ସୁପ୍ରିମ୍‌ କୋର୍ଟଙ୍କ ଏ ପ୍ରଶ୍ନର ଉତ୍ତର କେମିତି ଦେବ ଶ୍ରୀମନ୍ଦିର ପ୍ରଶାସନ ?

ଭୁବନେଶ୍ୱର : ଶ୍ରୀମନ୍ଦିର ମଧ୍ୟକୁ ଅଣହିନ୍ଦୁ ପ୍ରେବେଶ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଶ୍ନ ପରେ ଏବେ ଶ୍ରୀମନ୍ଦିର ପ୍ରଶାସନ କ’ଣ ଉତ୍ତର ରଖିବ ତାକୁ ନେଇ ରାଜ୍ୟବ୍ୟାପି ଆରମ୍ଭ ହୋଇଛି ତର୍କ। ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ନେଇ ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଶେଷ କରି ମନ୍ଦିର ଭିତରକୁ ଅଣ ହିନ୍ଦୁ ପ୍ରବେଶକୁ ନେଇ ସର୍ବୋଚ୍ଚ ଅଦାଲତ ଦେଇଥିବା ପରାମର୍ଶକୁ ସହଜରେ ଗ୍ରହଣ କରିପାରନାହାନ୍ତି ସେବାୟତ ଓ […]

srimandir

Rakesh Mallick
  • Published: Friday, 06 July 2018
  • , Updated: 06 July 2018, 05:42 PM IST

ଭୁବନେଶ୍ୱର : ଶ୍ରୀମନ୍ଦିର ମଧ୍ୟକୁ ଅଣହିନ୍ଦୁ ପ୍ରେବେଶ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଶ୍ନ ପରେ ଏବେ ଶ୍ରୀମନ୍ଦିର ପ୍ରଶାସନ କ’ଣ ଉତ୍ତର ରଖିବ ତାକୁ ନେଇ ରାଜ୍ୟବ୍ୟାପି ଆରମ୍ଭ ହୋଇଛି ତର୍କ। ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ନେଇ ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଶେଷ କରି ମନ୍ଦିର ଭିତରକୁ ଅଣ ହିନ୍ଦୁ ପ୍ରବେଶକୁ ନେଇ ସର୍ବୋଚ୍ଚ ଅଦାଲତ ଦେଇଥିବା ପରାମର୍ଶକୁ ସହଜରେ ଗ୍ରହଣ କରିପାରନାହାନ୍ତି ସେବାୟତ ଓ ଗବେଷକ।

ସୂଚନାଯୋଗ୍ୟ, ଗତକାଲି ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶ ପ୍ରସଙ୍ଗ ଉଠାଇଥିଲେ। ଧର୍ମ ନିର୍ବିଶେଷରେ ଯେ, କୌଣସି ବ୍ୟକ୍ତି ଯେଭଳି ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବ୍ୟବସ୍ଥା କରିପାରିବେ କି ବୋଲି ପଚାରିଥିଲେ ସୁପ୍ରିମକୋର୍ଟ ।

ମାନ୍ୟବର ଅଦାଲତ ବିଗତ ଦିନର ରାୟ, ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ପି.ବି. ଗଜେନ୍ଦ୍ରଗଡକରଙ୍କ ପୁସ୍ତକ ତଥା ଭଗବତ ଗୀତାକୁ ଉଦ୍ଧାର କରି ହିନ୍ଦୁ ଧର୍ମର ବାଖ୍ୟା କରିଥିଲେ। ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋୟଲ ଏବଂ ଜଷ୍ଟିସ ଏସ୍. ଅବଦୁଲ ନାଜିରଙ୍କ ଖଣ୍ଡପୀଠ ଏହି ତର୍ଜମା କରିବା ପରେ ଗୀତାର ଏକ ଶ୍ଲୋକକୁ ମଧ୍ୟ ଉଲ୍ଲେଖ କରିଥିଲେ ।

ଏଣୁ ଏବେ ପ୍ରଶ୍ନ ପ୍ରଶାସନ ଏହାର ଉତ୍ତର କ’ଣ ରଖିବ ? ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ସିଂହଦ୍ୱାରରେ ଇଂରେଜ ଅମଳରୁ ଏକ ଫଳକ ଲଗାଯାଇଛି। ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, “Only Orthodox Hindus are allowed to the temple” । ଏହା ପଛର କାରଣ ହେଉଛି ଏମିତି। ଶ୍ରୀମନ୍ଦିର ଉପରେ ବିଗତ ଦିନରେ ୧୭ଥର ଆକ୍ରମଣ ହୋଇଥିବା ଇତିହାସ କହୁଥିବା ବେଳେ ସର୍ବଧିକ ଥର ଅଣହିନ୍ଦୁମାନେ ହିଁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଏପରିକି ବିଗ୍ରହଙ୍କୁ ଅତି ବିବତ୍ସ ଭାବେ ପୋଡ଼ି ପକାଇବା ଭଳି ହୃଦୟ ବିଦାରକ ତଥ୍ୟ ମଧ୍ୟ ରହିଛି ଇତିହାସରେ। ଯାହା ଭୟରେ ଠାକୁରମାନଙ୍କୁ ବାରମ୍ବାର ଗୋପନ ଲୀଳାରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଉ ହୁଏତ ଏହି କାରଣରୁ ହିଁ ଜଗନ୍ନାଥ ମନ୍ଦରକୁ କେବଳ ମୌଳିକ ହିନ୍ଦୁମାନେ ପ୍ରବେଶ କରିପାରିବେ ବୋଲି ଲେଖାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି। ନଚେତ୍‌ ପତିତପାବନ ବାନା, ପତିତପାବନ ନାମଥିବା ଗୋଟିଏ ସଂସ୍କୃତିରେ କେବେହେଲେ କାହାରିକୁ ଠାକୁର ଦର୍ଶନ ଲାଗି ବଞ୍ଚିତ କରାଯାଉଥିବ ଏ କଥା ଠିକ୍‌ ମନେ ହୁଏନାହିଁ। ହେଲେ ଏ ପରମ୍ପରା ଦୀର୍ଘ ଦିନ ଧରି ଅନୁସରଣ କରାଯାଇ ଆସୁଥିବାରୁ ହଠାତ୍‌ ଏଥିରେ ପରିବର୍ତ୍ତନ ଲାଗି ରାଜ୍ୟ ସରକାର ତଥା ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେପ ନେବେ ଓ ମାନ୍ୟବର କୋର୍ଟଙ୍କୁ କି ଉତ୍ତର ରଖିବେ ତାହାକୁ ନେଇ ଏବେ ସମସ୍ତଙ୍କ ଅପେକ୍ଷା।

Related story