ମୋବାଇଲ ଅନ୍ କଲେ ଘୁରୁଛି ନେଟୱର୍କ, ପାହାଡ଼ ଉପରେ ଅନଲାଇନ୍ ପାଠପଢ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ ଅନଲାଇନ୍ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଏମିତି କିଛି ଜାଗା ଅଛି, ଯେଉଁଠାରେ ଅନଲାଇନ୍ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପାହାଡ଼ ଉପରକୁ ଯିବାକୁ ପଡ଼ୁଛି। କାରଣ ଦୁର୍ବଳ ମୋବାଇଲ ନେଟୱର୍କ ପାଇଁ ପିଲାମାନେ ପାହାଡ଼ରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। କୋରାପୁଟ କାକିରିଗୁମ୍ମାର ପଞ୍ଚପଟ୍ଟମାଳି ପାହାଡ ୟୁନିଫର୍ମ ପିନ୍ଧି ପିଲା ଯାଉଛନ୍ତି ମୁକ୍ତାକାଶ ବିଦ୍ୟାଳୟକୁ। କରୋନା ପାଇଁ ବିଦ୍ୟାଳୟରେ ତାଲା ଝୁଲୁଛି। ଗାଁରେ ମୋବାଇଲ୍ ନେଟୱର୍କ […]

education

Ranjit Kumar Jena
  • Published: Friday, 16 July 2021
  • , Updated: 16 July 2021, 08:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ ଅନଲାଇନ୍ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଏମିତି କିଛି ଜାଗା ଅଛି, ଯେଉଁଠାରେ ଅନଲାଇନ୍ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପାହାଡ଼ ଉପରକୁ ଯିବାକୁ ପଡ଼ୁଛି। କାରଣ ଦୁର୍ବଳ ମୋବାଇଲ ନେଟୱର୍କ ପାଇଁ ପିଲାମାନେ ପାହାଡ଼ରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। କୋରାପୁଟ କାକିରିଗୁମ୍ମାର ପଞ୍ଚପଟ୍ଟମାଳି ପାହାଡ ୟୁନିଫର୍ମ ପିନ୍ଧି ପିଲା ଯାଉଛନ୍ତି ମୁକ୍ତାକାଶ ବିଦ୍ୟାଳୟକୁ। କରୋନା ପାଇଁ ବିଦ୍ୟାଳୟରେ ତାଲା ଝୁଲୁଛି। ଗାଁରେ ମୋବାଇଲ୍ ନେଟୱର୍କ ଅବସ୍ଥା ଦୁର୍ବଳ। ଏପରିକି ପାଖରେ ସ୍ମାର୍ଟଫୋନ୍ ନାହିଁ। ଏଭଳି ସ୍ଥିତିରେ ସ୍ୱେଚ୍ଛାସେବୀ ସଂସ୍ଥା ୱାର୍ଡ ପକ୍ଷରୁ ପାହାଡ ଉପରେ ଆରମ୍ଭ ହୋଇଛି ଶିକ୍ଷାଦାନ।

ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଚାଲୁଥିବା ଆଦର୍ଶ ବିଦ୍ୟାଳୟରେ ବିଶେଷ କରି ପାହାଡ ପର୍ବତ ଘେରା ଅଞ୍ଚଳରେ ରହୁଥିବା କନ୍ଧ ଜନଜାତିର ଝିଅ ମାନେ ପଢିବାକୁ ଆସନ୍ତି। କିନ୍ତୁ ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହେବାରୁ ସେମାନଙ୍କୁ ସ୍ୱଳ୍ପ ବୟସରୁ ବିବାହ କରାଇ ଦେବାର ସମ୍ଭାବନା ଅଧିକ ରହିଛି। ଏହି କଥାକୁ ହୃଦୟଙ୍ଗମ କରି ସେମାନଙ୍କ ପାଇଁ ପାଠପଢା କିପରି ପୁନଃ କରାଯାଇପାରିବ ସେ ନେଇ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆଲୋଚନା କଲେ।

ଅନେକ ଆଲୋଚନା ପରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନବମ ଶ୍ରେଣୀରେ ପଢୁଥିବା ଝିଅଙ୍କ ପାଖକୁ ଯାଇ ପାଠ ପଢାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ଦାମନଯୋଡ଼ିରେ ଥିବା ନାଲକୋ ଖଣିର ପାଦଦେଶରେ ତଥା ନିକଟସ୍ଥ ପଞ୍ଚପଟ୍ଟମାଳୀ ପର୍ବତର ଏକ ନିବୃତ ୩କୋଣିଆ ଛକ ଠାରେ ଥିବା ଭିତରଗଡ଼ ଠାରେ ଅସ୍ଥାୟୀ ବିଦ୍ୟାଳୟ ଖୋଲି ଦିଆଗଲା। ଉପର ଗଡତି ଓ ମୁଣ୍ଡ ଗଡତି ଗ୍ରାମର ମଧ୍ୟ ଭାଗରେ ଏକ ପାହାଡିଆ ସମତଳ ଅଞ୍ଚଳରେ ବିଶାଳ ବୃକ୍ଷ ମୂଳରେ ରହିଛି ଏହି ମୁକ୍ତାକାଶ ବିଦ୍ୟାଳୟ।

ସେହିପରି କୁଚିଣ୍ଡା ଉପକଣ୍ଠ ଜମନକିରା ବ୍ଲକର ଶିରିଡ ଗାଁ ଉପାନ୍ତ ଅଞ୍ଚଳରେ ମୋବାଇଲ ଅନ୍ କଲେ ଘୁରୁଛି ନେଟୱର୍କ। ଫଳରେ ପିଲାମାନେ ଅନ୍ ଲାଇନ୍ ପାଠ ପଢିବାକୁ ପାହାଡ ଉପରକୁ ଯାଉଛନ୍ତି। ଆଉ ପଢା ସରିବା ପରେ ସଞ୍ଜ ନଇଁବା ପୂର୍ବରୁ ଘରକୁ ଫେରନ୍ତି। ଏଭଳି ସ୍ଥିତିରେ ପିଲାଙ୍କ ପାଇଁ ଭରସା ସାଜିଛନ୍ତି ସ୍କୁଲ୍ ପ୍ରଧାନ ଶିକ୍ଷକ।

ସମାନ ଦୃଶ୍ୟ ରାୟଗଡ଼ା ଝୁଞ୍ଜାମଣି ଗାଁରେ ଦେଖିବାକୁ ମିଳିଛି, ଯେଉଁଠାରେ ପାହାଡ଼ର ଚଟାଣ ଉପରେ ଚାଲିଛି ପାଠପଢା। ଏଠି ପିଲାଙ୍କ ଶିକ୍ଷାଦାନର ମାଧ୍ୟମ ସାଜିଛନ୍ତି ଜଣେ ଏମବିଏ ଛାତ୍ର ଯିଏ, ପିଲାଙ୍କୁ ନିଇତି ସାଙ୍ଗରେ ନେଇ ପାହାଡ ଉପରକୁ ଆସନ୍ତି। ଆଉ ନିଜ ଲାପଟପରେ ପାଠ ପଢାଇଥାନ୍ତି। ଗାଁରେ ଅଧିକାଂଶ ଘରେ ସ୍ମାର୍ଟ ଫୋନ୍ ନାହିଁ। ଆଉ ମୋବାଇଲ୍ ଥିଲେ ନେଟୱର୍କ ନାହିଁ। ଏଭଳି ସ୍ଥିତିରେ ଅନ୍ ଲାଇନ୍ ଶିକ୍ଷାରୁ ବଞ୍ଚିତ ପିଲାଙ୍କୁ ପାହାଡ ଉପରକୁ ନେଇ ପାଠ ପଢାଉଛନ୍ତି।

ସୂଚନାଯୋଗ୍ୟ, ସରକାରଙ୍କ ତଥ୍ୟ ଅନୁଯାୟୀ ଏଯାଏଁ ମାତ୍ର ୪୦ ପ୍ରତିଶତ ପିଲାଙ୍କ ପାଖରେ ଅନ୍ ଲାଇନ୍ ଶିକ୍ଷା ପହଞ୍ଚିଛି। ତେବେ ବାକି ୬୦ ଭାଗ ପିଲାଙ୍କ ଭବିଷ୍ୟତ ସହ ଲୁଚକାଳି ଖେଳୁଛି ନେଟୱର୍କ। ଏଭଳି ସ୍ଥିତିରେ ପିଲାଙ୍କ ଭବିଷ୍ୟତ ନେଇ ବଡ଼ ପ୍ରଶ୍ନ ଉଠିଛି।

Related story