍ନୀତିଖୋର କର୍ମଚାରୀମାନଙ୍କୁ ଆଗୁଆ ବାଧ୍ୟତାମୂଳକ ଅବସର ଦେବା ନିମନ୍ତେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଏବେ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ୩୦ବର୍ଷ ଚାକିରି ପୂରଣ କିମ୍ବା ୫୦ ଓ ୫୫ବର୍ଷରେ ଉପନୀତ ହୋଇଥିବା କର୍ମଚାରୀମାନଙ୍କ କାର୍ଯ୍ୟର ଯାଂଚ କରିବା ନିମନ୍ତେ ଗଠିତ ବିଭାଗୀୟ ରିଭ୍ୟୁ କମିଟିଗୁଡ଼ିକ କୌଣସି ରିପୋର୍ଟ ଦେଉନଥିବାରୁ ସାଧାରଣ ପ୍ରଶାସନ ବିଭାଗ ଉଦବେଗ ପ୍ରକାଶ କରି ସମସ୍ତ ସଚିବ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଚଳିତମାସ ୨୫ତାରିଖ ସୁଦ୍ଧା ରିପୋର୍ଟ ନିଶ୍ଚିତ ଭାବେ ଦେବାକୁ କହିଛି। ରିଭ୍ୟୁ କମିଟି ପ୍ରତି ୩ମାସରେ ନିଜର ରିପୋର୍ଟ ଦେବାର ପ୍ରାବଧାନ ଥିବାବେଳେ ଏପର୍ଯ୍ୟନ୍ତ କୌଣସି ଗୋଟିଏ ବି ବିଭାଗ ସେମାନଙ୍କର ରିେପୋର୍ଟ ଦେଇନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ପ୍ରଚାରିତ ‘ମୋ ସରକାର ଓ ଫାଇଭ-ଟି’ ପ୍ରକ୍ରିୟା ଅନ୍ତର୍ଗତ ୨୦୧୯ ସେପ୍ଟେମ୍ବର ୨୪ତାରିଖରେ କର୍ମଚାରୀମାନଙ୍କ ପ୍ରଦର୍ଶନ ଓ ଦକ୍ଷତା ଯାଂଚ କରିବା ନିମନ୍ତେ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ କର୍ମଚାରୀଙ୍କର କାର୍ଯ୍ୟଦକ୍ଷତା ଓ ସାଧୁତା ଯାଂଚ ପ୍ରତି ୩ମାସରେ ଥରେ ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କର କାର୍ଯ୍ୟଦକ୍ଷତା ପ୍ରତି ୬ମାସରେ ଥରେ କରିବା ନିମନ୍ତେ ବିଭାଗଗୁଡ଼ିକୁ କୁହାଯାଇଥିଲା। ବିଭାଗଗୁଡ଼ିକରେ ଗଠନ ହୋଇଥିବା ରିଭ୍ୟୁ କମିଟିର ସୁପାରିସ୍ ଆଧାରରେ ଅସାଧୁ ଓ ଅପାରଗ କର୍ମଚାରୀମାନଙ୍କୁ ଚାକିରିରୁ ଆଗୁଆ ଅବସର ଦିଆଯିବ ବୋଲି ସରକାର ଗତବର୍ଷ ସେପ୍ଟେମ୍ବର ୨୪ତାରିଖରେ ଜାରି କରିଥିବା ସର୍କୁଲାରରେ କହିଥିଲେ। ଯେକୌଣସି କର୍ମଚାରୀ ୫୦ବର୍ଷ କିମ୍ବା ୫୫ବର୍ଷରେ ଉପନୀତ ହୋଇଥିବେ ଅବା ୩୦ବର୍ଷ ଚାକିରି ଅବଧି ପୂରଣ କରିବାର ଅତିକମରେ ୬ମାସ ପୂର୍ବରୁ ତାଙ୍କର କାର୍ଯ୍ୟଦକ୍ଷତା ଓ ସାଧୁତାକୁ ବିଭାଗୀୟ ରିଭ୍ୟୁ କମିଟି ଯାଂଚ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଇତିମଧ୍ୟରେ କୌଣସି ଗୋଟିଏ ବି ବିଭାଗ ଏହି ରିଭ୍ୟୁ କମିଟି ରିପୋର୍ଟ ଦାଖଲ କରିନଥିବାରୁ ସାଧାରଣ ପ୍ରଶାସନ ବିଭାଗ ଉଦବେଗ ପ୍ରକାଶ କରିଛି। ୨୦୧୯ ଅକ୍ଟୋବର ୧ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଅବଧିର ରିଭ୍ୟୁ ରିପୋର୍ଟ (କର୍ମଚାରୀଙ୍କ ଆଗୁଆ ଅବସର) ୨୦୨୦ ଜାନୁୟାରୀ ୧୫ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଥିଲେ ମଧ୍ୟ କୌଣସି ରିପୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ ମିଳିନାହିଁ।

ତେଣୁ ୨୦୧୯ ଅକ୍ଟୋବର ପହିଲାରୁ ୨୦୨୦ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ୩ଟି ତ୍ରୈମାସିକ ରିଭ୍ୟୁ କମିଟି ରିପୋର୍ଟକୁ ଚଳିତମାସ ୨୫ତାରିଖ ସୁଦ୍ଧା ନିଶ୍ଚିତ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗ କହିଛି। ସେପ୍ଟେମ୍ବର ୧୧ତାରିଖରେ ଲେଖାଯାଇଥିବା ଏହି ଚିଠିକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରିବା ନିମନ୍ତେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ସମସ୍ତ ବିଭାଗକୁ ଲିଖିତ ଭାବେ ଜଣାଇଛନ୍ତି।

Related story