କାମାକ୍ଷାନଗର (ବିଦ୍ୟାଧର ବରାଳ): ଫେରିଲା ସାରଥୀ ବାବାଙ୍କ ଡ୍ରାମା। ପୁଣି ଥରେ ଚର୍ଚ୍ଚାରେ ଭଣ୍ଡବାବା ସାରଥୀ। ଏଥର କେନ୍ଦ୍ରାପଡା ବାରିମୂଳ ନୁହେଁ ବରଂ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଖଳିବାହାଳ ଗାଁରେ ଦେଖିବାକୁ ମିଳିଛି ସାରଥୀଙ୍କ ପ୍ରେମ। ସେଠାରେ ଚର୍ଚ୍ଚା ହେଉଛି, ବାବା ସାରଥୀଙ୍କ ଫଟୋରୁ କୁଆଡ଼େ ଝରୁଛି ମହୁ, ବିଭୂତି ଓ ଗଙ୍ଗାଜଳ। ଏ ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକଙ୍କ ଭିଡ଼ ସେଠାରେ ଜମୁଥିବା ଦେଖିବାକୁ ମିଳୁଛି।
ଖଳିବାହାଳ ଗାଁରେ କୌଣସି ସ୍ଥାନୀୟ ଲୋକଙ୍କ ଭିଡ ଜମୁନାହିଁ। ଅନୁଗୋଳ, ଆଠମଲ୍ଲିକ, ତାଳଚେର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ସେଠାକୁ ଲୋକଙ୍କ ସୁଅ ଛୁଟୁଥିବା ଆଲୋଚନା ହେଉଛି। ଆଜକୁ ୧୦ ଦିନ ତଳେ ଖଳିବାହାଳ ଗାଁର ସୁକାନ୍ତ କୁମାର ନାଥଶର୍ମାଙ୍କ ଘରେ ଥିବା ସାରଥୀଙ୍କ ଫଟୋରୁ ବିଭୂତି ବାହାରିବା ସହ ଗଙ୍ଗାଜଳର ଏକ ସ୍ରୋତ ବାହାରିଥିବା ସେ(ସୁକାନ୍ତ) ନିଜେ ପ୍ରକାଶ କରିଥିଲେ। ଏଥିସହିତ ସାରଥୀଙ୍କ ଫଟୋରୁ ମହୁ ଓ ଦିଆଯାଉଥିବା ଖାଦ୍ୟ ଉଭାନ ହୋଇ ଯାଉଥିବା କହିଛନ୍ତି ସୁକାନ୍ତଙ୍କ ପରିବାର ଲୋକେ।
ଏହି କଥା ପ୍ରଚାରିତ ହେବା ପରେ ସେଠାରେ ସାରଥୀ ପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳୁଛି। ଲୋକମାନେ ନଡ଼ିଆ, କଦଳୀ, ଲଡୁ ନେଇ ଯାଉଛନ୍ତି। ସାରଥୀଙ୍କୁ ନେଇ ଏତେ ଘଟଣା ଘଟିବା ପରେ ବି ଫଟୋରୁ ବିଭୂତି ନିର୍ଗତ ହେବାକୁ ନେଇ ଚର୍ଚ୍ଚା ହେଉଛି।