ଆନନ୍ଦପୁର(ମୁନ୍ନା ସିଂହ): ଓଭର ଲୋଡିଂ ଘରୋଇ ସ୍କୁଲ ବସ୍କୁ ଧରିଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ। କେନ୍ଦୁଝର ଗସ୍ତରେ ଯାଉଥିବା ବେଳେ ଓଭର ଲୋଡିଂ ସ୍କୁଲ ବସ୍କୁ ଅଟକାଇ ପୁଲିସ୍ ଜିମାରେ ଦେଇଥିଲେ। ମନ୍ତ୍ରୀଙ୍କ ଏପରି ଉଦ୍ୟମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
ଆନନ୍ଦପୁର ଅଞ୍ଚଳରେ ଥିବା ପ୍ରାଣବଲ୍ଲଭ ପବ୍ଲିକ୍ ସ୍କୁଲର ଦୁଇଟି ବସ୍ କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା। ଏହା ଦେଖି ସେହି ରାସ୍ତା ଦେଇ କେନ୍ଦୁଝର ଯାଉଥିବା ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ବସ୍ ଦୁଇଟିକୁ ଅଟକାଇ ଥିଲେ। ପରେ ଏନେଇ ଘଷିପୁରା ଥାନାକୁ ଖବର ଦେଇଥିଲେ। ମନ୍ତ୍ରୀଙ୍କ ଫୋନ୍ କଲ୍ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ବସ ଦୁଇଟିକୁ ଜବତ କରିଛି। ଜବତ ପରେ ଗାଡିର କାଗଜ ପତ୍ର ଯାଞ୍ଚ ଚାଲିଛି ପୁଲିସ।
[caption id="attachment_744114" align="aligncenter" width="650"]
ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, “କେନ୍ଦୁଝର ଆସିବା ବେଳେ ଦୁଇଟି ବସ୍ରେ ସ୍କୁଲ ପିଲାମାନେ ଲଦାଲଦି ହୋଇ ଯାଉଥିବା ଦେଖିବାକୁ ପାଇଲି। କୌଣସି ପିଲା ସିଟ୍ରେ ଆରାମରେ ବସି ପାରୁନଥିଲେ। ବସ୍ ଦୁଇଟିକୁ ଅଟକାଇ ପୁଲିସ ଜିମା ଦେଇଛି। ବସ୍ ଦୁଇଟିକୁ ଜବତ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଛି।”
ସୂଚନାରୁ ପ୍ରକାଶ, ପୂର୍ବରୁ ଅନେକ ଥର ଏହି ସ୍କୁଲରେ ଅଭିଯୋଗ ହୋଇଛି। ଆବଶ୍ୟକତାଠାରୁ ଅଧିକ ପିଲାଙ୍କୁ ବସରେ ନେଉଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ। ମାତ୍ର ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ତେବେ ମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରଶଂସା କରିଛନ୍ତି।