ମାଓ ଅଧ୍ୟୁଷିତ ଅଞ୍ଚଳର ବିକଳ ଚିତ୍ର; ୧୨ ବର୍ଷ ହେବ ସଭାପତିଙ୍କ ବାରଣ୍ଡାରେ ସ୍କୁଲ ଚାଲିଛି

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର):ସରକାରୀ ଫାଇଲ୍‌ରେ ସରକାରୀ ସ୍କୁଲ ଚାଲିଛି। ହେଲେ ଜବକାଚ ପକେଇ ଖୋଜିଲେ ମଧ୍ୟ ଗ୍ରାଉଣ୍ଡ ଜିରୋରେ ଏହି ସରକାରୀ ସ୍କୁଲ ଭିତ୍ତିଭୂମିର ଚିହ୍ନବର୍ଣ୍ଣ ମିଳୁନି। କାରଣ ସ୍କୁଲ ଘର ନ ଥିବାରୁ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ବାରଣ୍ଡାରେ ଚାଲିଛି ସରକାରୀ ସ୍କୁଲ। ଏହି ବାରଣ୍ଡାରେ ପାଠପଢ଼ା ସାଙ୍ଗକୁ ଖାଆପିଅ, ଖେଳକୁଦ କରୁଛନ୍ତି ଛାତ୍ରଛାତ୍ରୀ। ମାଓ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସଲାଗୁଡା ପଂଚାୟତର ସିଲିକିସୁଗା ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ […]

School

  • Published: Wednesday, 14 September 2022
  • , Updated: 14 September 2022, 12:43 PM IST

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର):ସରକାରୀ ଫାଇଲ୍‌ରେ ସରକାରୀ ସ୍କୁଲ ଚାଲିଛି। ହେଲେ ଜବକାଚ ପକେଇ ଖୋଜିଲେ ମଧ୍ୟ ଗ୍ରାଉଣ୍ଡ ଜିରୋରେ ଏହି ସରକାରୀ ସ୍କୁଲ ଭିତ୍ତିଭୂମିର ଚିହ୍ନବର୍ଣ୍ଣ ମିଳୁନି। କାରଣ ସ୍କୁଲ ଘର ନ ଥିବାରୁ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ବାରଣ୍ଡାରେ ଚାଲିଛି ସରକାରୀ ସ୍କୁଲ। ଏହି ବାରଣ୍ଡାରେ ପାଠପଢ଼ା ସାଙ୍ଗକୁ ଖାଆପିଅ, ଖେଳକୁଦ କରୁଛନ୍ତି ଛାତ୍ରଛାତ୍ରୀ। ମାଓ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସଲାଗୁଡା ପଂଚାୟତର ସିଲିକିସୁଗା ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଯେଉଁଠାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଅଦାବାସୀ ଓ ପଛୁଆ ଅଞ୍ଚଳର ବିକାଶ ଲାଗି ସରକାର କେତେ ତତ୍ପର।

ସୂଚନା ମୁତାବକ, ଏହି ସ୍କୁଲ ଚାଲିବାରେ ଅବ୍ୟବସ୍ଥା ସତ୍ତ୍ୱେ ଏଠାରେ ଏବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୬ ଜଣ ପିଲା ପାଠପଢ଼ୁଛନ୍ତି। ୨ ଜିଲ୍ଲା ଶିକ୍ଷକ ପିଲାମାନଙ୍କୁ ପାଠପଢ଼ାଇବାକୁ ନିଯୁକ୍ତ ହୋଇଛନ୍ତି। ହେଲେ ପରିତାପର ବିଷୟ ଏଠାରେ ସ୍କୁଲ ଘରଟିଏ ନିର୍ମାଣ କରାଯାଉନି। ବର୍ଷା ଦିନେ ପାଠପଢ଼ା ବନ୍ଦ ହୋଇଯାଉଛି। ଶୀତ ଓ ଖରାଦିନେ ପିଲାଙ୍କ ଦୂରାବସ୍ଥା କହିଲେ ନ ସରେ।

ଗ୍ରାମବାସୀଙ୍କ କହିବା କଥା, ଦୀର୍ଘ ୧୨ ବର୍ଷ ହେବ ଏଭଳି ଅବ୍ୟବସ୍ଥାରେ ଏଠାରେ ପାଠ ପଢ଼ା ଯାଉଛି। ପିଲାମାନଙ୍କୁ ଶିକ୍ଷାର ଅଲୋକ ଦେଖିବାରୁ ବଞ୍ଚିତ ହୋଇ ରହିଥିଲେ। ତେଣୁ ସ୍କୁଲ ଆରମ୍ଭ କରିବା ନିମନ୍ତେ ସେମାନେ ଉଦ୍ୟମ ଆରମ୍ଭ କରିଥିଲେ। ଝୁପଡ଼ି ଘରଟିଏ କରିବା ପରେ ଏହା ଭିତରେ ପିଲାମାନଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା। ହେଲେ ବର୍ଷାରେ ଏହା ଭାଙ୍ଗି ଗଲା। ସ୍କୁଲ ଘର ନିର୍ମାଣ କରାଯିବ ବୋଲି ସରକାରୀ ଅଧିକାରୀମାନେ କହିଥିଲେ ହେଁ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଘର ବାରଣ୍ଡାରେ ସ୍କୁଲ ଚାଲିଥିବା ଗ୍ରାମବାସୀ କହିଛନ୍ତି। ଏଥିପାଇଁ ସରକାରଙ୍କ ଦାୟିତ୍ୱହୀନତା ଉପରେ ଗ୍ରାମବାସୀ ଅଙ୍ଗୁଳି ଉଠାଇଛନ୍ତି।

[caption id="attachment_766364" align="aligncenter" width="650"] ସଭାପତିଙ୍କ ଘର ଆଗରେ ପିଲାମାନଙ୍କ ପ୍ରାର୍ଥନା କ୍ଲାସ୍ ଚାଲିଛି।[/caption]

ଏନେଇ ସ୍କୁଲ ପରିଚାଳନା କମିଟି ସଭାପତି କହିଛନ୍ତି, ସରକାର ଏହି ଅଞ୍ଚଳର ପିଲାମାନଙ୍କ ଭବିଷ୍ୟତ ସୁରକ୍ଷା ନିମନ୍ତେ ଦୃଷ୍ଟି ଦେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସ୍କୁଲ ଶିକ୍ଷକ ଯଦୁମଣି ପାତ୍ର କହିଛନ୍ତି, ସରକାର ଯଦି ଏଠାରେ ସ୍କୁଲ ଘରଟିଏ ନିର୍ମାଣ କରିଦିଅନ୍ତି ତେବେ ପିଲାମାନଙ୍କ ପାଠପଢ଼ା ଭଲ ଭାବେ ଚାଲିପାରିବ। ଭାରି ହିନସ୍ତାରେ ପିଲାମାନଙ୍କ ପାଠପଢ଼ା ଚାଲିଛି। ବର୍ଷା ଓ ଶୀତ ଦିନେ ପିଲାମାନେ ଅସୁବିଧା ଭୋଗୁଛନ୍ତି। ଅବ୍ୟବସ୍ଥାରେ ପାଠପଢ଼ା ଚାଲିଥିବାରୁ ପାଠପଢ଼ା ପ୍ରତି ପିଲାମାନଙ୍କ ଆଗ୍ରହ ପ୍ରକାଶ ପାଉନି।

Related story