ସଂସଦର ମୌସୁମୀ ଅଧିବେଶନରେ ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡି

ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନରେ ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡି। ଜମି ହରାଉଥିବା ବ୍ୟକ୍ତିଙ୍କୁ ପ୍ରକଳ୍ପ ଗୁଡିକରେ ଅଂଶୀଦାର କରିବାକୁ ବିଜେଡି କରିଆସୁଥିବା ଦାବିକୁ ପୁଣି ଦୋହରାଇବ। ରବିବାର ଏହି ସୂଚନା ଦେଇଛନ୍ତି ବିଜେଡିର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଆଜି ନବୀନ ନିବାସରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ପରେ ସେ ଏହି ସୂଚନା ଦେଇଥିଲେ। ସାଂସଦ ଭର୍ତ୍ତୃହରି କହିଥିଲେ,ଏନଡିଏ ସରକାର ପ୍ରସ୍ତୁତ କରିଥିବା […]

bjd

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 04:11 PM IST

ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନରେ ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡି। ଜମି ହରାଉଥିବା ବ୍ୟକ୍ତିଙ୍କୁ ପ୍ରକଳ୍ପ ଗୁଡିକରେ ଅଂଶୀଦାର କରିବାକୁ ବିଜେଡି କରିଆସୁଥିବା ଦାବିକୁ ପୁଣି ଦୋହରାଇବ। ରବିବାର ଏହି ସୂଚନା ଦେଇଛନ୍ତି ବିଜେଡିର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଆଜି ନବୀନ ନିବାସରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ପରେ ସେ ଏହି ସୂଚନା ଦେଇଥିଲେ।

ସାଂସଦ ଭର୍ତ୍ତୃହରି କହିଥିଲେ,ଏନଡିଏ ସରକାର ପ୍ରସ୍ତୁତ କରିଥିବା ଜମି ଅଧିଗ୍ରହଣ ବିଲରେ ଜମି ହରାଉଥିବା ବ୍ୟକ୍ତିଙ୍କୁ ପ୍ରକଳ୍ପ ଗୁଡିକରେ ଅଂଶୀଦାର କରାଯିବା ସମ୍ପର୍କିତ ସଂଶୋଧନ ଆଣିବା ପାଇଁ ବିଜେଡି ତାର ଦାବିକୁ ପୁଣି ଦୋହରାଇବ। ସେହିଭଳି ଦଳର କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ ଯେ ସଂସଦରେ ବିଜେଡି ଓଡିଶାର ହିତ ପାଇଁ ସ୍ୱର ଉଠାଇବ। ଜମି ଅଧିଗ୍ରହଣ ବିଲକୁ ବିରୋଧ କରାଯିବ। ତେବେ କେନ୍ଦ୍ର ସରକାର ଏହି ବିଲଟିକୁ ଗୃହରେ ଆଗତ କରୁଛନ୍ତି ନା ନାହିଁ ତାହା ଦେଖିବାର କଥା ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡିର ଏହି ପ୍ରସ୍ତୁତି ବୈଠକରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନରେ ଦଳର ଆଭିମୁଖ୍ୟ ଓ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା। କେଉଁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିରୋଧ କରାଯିବ ଓ ରାଜ୍ୟର ହିତ ଦୃଷ୍ଟିରୁ କେଉଁ ପ୍ରସଙ୍ଗରେ ସମର୍ଥନ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିଭଳି ବହୁ ଚର୍ଚ୍ଚିତ ବ୍ୟାପମ ଦୁର୍ନୀତି ମାମଲାରେ ବିଜେଡି ସାଂସଦମାନେ ସରକାରଙ୍କୁ ଘେରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛି ବୋଲି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି। ଏହା ସହିତ ଦଳ ପୋସ୍କୋ ପ୍ରସଙ୍ଗ ମଧ୍ୟ ଉଠାଇବ।

ଆଜିର ଏହି ବୈଠକରେ ଲୋକସଭାର ସମସ୍ତ ୨୦ ସାଂସଦ ଓ ରାଜ୍ୟ ସଭାର ସମସ୍ତ ୭ ସାଂସଦଙ୍କୁ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତେବେ ସାଂସଦ କଳ୍ପତରୁ ଦାସ,ସରୋଜିନୀ ହେମ୍ୱ୍ରମ, ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବ ମହାନ୍ତି ଅନୁପସ୍ଥିତ ରହିଥିଲେ। ସେହିପରି  ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡା ବୈଠକ ଆରମ୍ଭରୁ ଚାଲିଆସିଥିଲେ। ଏହାକୁ ନେଇ ପ୍ରାରମ୍ଭରେ ଅନେକ କିଛି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ତେବେ ଶ୍ରୀ ପରିଡା ସ୍ପଷ୍ଟ କରିଥିଲେ ଯେ ଭାଷା ସଂସ୍କୃତି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ସେ ସେଠାରୁ ଶୀଘ୍ର ଚାଲି ଆସିଥିଲେ।

Related story