ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିଲେ ମଦ ପିଇ ମାତାଲା ହୋଇଥିଲା ସ୍କୁଲ ପରିଚାଳନା କମିଟି ସଭାପତି। ଯାହାର ପ୍ରତିବାଦ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ ସମ୍ମୁଖ ରାସ୍ତାରେ ଧାରଣା ଦେଇଛନ୍ତି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍କୁଲରେ ଆଜି ଏହି ଘଟଣା ଘଟିଛି।
ସ୍କୁଲ ପରିଚାଳନା କମିଟିର ସଭାପତି ଦୀପକ ବେହେରା ଏହି ଉତ୍ପାତ କରିଥିବା ଅଭିଯୋଗ ହୋଇଛି। ସେ ବିନା କୌଣସି କାରଣରେ ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିଲେ।
ଅଭିଭାବକ ଓ ଛାତ୍ରଛାତ୍ରୀମାନେ କହିଛନ୍ତି, ଶ୍ରୀ ବେହେରା ମଧ୍ୟାହ୍ନ ଛୁଟି ସମୟରେ କ୍ଲାସ ରୁମ ଭିତରକୁ ପଶି ଆସିଥିଲେ। ଯେଉଁ ବହି ରୁଟିନରେ ନଥିଲା ସେହି ବହି ବାହାର କରିବାକୁ କହିଥିଲେ। ବହି ନ ଦେବାରୁ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ସହିତ ଝିଅ ପିଲାଙ୍କ ସହିତ ଅସଦାଚରଣ କରିଥିଲେ। ଏହି ଭଳି ଅନେକାଂଶ ସହୟ ସେ ମଦ୍ୟପାନ କରି ସ୍କୁଲ ଭିତରକୁ ଚାଲି ଆସନ୍ତି। ଉତ୍ପାତ କରନ୍ତି। ଆଜି କିନ୍ତୁ ମାଡ଼ ମାରିବା ସହିତ ସବୁ ପିଲାଙ୍କୁ ସ୍କୁଲ ବାହାରକୁ ବାହାର କରିଦେଇଥିଲେ। ଏନେଇ ସେମାନେ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସଭାପତିଙ୍କ ଗିରଫ ଦାବିରେ ପିଲାଙ୍କ ସହିତ ଅଭିଭାବକମାନେ ସ୍କୁଲ ସମ୍ମୁଖ ରାସ୍ତାରେ ଧାରଣା ଦେଇଛନ୍ତି।
ଏନେଇ ବିଦ୍ୟାଳୟର ସଭାପତି ଦୀପକ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଚୁପ୍ ରହିଛନ୍ତି। ସେପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି।