ସ୍କୁଲ ପିଲାଙ୍କୁ ନେବା ଆଣିବା ଉପରେ କଟକଣାକୁ ବିରୋଧ କରି ଅଟୋ ମାଲିକ ଓ ଚାଳକଙ୍କ ବିକ୍ଷୋଭ

ଭୁବନେଶ୍ୱର: ସ୍କୁଲ ପିଲାମାନଙ୍କୁ ଅଟୋ ଓ ମ୍ୟାଜିକ୍‌ ଭଳି ୧୩ ସିଟ୍‌ରୁ କମ୍‌ ଥିବା ଛୋଟ ଗାଡ଼ିରେ ନେବା ଆଣିବା କରିହେବ ନାହିଁ। ଏହି ନିୟମ ଆସନ୍ତା ଏକ ତାରିଖରୁ ଲାଗୁ କରିବାକୁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ଅଟୋ ଚାଳକ ଓ ମାଲିକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ସରକାରଙ୍କ ଏପରି ନିଷ୍ପତ୍ତି ବିରୋଧରେ ଆଜି ଶହଶହ ଅଟୋ ଚାଳକ ଲୋୟର ପିଏମ୍‌ଜିରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ନିୟମକୁ ପୁନର୍ବିଚାର […]

auto-and-magic-sangha

Rakesh Mallick
  • Published: Tuesday, 29 November 2016
  • , Updated: 29 November 2016, 07:29 PM IST

ଭୁବନେଶ୍ୱର: ସ୍କୁଲ ପିଲାମାନଙ୍କୁ ଅଟୋ ଓ ମ୍ୟାଜିକ୍‌ ଭଳି ୧୩ ସିଟ୍‌ରୁ କମ୍‌ ଥିବା ଛୋଟ ଗାଡ଼ିରେ ନେବା ଆଣିବା କରିହେବ ନାହିଁ। ଏହି ନିୟମ ଆସନ୍ତା ଏକ ତାରିଖରୁ ଲାଗୁ କରିବାକୁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ଅଟୋ ଚାଳକ ଓ ମାଲିକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ସରକାରଙ୍କ ଏପରି ନିଷ୍ପତ୍ତି ବିରୋଧରେ ଆଜି ଶହଶହ ଅଟୋ ଚାଳକ ଲୋୟର ପିଏମ୍‌ଜିରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ନିୟମକୁ ପୁନର୍ବିଚାର କରିବାକୁ ସଂଘ ଦାବି କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି।

ସରକାରଙ୍କ ନୂଆ ନିୟମ ଅନୁଯାୟୀ ସ୍କୁଲ ପିଲାମାନଙ୍କୁ ନେବା ଆଣିବା କରୁଥିବା ଗାଡ଼ିର ସିଟ୍‌ ସଂଖ୍ୟା ୧୩ରୁ କମ୍‌ ହୋଇ ନ ଥିବ, ସିଟ୍‌ ତଳେ ବ୍ୟାଗ ରଖିବା ପାଇଁ ଜାଗା ଥିବ, ଗାଡ଼ି ପଛ ପାର୍ଶ୍ୱରେ ସ୍କୁଲ ଅଧିକାରୀଙ୍କ ନାଁ ଓ ଟେଲିଫୋନ୍‌ ନମ୍ୱର ଲେଖାଥିବ, ଚାଳକଙ୍କ ଅଭିଜ୍ଞତା ଅତିକମ୍‌ରେ ୫ ବର୍ଷ ଥିବ, ଲାଇସେନ୍ସ ବୈଧ ଥିବ, ଗାଡ଼ିର ସ୍ପିଡ୍‌ ଗଭର୍ଣ୍ଣାସ ଓ ଜିପିଏସ୍‌ ସିଷ୍ଟମ ରହିଥିବ। ଏହି ସବୁ ନିୟମ ପାଳନ କରୁଥିବା ଗାଡ଼ି ଗୁଡ଼ିକ କେବଳ ପ୍ରଶସ୍ତ ରାସ୍ତାରେ ହିଁ ଗଡ଼ିବ, ଗଳିକନ୍ଦି ରାସ୍ତାରେ ପଶିବ ନାହିଁ। ଏଥିପାଇଁ ଅଭିଭାବକମାନେ କିଛି ସମସ୍ୟା ପଡ଼ିପାରନ୍ତି, ତଥାପି ସେମାନେ ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

କଟକ ଆରଟିଓ ଦୀପ୍ତିରଞ୍ଜନ ପାତ୍ର କହିଛନ୍ତି,“ସ୍କୁଲ ବା କଲେଜ ପିଲାମାନଙ୍କୁ ୧୩ ସିଟ୍‌ରୁ କମ୍‌ ଗାଡ଼ିରେ ନେବା ଆଣିବା କରି ହେବନି। ସେହି ଅନୁସାରେ ରାଜ୍ୟ ସରକାର ସ୍କୁଲ ବସ୍‌ ନିୟମ ତିଆରି କଲେ। ସେହି ନିୟମକୁ ଆମେ କାର୍ଯ୍ୟକାରୀ କରିବାକୁ ଯାଉଛୁ।”

ଏ ସମ୍ପର୍କରେ କଟକ ଜିଲ୍ଲା ଅଟୋ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ସାହୁ କହିଛନ୍ତି,“କେନ୍ଦ୍ର ଓ ରାଜ୍ୟ ସରକାର ବୁଝିବା ଦରକାର ଗ୍ରାମାଞ୍ଚଳ ବା ସହରାଞ୍ଚଳ ରାସ୍ତାରେ ଗୋଟିଏ ଅଟୋ ଗଲେ ଆଉ ଗୋଟିଏ ଯିବା କଷ୍ଟକର। ସେପରି ସ୍ଥଳେ ସରକାର ଯଦି କଟକଣା ଲଗାନ୍ତି, ତାହାହେଲେ ବହୁ ଲୋକ ବେକାର ହେବେ।”

ଅଟୋ ମାଲିକ ତୋଫାନ ବିଶ୍ୱାଳ କହିଛନ୍ତି,“ସରକାରଙ୍କ ଏହି ନିୟମ ଯୋଗୁଁ ବହୁ ଅଟୋ ଚାଳକ ଓ ମାଲିକ ଆର୍ଥିକ ଅନାଟନ ଦେଇ ଗତିକରିବେ। ସେମାନେ ଅଟୋ ଋଣ ଶୁଝି ପାରିବେନି ଓ ବେକାରୀ ବଢ଼ିବ।”

Related story