ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା କରୋନା ଟିକା ନେଇପାରିବେ ନାହିଁ। ଆଜି ଏପରି ସତର୍କବାଣୀ ଶୁଣାଇଛନ୍ତି ଏସ୍ସିବି ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ତୁଷାରଜ୍ୟୋତି କର। ଏଥିସହ କୋଭିଡ୍ ସମୟରେ ଗର୍ଭ ଧାରଣ କଲେ କଣ ସତର୍କତା ଅବଲମ୍ୱନ କରାଯିବ, ତାହା ଉପରେ ଦେଇଛନ୍ତି ପରାମର୍ଶ।
ସେ କହିଛନ୍ତି-“କୋଭିଡ୍ ସମୟରେ ଗର୍ଭଧାରଣ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। କରୋନାରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବାରୁ ପରାମର୍ଶ ଜରୁରୀ। ଡାକ୍ତରଙ୍କ ପରାମର୍ଶରେ ହେଳା କଲେ ମା’ ଓ ଛୁଆ ପାଇଁ ବିପଦ ବଢ଼ିବ। କୋଭିଡ୍ ଗାଇଡଲାଇନ୍ ମାନି ଗର୍ଭବତୀଙ୍କ ଅଲଟ୍ରାସାଉଣ୍ଡ କରାଯିବା ଉଚିତ।”
ସେ ଆହୁରି କହିଛନ୍ତି-“କରୋନାରେ ମା’ ଆକ୍ରାନ୍ତ ହେଲେ ପ୍ରି’ ମ୍ୟାଚୁଅର ଡେଲିଭରି ହେଉଛି। ଗର୍ଭବତୀ କରୋନାରେ ଗୁରୁତର ହେଲେ SCBରେ ବିଶେଷ ବ୍ୟବସ୍ଥା ହୋଇଛି। SCBରେ ୩୦ଟି ସ୍ୱତନ୍ତ୍ର ବେଡ୍ ରଖାଯାଇଛି। ଆଇସିୟୁ ବ୍ୟବସ୍ଥା କରାଯାଇଛି। ଗର୍ଭବତୀ ଥିବା ଓ ସ୍ତନ୍ୟପାନ କରାଉଥିବା ମହିଳା ଟିକା ନେଇପାରିବେ ନାହିଁ। ଗୋଟିଏ ଟିକା ନେବା ପରେ ଗର୍ଭ ରହିଲେ ୨ୟ ଡୋଜ ନେଇପାରିବେ ନାହିଁ। ପ୍ରସବ ଓ ସ୍ତନ୍ୟପାନ ଅବଧି ସରିଲା ପରେ ପୁଣି ମୂଳରୁ ଡୋଜ ଆରମ୍ଭ କରିବେ।”
କରୋନା ଭୟାନକ ରୂପ ଦେଖି ରାଜ୍ୟ ସରକାର ଆଜିଠାରୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଲକ୍ଡାଉନ୍ ପୂର୍ବରୁ ଅର୍ଥାତ ଆଜି ରାଜ୍ୟରେ ୯,୮୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ୯୮୮୯ କରୋନା କ୍ରାନ୍ତଙ୍କ ମଧ୍ୟରୁ ୫୬୧୧ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୪୨୭୮ଟି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩୭ ଜଣ ଚିହ୍ନଟ ହୋଇଛନ୍ତି।