କରୋନା ହିସାବ ଦେଉନାହାନ୍ତି ସରକାର! ସାର୍ବଜନୀନ କରିବାକୁ ଯୁକ୍ତି ବାଢିଲେ ସୂଚନା ଅଧିକାର କର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ନେଇ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖୁଛନ୍ତି। ଆମେ ନୁହେଁ, ରାଜ୍ୟର ସୂଚନା ଅଧିକାର କର୍ମୀମାନେ ଏଭଳି ସଙ୍ଗିନ୍ ଅଭିଯୋଗ କରିଛନ୍ତି। ସୂଚନା ଅଧିକାର କର୍ମୀଙ୍କ କହିବା ଅନୁସାରେ, ଏ ନେଇ ଆରଟିଆଇରେ ତଥ୍ୟ ମାଗିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଏଡ଼ାଇ ଯାଉଛନ୍ତି। ଆରଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ, କିମ୍ସ କୋଭିଡ ହସପିଟାଲ୍ ଏଯାଏ କୋଭିଡ୍ ଚିକିତ୍ସା ଓ ପରିଚାଳନା ବାବଦରେ ସମୁଦାୟ […]

covid

Manoranjan Sial
  • Published: Sunday, 13 September 2020
  • , Updated: 13 September 2020, 07:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ନେଇ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖୁଛନ୍ତି। ଆମେ ନୁହେଁ, ରାଜ୍ୟର ସୂଚନା ଅଧିକାର କର୍ମୀମାନେ ଏଭଳି ସଙ୍ଗିନ୍ ଅଭିଯୋଗ କରିଛନ୍ତି। ସୂଚନା ଅଧିକାର କର୍ମୀଙ୍କ କହିବା ଅନୁସାରେ, ଏ ନେଇ ଆରଟିଆଇରେ ତଥ୍ୟ ମାଗିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଏଡ଼ାଇ ଯାଉଛନ୍ତି।

ଆରଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ, କିମ୍ସ କୋଭିଡ ହସପିଟାଲ୍ ଏଯାଏ କୋଭିଡ୍ ଚିକିତ୍ସା ଓ ପରିଚାଳନା ବାବଦରେ ସମୁଦାୟ ୨୩ କୋଟି ୮୧ ଲକ୍ଷ ୭୬ ହଜାର ଟଙ୍କା ପାଇଛି। ଓଡ଼ିଶା ମାଇନିଂ କର୍ପୋରେସନ୍‌ ଏହି ଅର୍ଥ କିମ୍ସ‌କୁ ଦେଇଛି। ତଥ୍ୟ ଅନୁସାରେ, ମାର୍ଚ୍ଚ ୩୧ ତାରିଖରେ ୧୨ କୋଟି ୩୫ ଲକ୍ଷ, ଏପ୍ରିଲ୍‌ ୯ରେ ଦୁଇ ଥରରେ ୭ କୋଟି ୪୬ ଲକ୍ଷ ଏବଂ ୧୩ରେ ୪ କୋଟି ଟଙ୍କା ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ କୋଭିଡ ହସପିଟାଲଗୁଡ଼ିକ ପ୍ରତି ୧୫ ଦିନରେ ଥରେ ସମୁଦାୟ ବିଲ୍‌ ଦାଖଲ କରିବେ। ଅଥଚ ଏହି ନିର୍ଦ୍ଦେଶନାମାର ୪ ମାସ ପରେ ବି କୋଭିଡ୍‌ ରୋଗୀଙ୍କ ଚିକିତ୍ସା ବାବଦକୁ ରାଜ୍ୟ ସରକାର ସମୁଦାୟ କେତେ ଖର୍ଚ୍ଚ କରିଛନ୍ତି ସେ ନେଇ ରାଜ୍ୟ ସରକାର କୌଣସି ତଥ୍ୟ ଦେଇ ନଥିବା ସୂଚନା ଅଧିକାର କର୍ମୀ ପ୍ରଦୀପ କୁମାର ପ୍ରଧାନ କହିଛନ୍ତି।

ସେହିଭଳି ଅନ୍ୟ ଏକ ସରକାରୀ ତଥ୍ୟ ଅନୁସାରେ କିମସ୍ କୋଭିଡ୍ ହସପିଟାଲରେ ଦୈନିକ ଜଣେ ସାଧାରଣ କରୋନା ରୋଗୀଙ୍କ ପିଛା ୩ ହଜାର ଟଙ୍କା, ଭେଣ୍ଟିଲେଟର ଏବଂ ୨୪ ଘଣ୍ଟିଆ ଅକ୍ସିଜେନ୍ ଯୁକ୍ତ ଆଇସିୟୁ ବେଡ୍ ପାଇଁ ୫ ହଜାର ଟଙ୍କା ଦିନକୁ ଧାର୍ଯ୍ୟ କରାଯାଇଛି। ଏହାବ୍ୟତୀତ ଔଷଧ, ପରୀକ୍ଷା ଏବଂ ସାନିଟାଇଜେସନ୍ ଓ ସଫାସୁତରା ସହିତ ମୃତକଙ୍କ ଶବସତ୍କାର, ରୋଗୀ ପରିବହନ, ପିପିଇ କିଟ୍ ବାବଦକୁ ଯେତିକି ଖର୍ଚ୍ଚ ହୋଇଛି ସେହି ଅନୁସାରେ ବିଲ୍ ଦେଇ ଟଙ୍କା ନେବେ। ଅର୍ଥାତ୍ ଆମ କହିବା କଥା, କୋଭିଡ୍ ହସପିଟାଲ୍ ଗୁଡ଼ିକ ଏସମସ୍ତ ବିଲ୍ ଦେଇ ଟଙ୍କା ନେଉଥିବା ବେଳେ ଏ ବାବଦରେ ରାଜ୍ୟ ସରକାର ଏଯାଏ ସମୁଦାୟ କେତେ ଟଙ୍କା ଖର୍ଚ୍ଚ କଲେଣି, ସେନେଇ ରାଜ୍ୟ ସରକାର କୌଣସି ତଥ୍ୟ ଦେଉନାହାନ୍ତି।

ଏନେଇ କିମ୍ସ କୋଭିଡ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସବୁଠାରୁ କୌତୁହଳର କଥା ହେଉଛି, ଜିଲ୍ଲାର କରୋନା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବାବଦ ବିଲ୍ ସମ୍ପର୍କରେ ସେଭଳି କୌଣଶି ତଥ୍ୟ ନଥିବା ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି। କିନ୍ତୁ ବିଲ୍ ଦେବାପରେ ହିଁ ଟଙ୍କା ପୈଠ କରାଯାଉଥିବା କଥାକୁ ଜିଲ୍ଲାପାଳ ସ୍ୱୀକାର କରିଛନ୍ତି। ଏଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ, ଅନ୍ୟ କୋଭିଡ୍ ହସ୍ପିଟାଲ୍ ଗୁଡ଼ିକୁ ବି ବିନା ବିଲରେ ଟଙ୍କା ପୈଠ କରାଯାଉନି ତ? ଏହା ସହ ପ୍ରଶ୍ନ ଉଠିଛି ଯେ ରାଜ୍ୟରେ କରୋନା ରୋଗୀଙ୍କ ପୁରୁଣା ରୋଗର ଚିକିତ୍ସା ସଠିକ୍ ରୂପେ କରାଯାଉଛି କି ନାହିଁ ? କରୋନାରେ ପ୍ରାଣ ହରାଉଥିବା ରୋଗୀଙ୍କ ଚିକିତ୍ସା ପଦ୍ଧତିର ଅଡିଟ୍ ହେଉଛି ନା ନାହିଁ ? ଏସବୁର ଉତ୍ତର ରାଜ୍ୟ ସରକାର ସାର୍ବଜନୀନ କରିବାକୁ ସାଧାରଣରେ ଦାବି ହେଉଛି।

Related story