ସ୍କୁଲ ଆଗରେ ଛାତ୍ରଙ୍କ ମୃତଦେହ ରଖି ଅଭିଭାବକ ଦେଲେ ଧାରଣା

ନୀଳଗିରି(ଓଡ଼ିଶା ରିପୋର୍ଟର): ସ୍କୁଲ ଆଗରେ ଛାତ୍ରର ମୃତଦେହ ରଖି ଅଭିଭାବକ ଦେଲେ ଧାରଣା। ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜ୍ୱରରେ ଏହି ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରିବା ସହ ନ୍ୟାୟ ପ୍ରଦାନ ଦାବିରେ ଅଭିଭାବକମାନେ ଧାରଣା ଦେଇଛନ୍ତି। ଆଜି ନୀଳଗିରି ଥାନା ଖଇରବଣି ପ୍ରାଥମିକ ବିଦ୍ୟାଳୟ ଆଗରେ ଏମିତି ଘଟଣା ଘଟିଛି। ମୃତ ଛାତ୍ର ଜଣକ ରାବୁଡୁସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂହଙ୍କ ପୁଅ ତପୁ ସିଂହ। ସେ ଦ୍ୱିତୀୟ ଶ୍ରେଣୀର […]

school-student

  • Published: Friday, 05 August 2022
  • , Updated: 05 August 2022, 08:12 PM IST

ନୀଳଗିରି(ଓଡ଼ିଶା ରିପୋର୍ଟର): ସ୍କୁଲ ଆଗରେ ଛାତ୍ରର ମୃତଦେହ ରଖି ଅଭିଭାବକ ଦେଲେ ଧାରଣା। ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜ୍ୱରରେ ଏହି ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରିବା ସହ ନ୍ୟାୟ ପ୍ରଦାନ ଦାବିରେ ଅଭିଭାବକମାନେ ଧାରଣା ଦେଇଛନ୍ତି। ଆଜି ନୀଳଗିରି ଥାନା ଖଇରବଣି ପ୍ରାଥମିକ ବିଦ୍ୟାଳୟ ଆଗରେ ଏମିତି ଘଟଣା ଘଟିଛି। ମୃତ ଛାତ୍ର ଜଣକ ରାବୁଡୁସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂହଙ୍କ ପୁଅ ତପୁ ସିଂହ। ସେ ଦ୍ୱିତୀୟ ଶ୍ରେଣୀର ଛାତ୍ର।

ସେ ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥୁଲେ। ତାଙ୍କ ଦେହ ଖରାପ ହେବା ପରେ ଗତକାଲି ପରିବାର ଲୋକଙ୍କୁ ହଷ୍ଟେଲ ଇନ୍‌ଚାର୍ଜ ଖବର ଦେଇଥିଲେ। ପରିବାର ଲୋକେ ଛାତ୍ରକୁ ଆଜି ଡାକ୍ତରଖାନା ନେଇଥିଲେ। ସେତେବେଳକୁ ଛାତ୍ର ଗୁରୁତର ହୋଇସାରିଥିଲେ। ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା ବେଳେ ହଠାତ୍ ଛାତ୍ରର ମୃତ୍ୟୁ ହୋଇଯାଇଥିଲା। ଯାହାକୁ ନେଇ ଅଭିଭାବକମାନେ ନ୍ୟାୟ ଦାବି କରି ସ୍କୁଲ ଗେଟ୍ ଆଗରେ ଛାତ୍ରର ଶବ ରଖି ଧାରଣା ଦେଇଛନ୍ତି। ସ୍ଥାନୀୟ ଲୋକେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘରାଉ କରିଛନ୍ତି। ଏହାକୁ ନେଇ ଏଠାରେ ଉତ୍ତେଜନା ପ୍ରକାଶ ପାଇଛି।

ଛାତ୍ରର ମା’ ମୀତା ସିଂହ ଓ ବାପା ପୂର୍ଣ୍ଣଚନ୍ଦ୍ର ସିଂହ ଅଭିଯୋଗ କରିଛନ୍ତି, ଗତ ରବିବାର ଦିନ ତାଙ୍କ ପୁଅକୁ ସ୍କୁଲରେ ତୁରନ୍ତ ଛାଡ଼ିବାକୁ ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ କହିଥିଲେ। ହେଲେ ସେମାନେ ଅମଙ୍ଗ ହୋଇଥିଲେ। ସ୍କୁଲ ସାର ସବୁ ରିକ୍ସ ନେବେ ବୋଲି କହି ପିଲାକୁ ଛାଡ଼ିବାକୁ କହିଥିଲେ। ପୁଅର ଜ୍ୱର ହୋଇଥିବା ଗତକାଲି  ସାର୍‌ ଖବର ପଠାଇଥିଲେ ଏବଂ ଆସି ନେଇଯିବାକୁ କହିଥିଲେ। ତୁରନ୍ତ ସ୍କୁଲରେ ପହଞ୍ଚିଲା ବେଳକୁ ପୁଅ ଆଉ ଚାଲିପାରୁ ନ ଥିଲା। ଗତକାଲି ତାକୁ ଘରକୁ ନେବା ପରେ ସେଠାରୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଆଜି ତାର ମୃତ୍ୟୁ ହୋଇଯାଇଛି। ଜ୍ୱର ହେବା ମାତ୍ରେ ନ ଜଣାଇ ଗତକାଲି ଅବସ୍ଥା ଗୁରୁତର ହେବା ପରେ ହଷ୍ଟେଲ କର୍ତ୍ତୃପକ୍ଷ ଜଣାଇଲେ। ତେଣୁ ପିଲାର ମୃତ୍ୟୁ ହେଲା। ସ୍କୁଲ ନିକଟରେ ତାଙ୍କ ଘର। ପ୍ରତିଦିନ ଏହି ବାଟେ ଘର ଲୋକଙ୍କ ଯିବାଆସିବା ଲାଗି ରହିଥାଏ। ଯେକୌଣସି ଉପାୟରେ ପୁଅର ଦେହ ଖରାପ ସମ୍ପର୍କରେ ସ୍କୁଲ କିମ୍ବା ହଷ୍ଟେଲ କର୍ତ୍ତୃପକ୍ଷ ଜଣାଇପାରିଥାନ୍ତେ। ହେଲେ ଜଣାଇଲେ ନାହିଁ। ତେଣୁ ପୁଅର ମୃତ୍ୟୁ ହେଲା। ପୁଅର ସେବାଯତ୍ନରେ ଅବହେଳା କରିଥିବା ସାର୍‌ଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଛାତ୍ର ଅଭିଭାବକ ଦାବି କରିଛନ୍ତି।

ହଷ୍ଟେଲ ଇନ୍ ଚାର୍ଜ ମନ୍ମଥ ମଲ୍ଲିକ କହିଛନ୍ତି, ପିଲାକୁ ତାର ବାପା ମଝିରେ ଆସି ନେଇଥିଲେ। ଚଳିତ ମାସ ୩ ତାରିଖରେ ସ୍କୁଲରେ ଆଣି ଛାଡ଼ି ଥିଲେ। ଏହି ସମୟରେ ପିଲାକୁ ଥଣ୍ତା ହୋଇଥିଲା। ଏହି ଦିନ ସେ ତାକୁ ନେଇ ଡାକ୍ତର ଦେଖାଇଥିଲେ। ୪ ତାରିଖରେ ଥଣ୍ତା ନ କମିବାରୁ ତାଙ୍କ ବାପାଙ୍କୁ ଡାକିଥିଲେ। ବାପା ପହଞ୍ଚିବା ପରେ ପିଲାକୁ ଛାଡ଼ି ଦେଇଥିଲେ। ସେ ଜମା ବି ଅବହେଳା କରିନାହାନ୍ତି। ସେ ଜଣେ ପ୍ରାଇମେରୀ ସ୍କୁଲ ଟିଚର ଭାବେ ଯେତିକି କର୍ତ୍ତବ୍ୟ କରିବା କଥା କରିଛନ୍ତି। ସେ ଯଦି ଅବହେଳା କରିଥିବେ ତେବେ ଉପରବାଲା ତାଙ୍କୁ ଛାଡ଼ିବନି। ଅଭିଭାବକଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

Related story