ଘରେ ଥିଲା ସୁନା, ବନ୍ଧା ରଖି ସ୍ୱାମୀଙ୍କ ବ୍ୟବସାୟ ବଞ୍ଚାଇଦେଲେ ସାଗରିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଦେଇଯାଇଛି ଦୁଃଖ ଓ ଯନ୍ତ୍ରଣା। ଯାହା ଦେଖି ହେଉଛି ନା ଦେଖାଇ ହେଉଛି। ହେଲେ ଏପରି ଦୁଃଖଦ ସମୟରେ ହାତ ଟେକି ଦେଉଛନ୍ତି ବ୍ୟାଙ୍କ। ଋଣ ଦେବାକୁ ରୋକ୍‌ଠୋକ୍‌ ଭାବେ ମନା କରିଦେଉଛନ୍ତି। ହେଲେ ଘରେ ଥିବା ସୁନା ବଞ୍ଚିଇ ଦେଲା। ସେହି ସୁନାକୁ ବନ୍ଧକ ରଖି କିଏ ଉଜୁଡ଼ା ବ୍ୟବସାୟକୁ ସାଜାଡ଼ୁଛି ଆଉ କିଏ ବଞ୍ଚିବା ପାଇଁ ଖୋଜୁଛି ନୂଆ ରାହା। ବାଲେଶ୍ୱର ଜିଲ୍ଲା ଗୋପାଳ ଗାଁର ସାଗରିକା ମହାନ୍ତି। […]

Sagarika

Manoranjan Sial
  • Published: Wednesday, 08 September 2021
  • , Updated: 08 September 2021, 10:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଦେଇଯାଇଛି ଦୁଃଖ ଓ ଯନ୍ତ୍ରଣା। ଯାହା ଦେଖି ହେଉଛି ନା ଦେଖାଇ ହେଉଛି। ହେଲେ ଏପରି ଦୁଃଖଦ ସମୟରେ ହାତ ଟେକି ଦେଉଛନ୍ତି ବ୍ୟାଙ୍କ। ଋଣ ଦେବାକୁ ରୋକ୍‌ଠୋକ୍‌ ଭାବେ ମନା କରିଦେଉଛନ୍ତି। ହେଲେ ଘରେ ଥିବା ସୁନା ବଞ୍ଚିଇ ଦେଲା। ସେହି ସୁନାକୁ ବନ୍ଧକ ରଖି କିଏ ଉଜୁଡ଼ା ବ୍ୟବସାୟକୁ ସାଜାଡ଼ୁଛି ଆଉ କିଏ ବଞ୍ଚିବା ପାଇଁ ଖୋଜୁଛି ନୂଆ ରାହା।

ବାଲେଶ୍ୱର ଜିଲ୍ଲା ଗୋପାଳ ଗାଁର ସାଗରିକା ମହାନ୍ତି। ତାଙ୍କ ସ୍ୱାମୀ ଜଣେ ବ୍ୟବସାୟୀ। ମହାମାରୀ କରୋନା ଯୋଗୁ ବ୍ୟବସାୟ ପ୍ରଭାବିତ ହେଲା। ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଥିବା ସତ୍ତ୍ୱେ ସହଜରେ ମିଳିଲା ନାହିଁ ଋଣ। ତେଣୁ ବ୍ୟବସାୟ କିପରି ଚଲାଇ ରଖିବେ? ସେହି ଚିନ୍ତାରେ ପଡ଼ିଗଲେ ସାଗରିକାଙ୍କ ପରିବାର। ଏହି ସମୟରେ ପାଖରେ ଥିବା ସୁନା ଦେଖାଇଲା ରାସ୍ତା। ବ୍ୟବସାୟ ବଞ୍ଚାଇବା ପାଇଁ ଏକମାତ୍ର ବିକଳ୍ପ ଭାବେ ଘରେ ଥିବା ସୁନାକୁ ବନ୍ଧା ପକାଇ ଥିଲେ। ଆଉ ସ୍ୱାମୀଙ୍କ ବ୍ୟବସାୟ ବଞ୍ଚାଇବା ପାଇଁ ସାଗରିକା ୧୫ ଲକ୍ଷ ଟଙ୍କା ଯୋଗାଡ଼ କଲେ।

ଠିକ୍‌ ସେମିତି କଟକ ସାଇଁସୋ ଗୋବସ୍ଥର ସଇଦ୍‌ ଇଶାକ୍‌ ଅଲ୍ଲୀ। ଭୁବନେଶ୍ୱରର ଏକ ଘରୋଇ କଲେଜରେ କାମ କରନ୍ତି। କରୋନା ଯୋଗୁ ଅଧା ଦରମା ମିଳୁଥିଲା। ସେଥିରେ ପରିବାର ଚଳାଇବା କଷ୍ଟକର ହେଲା। ସେଥିପାଇଁ ଗାଁକୁ ଯାଇ ଏକ କୁକୁଡ଼ା ଫାର୍ମ କରିଥିଲେ। କିନ୍ତୁ କରୋନା ସମୟରେ ସେଥିରେ ମଧ୍ୟ କ୍ଷତି ସହିବାକୁ ପଡ଼ିଲା। ଏଭଳି ସମୟରେ ଅର୍ଥ ଲାଗି ବ୍ୟାଙ୍କରେ ବ୍ୟକ୍ତିଗତ ଋଣ ପାଇଁ ଲମ୍ବା ପ୍ରୋସେସ୍‌ ରହୁଥିବାରୁ ସ୍ତ୍ରୀଙ୍କ ସୁନା ବନ୍ଧା ପକାଇ ପରିବାର ଚଳାଇବାକୁ ବାଧ୍ୟ ହେଉଛନ୍ତି ସଇଦ ଇଶାକ୍‌।

ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟ କହୁଛି, ଚଳିତବର୍ଷ ଜୁଲାଇରେ ସୁନା ଋଣ ୭୭.୪ ପ୍ରତିଶତ ବଢ଼ିଯାଇଛି। ୨୦୨୦ ଜୁଲାଇରେ ଦେଶରେ ସୁନା ବନ୍ଧକ ଋଣ ପରିମାଣ ୩୫ ହଜାର କୋଟି ଟଙ୍କା ଥିଲା। ୨୦୨୧ ଜୁଲାଇରେ ଏହା ୬୨ ହଜାର କୋଟି ଟଙ୍କା ଟପିଛି। ଏମିତିକି କ୍ରେଡିଟ୍‌ କାର୍ଡ ଋଣ ମଧ୍ୟ ପ୍ରାୟ ୧୦% ବଢ଼ିଯାଇଛି। କରୋନା ମହାମାରୀ ସମୟରେ ଲକ୍‌ଡାଉନ, ବେରୋଜଗାର, ଦରମା ହ୍ରାସ ଏହାର ମୁଖ୍ୟ କାରଣ ବୋଲି ମତ ଦେଇଛନ୍ତି ନିବେଶ ପରାମର୍ଶଦାତା।

ସେହିଭଳି ସୁନା ଋଣ ପ୍ରଦାନକାରୀ ସଂସ୍ଥାଙ୍କ ମତ, ବ୍ୟକ୍ତିଗତ ଋଣ ଲାଗି ଅଧିକ ସମୟ ଲାଗୁଛି। କିନ୍ତୁ ସୁନା ବନ୍ଧକ ଋଣ ତତ୍କାଳ ମିଳିପାରୁଛି। ତେଣୁ ଲୋକମାନେ ସୁନା ଋଣକୁ ସୁରକ୍ଷିତ ମଣୁଛନ୍ତି। କରୋନା ସମୟରେ ସୁନା ଋଣ ପାଖାପାଖି ଦୁଇଗୁଣା ହୋଇଛି। ସେହିଭଳି ସୁନା ଋଣ ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ବ୍ୟବସାୟୀଙ୍କ ସଂଖ୍ୟା ଅଧିକ।

Related story