ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ୪୦୦ରୁ ଊର୍ଦ୍ଧ୍ୱ ସେବାୟତ ଓ କର୍ମଚାରୀ କରୋନା ଦ୍ୱାରା ସଂକ୍ରମିତ ହୋଇ ସାରିଥିବା ବେଳେ ଏହା ଯେପରି ଅଧିକ ନ ବ୍ୟାପେ ସେଥିଲାଗି ନିୟମକୁ କଡ଼ାକଡ଼ି କରାଯାଇଛି। ଏଣିକି ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ନେବାକୁ ମନା କରାଯାଇଛି। ପାନ ଛେପ ଯୋଗୁ ସଂକ୍ରମଣ ଆଶଙ୍କା ରହିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। । ଏଣିକି ମନ୍ଦିର ପରିସରରେ କୌଣସି ସେବାୟତ ପାନଛେପ ପକାଇଲେ ତାଙ୍କଠାରୁ ଜୋରିମାନା ଆଦାୟ କରାଯିବ।
ପ୍ରଥମ ଏବଂ ଦ୍ୱିତୀୟ ଥର ପାନ ଛେପ ପକାଇବାର ଧରା ପଡ଼ିଲେ ହଜାରେ ଟଙ୍କା ଲେଖାଏ ଏବଂ ତୃତୀୟ ଥର ପକାଇଲେ ୫ ହଜାର ଟଙ୍କା ତଣ୍ଡ ଗଣିବେ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ଅତିରିକ୍ତ ଏସ୍ପି ଓ ଶ୍ରୀମନ୍ଦିର କମାଣ୍ଡର ପ୍ରମୁଖଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ମନ୍ଦିର ଭିତରକୁ ପାନ ଓ ଗୁଟକା ଯେପରି ପଶି ନ ପାରେ ସେଥିଲାଗି ଚେକିଂକୁ ଜୋରଦାର କରିବାକୁ ଶ୍ରୀମନ୍ଦିର ପୁଲିସ୍ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ଶ୍ରୀମନ୍ଦିର ପୁଲିସ୍ କର୍ମୀ ଚାରିଦ୍ୱାରରେ ଚେକିଂ କରିବେ। ପାନ ଖାଇ ଯେପରି କେହି ଭିତରକୁ ପ୍ରବେଶ ନ କରେ ଏଥିପ୍ରତି ନଜର ରଖିବେ । ମୁଖ୍ୟ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି ।