ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି କରି ଶୋଇ ଯାଉଛନ୍ତି ହେଡ୍ ସାର୍

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଦିନ ୧୦ଟାରେ ସ୍କୁଲ ଖୋଲେ। ସାଢ଼େ ୧୧ଟା ସୁଦ୍ଧା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେଇଦିଆଯାଏ। ତା’ ପରେ ସ୍କୁଲ ଛୁଟି କରିଦେଇ ଶ୍ରେଣୀ ଗୃହରେ ଶୋଇଯାଆନ୍ତି ପ୍ରଧାନଶିକ୍ଷକ। ପୁଣି ସ୍କୁଲ ଯେତିକି ସମୟ ଖୋଲୁଛି ସେ ସମୟରେ ବି ସାର୍ ନିଘୋଡ଼ ନିଦରେ ଶ୍ରେଣୀ ଗୃହରେ ଶୋଇ ଘୁଙ୍ଗୁଡ଼ି ମାରନ୍ତି। ତେଣିକି ଛାତ୍ରଛାତ୍ରୀ ପଢ଼ିଲେ କେତେ , ନ ପଢ଼ିଲେ କେତେ ? ତାଙ୍କର ଏ ବାବଦରେ କିଛି ଯାଏ ଆସେ ନାହିଁ ! […]

school

  • Published: Wednesday, 28 September 2022
  • , Updated: 28 September 2022, 09:51 PM IST

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଦିନ ୧୦ଟାରେ ସ୍କୁଲ ଖୋଲେ। ସାଢ଼େ ୧୧ଟା ସୁଦ୍ଧା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେଇଦିଆଯାଏ। ତା’ ପରେ ସ୍କୁଲ ଛୁଟି କରିଦେଇ ଶ୍ରେଣୀ ଗୃହରେ ଶୋଇଯାଆନ୍ତି ପ୍ରଧାନଶିକ୍ଷକ। ପୁଣି ସ୍କୁଲ ଯେତିକି ସମୟ ଖୋଲୁଛି ସେ ସମୟରେ ବି ସାର୍ ନିଘୋଡ଼ ନିଦରେ ଶ୍ରେଣୀ ଗୃହରେ ଶୋଇ ଘୁଙ୍ଗୁଡ଼ି ମାରନ୍ତି। ତେଣିକି ଛାତ୍ରଛାତ୍ରୀ ପଢ଼ିଲେ କେତେ , ନ ପଢ଼ିଲେ କେତେ ? ତାଙ୍କର ଏ ବାବଦରେ କିଛି ଯାଏ ଆସେ ନାହିଁ ! ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କିର ମାଝିପଡ଼ା ପ୍ରାଥମିକ ବିଦ୍ୟାଳୟରୁ।

ଆଜି ଏହି ଦୃଶ୍ୟକୁ ନିଜେ ଅଭିଭାବକମାନେ ଦେଖିଥିଲେ। ସେମାନେ ଦିନ ପ୍ରାୟ ୧୨ଟା ବେଳେ ସ୍କୁଲ୍‌ରେ ପହଞ୍ଚିଲା ବେଳକୁ ଶ୍ରେଣୀ ଗୃହରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜ କିଶୋର ସେଠ ଶୋଇ ଘୁଙ୍ଗୁଡ଼ି ମାରୁଥିବା ଦେଖିଥିଲେ। ଫଳରେ କିଛି ସମୟ ପାଇଁ ସ୍କୁଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି, ଏହି ବିଦ୍ୟାଳୟରେ ପିଲାମାନଙ୍କୁ ପାଠପଢ଼ାଇବା ନିମନ୍ତେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜ କିଶୋର ସେଠ ଓ ଶିକ୍ଷୟିତ୍ରୀ ସବିତା କୁମ୍ଭାର ନିଯୁକ୍ତ ହୋଇଛନ୍ତି। ସରକାରୀ ନିୟମ ଅନୁସାରେ ଦିନ ୧୦ଟା ରୁ ୪ ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢା ହେବା କଥା। କିନ୍ତୁ ଦିନ ସାଢ଼େ ୧୧ଟାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦେଇ ସ୍କୁଲ ଛୁଟି କରି ଦିଆଯାଉଛି। ଶିକ୍ଷୟିତ୍ରୀ ସବିତା କୁମ୍ଭାର ମଧ୍ୟ ବିଦ୍ୟାଳୟକୁ ଆସି ହାଜିରା ଦେବା ପରେ ଘରକୁ ପଳାଇ ଯାଉଛନ୍ତି। ପିଲାଙ୍କୁ ପାଠ ପଢ଼ାଉ ନାହାନ୍ତି। ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଭଳି ପ୍ରତିଦିନ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଅଭିଯୋଗ କରିଛନ୍ତି।

ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସେଠ୍ ସ୍କୁଲ୍ ସମୟରେ ଆଜି ଶୋଇଥିବା କଥାକୁ ସ୍ୱୀକାର କରିଛନ୍ତି। ହେଲେ ଦେହ ଭଲ ନ ଲାଗିବାରୁ ସେ ଶୋଇପଡ଼ିଥିବା କହିଛନ୍ତି। ସେହିପରି ଶିକ୍ଷୟିତ୍ରୀ ସବିତା କୁମ୍ଭାର ଆଜି ଅନୁପସ୍ଥିତ ଥିଲେ ହେଁ, ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଉପସ୍ଥିତ ଥିବା ହାଜିରା ପକାଇ ପଳାଇଥିଲେ। କେବଳ ଆଜି ଦିନକ ଶିକ୍ଷୟିତ୍ରୀ ଜଣଙ୍କ ଏଭଳି କରିଥିବା ଶ୍ରୀ ସେଠ୍ କହିଛନ୍ତି। ହେଲେ ଏହା ପ୍ରତିଦିନ ଚାଲିଥିବା ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କ ସମେତ ଅନ୍ୟ ସଦସ୍ୟମାନେ କହିଛନ୍ତି।

ଅନ୍ୟପଟେ ଘଟଣା ସମ୍ପର୍କରେ ପୁଣି ଥରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ଅଭିଯୋଗ କରି କାର୍ଯ୍ୟନୁଷ୍ଠାନ ନିବେଦନ କରିଛନ୍ତି। ସମସ୍ୟା ସମାଧାନ ନ ହେଲେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ତୁରେକେଲା ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ପୁରୋହିତ କହିଛନ୍ତି, ଅଭିଯୋଗର ତଦନ୍ତ ଚାଲିଛି। କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଗ୍ରହଣ କରାଯିବ। ସ୍କୁଲ ସମୟରେ ଶିକ୍ଷକ ଶ୍ରେଣୀଗୃହରେ ଶୋଇବା ଏକ ଦଣ୍ଡନୀୟ ଅପରାଧ। ସ୍କୁଲକୁ ମନଇଚ୍ଛା ବନ୍ଦ କରି ଦେଇ ଶିକ୍ଷକ ଓ ଶିକ୍ଷୟିତ୍ରୀ ଘରକୁ ପଳାଇବା ମଧ୍ୟ ଅପରାଧ। ତେଣୁ ତଦନ୍ତ ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ସ୍କୁଲ ପରିଚାଳନା କମିଟିର ସଭାପତି ନକୁଳ ମାଝୀ କହିଛନ୍ତି, ଏହି ସ୍କୁଲରେ ଠିକ୍ ଭାବେ ପାଠପଢ଼ା ଯାଉନି। ଶିକ୍ଷୟିତ୍ରୀ ଉପସ୍ଥାନ ଖାତାରେ ହାଜିରା ପକାଇ ପଳାଉଛନ୍ତି। ଅନ୍ୟତମ ଶିକ୍ଷକ ପାଠ ନ ପଢ଼ାଇ ଶୋଇ ପଡ଼ୁଛନ୍ତି। ଦିନ ୧୨ଟା ସୁଦ୍ଧା ସ୍କୁଲ ଛୁଟି କରି ଦିଆଯାଉଛି। ଏଭଳି ନ କରିବାକୁ ଓ ୪ଟା ପର୍ଯ୍ୟନ୍ତ ଉଭୟ ଶିକ୍ଷକ ଉପସ୍ଥିତ ରହି ପିଲାମାନଙ୍କୁ ପାଠପଢ଼ାଇବାକୁ ବାରମ୍ବାର କୁହାଯାଉଥିଲେ ହେଁ ସେମାନେ ଶୁଣୁ ନାହାନ୍ତି। ସେମାନଙ୍କ ବିରୋଧରେ ଅଭିଯୋଗ ସତ୍ତ୍ୱେ ଶିକ୍ଷାଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ପିଲାମାନଙ୍କ ଭବିଷ୍ୟତ ଅସୁରକ୍ଷିତ ହୋଇପଡ଼ିଛି।

Related story