ବିଜେଡିର ବି-ଟିମ୍ କଂଗ୍ରେସ, ମୋହର ମାରିଲେ କଂଗ୍ରେସ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି ନିଜର ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ଏବେ ନିଜର ବିଫଳତା ପଛର ରହସ୍ୟକୁ ପଦାରେ ପକାଇଛି । କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପ୍ରତି ଅନ୍ୟତମ ଦଳୀୟ ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜାଙ୍କ ମନ୍ତବ୍ୟ ପରେ ହିଁ କଂଗ୍ରେସ ଓ ବିଜେଡି ମଧ୍ୟରେ ଥିବା ଲୁଚାଛପା ସମ୍ପର୍କ ପ୍ରମାଣିତ ହୋଇଛି। ୨୦୧୪-୧୯ ପର୍ଯ୍ୟନ୍ତ ବିଧାନସଭାରେ କଂଗ୍ରେସର ପ୍ରଦର୍ଶନକୁ ନେଇ ଶ୍ରୀ ସାଲୁଜା […]

santosh-singh-saluja-target-narasingha-mishra

Manoranjan Sial
  • Published: Tuesday, 04 February 2020
  • , Updated: 04 February 2020, 08:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି ନିଜର ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ଏବେ ନିଜର ବିଫଳତା ପଛର ରହସ୍ୟକୁ ପଦାରେ ପକାଇଛି । କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପ୍ରତି ଅନ୍ୟତମ ଦଳୀୟ ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜାଙ୍କ ମନ୍ତବ୍ୟ ପରେ ହିଁ କଂଗ୍ରେସ ଓ ବିଜେଡି ମଧ୍ୟରେ ଥିବା ଲୁଚାଛପା ସମ୍ପର୍କ ପ୍ରମାଣିତ ହୋଇଛି। ୨୦୧୪-୧୯ ପର୍ଯ୍ୟନ୍ତ ବିଧାନସଭାରେ କଂଗ୍ରେସର ପ୍ରଦର୍ଶନକୁ ନେଇ ଶ୍ରୀ ସାଲୁଜା ତତକାଳୀନ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ୍ କରିବା ପରେ ତାଙ୍କର ଖାସ୍ ଅନୁଗତ ମନୋଜ ମହାପାତ୍ର ଯେଭଳି ପ୍ରତିକ୍ରିୟା ରଖିଛନ୍ତି ତାହା ପରୋକ୍ଷରେ ବିଜେଡି ସହ କଂଗ୍ରେସ ନେତାମାନଙ୍କର ସମ୍ପର୍କର ଗଭୀରତାକୁ ମଧ୍ୟ ପଦାରେ ପକାଇଛି।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏକ ସାକ୍ଷାତକାରରେ କହିଛନ୍ତି ଯେ, ୨୦୧୪-୧୯ ମସିହା ମଧ୍ୟରେ ତାଙ୍କ ଦଳ କଂଗ୍ରେସ ରାଜ୍ୟରେ ଶାସକ ବିଜେଡିର ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କରିବା ପରିବର୍ତ୍ତେ ବିଜେଡିର ବି-ଟିମ୍ ଭୂମିକାରେ ଥିଲା। ଯଦି ସେହି ୫ବର୍ଷ କଂଗ୍ରେସର ପ୍ରଦର୍ଶନ ଭଲ ରହିଥାନ୍ତା ତା’ହେଲେ ଆମେ ୯ ନୁହେଁ ୯୦ ଆସନରେ ଜିତିବାରେ ସକ୍ଷମ ହୋଇଥାନ୍ତୁ। ବିଧାନସଭାରେ କଂଗ୍ରେସର ଭୂମିକା ବିରୋଧୀ ଦଳ ପରିବର୍ତ୍ତେ ଶାସକ ଦଳ ସହ ମିଶି କାମ କଲା। ଏବେ ଯେମିତି ବିଜେଡି-ବିଜେପି ମିଳିମିଶି କାମ କରୁଛନ୍ତି ସେତେବେଳେ କଂଗ୍ରେସ ବିଧାନସଭାରେ ବିଜେଡି ସହ ମିଶି କାମ କରୁଥିଲା। ୨୦୧୯ରେ କିନ୍ତୁ ସ୍ଥିତି ବଦଳିଯାଇଛି। ୯ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଆମେ ୪-୫ଜଣ ପ୍ରତ୍ୟେକ ପ୍ରସଙ୍ଗରେ ସରକାରଙ୍କୁ ଅଡ଼ୁଆରେ ପକାଉଛୁ।

ତେବେ ଶ୍ରୀ ସାଲୁଜାଙ୍କ ଏଭଳି ବୟାନ ଉପରେ ନରସିଂହ ମିଶ୍ର ସିଧାସଳଖ ବୟାନ ଦେବା ପରିବର୍ତ୍ତେ ତାଙ୍କର ଖାସ୍ ଅନୁଗତ ତଥା ପୂର୍ବତନ ମୁଖପାତ୍ର ମନୋଜ ମହାପାତ୍ର ସିଧାସଳଖ ନରସିଂହଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଶ୍ରୀ ସାଲୁଜାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏପରିକି ଶ୍ରୀ ସାଲୁଜା ୨୦୦୯-୧୪ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ଥାଇ ସେତେବେଳେ କାହା ସହ ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ରାଜ୍ୟସଭା ନିର୍ବାଚନରେ ଶ୍ରୀ ସାଲୁଜା ନିଜ ଭୋଟ୍ ବିକ୍ରି କରିଥିଲେ ବୋଲି ସେ ଅଭିଯୋଗ କରିବା ସହ ନରସିଂହ କ’ଣ ତାହା ରାଜ୍ୟବାସୀ ଜାଣନ୍ତି ବୋଲି କହିଛନ୍ତି। ଶ୍ରୀ ସାଲୁଜା ନିଜେ ଆତ୍ମ ଅନୁଶୀଳନ କରନ୍ତୁ ବୋଲି ସେ କଟାକ୍ଷ କରିଛନ୍ତି।

ତେବେ କଂଗ୍ରେସରେ ଚାଲିଥିବା ଏହି ବୟାନବାଜିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, କଂଗ୍ରେସ ରାଜ୍ୟରେ ଶାସକ ବିଜେଡିର ବି-ଟିମ୍ ଭଳି କାର୍ଯ୍ୟ କରୁଛି। ଯେଉଁଥିପାଇଁ ଦଳ ଏପର୍ଯ୍ୟନ୍ତ ନିଜର ସ୍ଥିତିରେ ସୁଧାର ଆଣିପାରୁନି। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଖୋଲାଖୋଲି ହୋଇସାରିଛି। ପିସିସି ସଭାପତି ପଦରେ କିଏ ରହିବେ ତାହା ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିର କରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ଏବେ ଶ୍ରୀ ସାଲୁଜା ଓ ଶ୍ରୀ ମହାପାତ୍ରଙ୍କ ବୟାନ ହିଁ ଏଭଳି ଚର୍ଚ୍ଚା ଉପରେ ଚୂଡ଼ାନ୍ତ ମୋହର ଲଗାଇଛି।

Related story