ଲଜ୍‌ ଉପରେ ଚଢ଼ାଉ ଘଟଣା; ଥାନାରୁ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ, ସ୍କାନରରେ ଏସଡିପିଓ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଗତକାଲି ଯିଏ ଥିଲେ ତଦନ୍ତକାରୀ ଅଧିକାରୀ, ଆଜି ସିଏ ସନ୍ଦେହଘେରରେ। ଇଟାଭାଟି ମାଲିକଙ୍କୁ ଜୁଆଡ଼ି ସଜାଗଲା। ଜବତ ଟଙ୍କାଠାରୁ କମ୍‌ ପରିମାଣର ଟଙ୍କା ଗଣମାଧ୍ୟମ ସମ୍ମୁଖରେ ଦେଖାଗଲା। ଏହାବାଦ ଥାନାରୁ ମିଳିଲା ବ୍ୟାଗ ଭର୍ତ୍ତି ଟଙ୍କା। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜ୍‌ରୁ ଟଙ୍କା ଜବତ ଘଟଣାରେ ଏପରି ନୂଆ ଟ୍ୱିଷ୍ଟ ଆସିବା ପରେ ଏବେ ସ୍କାନରରେ ରହିଛି କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କ ଭୂମିକା। ଏପରିକି ଏହି ପୂରା ଘଟଣାରେ ଜବତ ଟଙ୍କାକୁ […]

police

  • Published: Saturday, 17 September 2022
  • , Updated: 17 September 2022, 02:51 PM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଗତକାଲି ଯିଏ ଥିଲେ ତଦନ୍ତକାରୀ ଅଧିକାରୀ, ଆଜି ସିଏ ସନ୍ଦେହଘେରରେ। ଇଟାଭାଟି ମାଲିକଙ୍କୁ ଜୁଆଡ଼ି ସଜାଗଲା। ଜବତ ଟଙ୍କାଠାରୁ କମ୍‌ ପରିମାଣର ଟଙ୍କା ଗଣମାଧ୍ୟମ ସମ୍ମୁଖରେ ଦେଖାଗଲା। ଏହାବାଦ ଥାନାରୁ ମିଳିଲା ବ୍ୟାଗ ଭର୍ତ୍ତି ଟଙ୍କା। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜ୍‌ରୁ ଟଙ୍କା ଜବତ ଘଟଣାରେ ଏପରି ନୂଆ ଟ୍ୱିଷ୍ଟ ଆସିବା ପରେ ଏବେ ସ୍କାନରରେ ରହିଛି କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କ ଭୂମିକା। ଏପରିକି ଏହି ପୂରା ଘଟଣାରେ ଜବତ ଟଙ୍କାକୁ ନେଇ ଅନିୟମିତତା ହୋଇଥିବା ସ୍ୱୀକାର କରିଛନ୍ତି ଖୋଦ ବଲାଙ୍ଗିର ଏସ୍‌ପି।

ଗତ ଗୁରୁବାର ରାତିରେ କିଛି ଇଟାଭାଟି ମାଲିକ ଶ୍ରମିକ ଚାଲାଣ ପାଇଁ ୧ କୋଟିରୁ ଅଧିକ ଟଙ୍କା ଧରି ଆସି କଣ୍ଟାବାଞ୍ଜିର ଅନ୍ନପୂର୍ଣ୍ଣା ଲଜ୍‌ରେ ରହିଥିବା ଜଣାପଡ଼ିଥିଲା। ଖବର ପାଇ କଣ୍ଟାବାଞ୍ଜି ଥାନା ଆଇଆଇସି ଚଢ଼ାଉ କରିଥିବା ବେଳେ ଘଟଣା ସମ୍ପର୍କରେ ଏସଡିପିଓଙ୍କୁ ସୂଚନା ଦେଇଥିଲେ। ଏସଡିପିଓ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଗତକାଲି ଗଣମାଧ୍ୟମ ସମ୍ମୁଖରେ ତଥ୍ୟ ରଖିଥିଲେ।

ପ୍ରାଥମିକ ତଦନ୍ତରୁ ଗିରଫ ବ୍ୟକ୍ତିମାନେ ଇଟା ଭାଟି ମାଲିକ ଓ ସେମାନଙ୍କ ନିକଟରୁ ୧ କୋଟି ୭ ଲକ୍ଷ ଟଙ୍କା ପୁଲିସ୍‌ ଜବତ କରିଥିବା ସୂଚନା ମିଳିଥିଲା। ହେଲେ ଗତକାଲି ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ସମ୍ପୂର୍ଣ୍ଣ ଓଲଟପାଲଟ ହେବା ପରେ ଆରମ୍ଭ ହେଲା ତନାଘନା। ଲଜ୍‌ରେ ଚଢ଼ାଉ କରି ୭ ଜୁଆଡ଼ିଙ୍କୁ କାବୁ କରାଯାଇଥିବା ବେଳେ ସେମାନେ ଇଟାଭାଟି ମାଲିକ ନୁହନ୍ତି, ଜୁଆଡ଼ି ବୋଲି ପୁଲିସ୍‌ କହିଥିଲା। ସେମାନଙ୍କ ନିକଟରୁ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା ଓ ୧୦ଟି ମୋବାଇଲ ଜବତ ହୋଇଥିବା  ସୂଚନା ଦେଇଥିଲେ ଏସଡିପିଓ । ଏନେଇ ମାମଲା ରୁଜୁ କରି ପୁଲିସ୍‌ ତନାଘନା ଚଳାଇଥିବା ବେଳେ ଅଟକ ୭ ଜଣଙ୍କୁ କିପରି ଛାଡ଼ି ଦିଆଯାଇଛି ତାକୁ ନେଇ ଉଠିଛି ପ୍ରଶ୍ନ ।

[caption id="attachment_767066" align="aligncenter" width="650"] ଗତକାଲି ଜବତ ହୋଇଥିବା ଟଙ୍କା ।[/caption]

ପୁଲିସ୍‌ର ତଥ୍ୟକୁ ନେଇ ବିଭିନ୍ନ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହେବା ପରେ ବଲାଙ୍ଗିର ଏସ୍‌ପି ନୀତିନ୍ କୁଶଲକର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବଲାଙ୍ଗିର ଅତିରିକ୍ତ ଏସ୍‌ପି ଗତକାଲି କଣ୍ଟାବାଞ୍ଜି ଥାନାକୁ ଯାଇଥିବା ବେଳେ ବିଳମ୍ବିତ ରାତି ଯାଏ ତଦନ୍ତ କରିଥିଲେ। ଏପରିକି ଜବତ ଟଙ୍କାର ପରିମାଣକୁ ନେଇ ଏସ୍‌ଡିପିଓ ଭୁଲ ସୂଚନା ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ଥାନା ଭିତରୁ ଏକ ବ୍ୟାଗ୍‌ରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାଯାଇଛି। ତେଣୁ ଗତକାଲି ଘଟଣାର ତଦନ୍ତ କରୁଥିବା ଏସଡିପିଓ ଆଜି ନିଜେ ତଦନ୍ତ ଘେରକୁ ଚାଲି ଆସିଥିବା ଜଣାଯାଇଛି। ଏପରିକି ସେ ବଲାଙ୍ଗିର ଏସ୍‌ପିଙ୍କୁ ସାକ୍ଷାତ କରିଥିବା ଜଣାଯାଇଛି।

ଏନେଇ ଏସ୍‌ପିଙ୍କୁ ପଚାରିବାରୁ, ଜବତ ଟଙ୍କାରେ ଅନିୟମିତତା ହୋଇଥିବା ସ୍ୱୀକାର କରିଛନ୍ତି। ତେବେ ଏ ସମ୍ପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇ ନ ଥିବାରୁ ସେ କିଛି ସୂଚନା ଦେଇପାରିବେନି ବୋଲି ସୂଚନା ଦେଇଛନ୍ତି । ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ରାତିରେ ଅଟକ ୭ ଜଣ  ଅଣଓଡ଼ିଆ ଭାଷାରେ କଥାବାର୍ତ୍ତା  କରୁଥିବା ଜଣାପଡ଼ିଥିଲା। ସେମାନଙ୍କ ଠାରୁ ୭ ଫୋନ୍, ଟଙ୍କା ସହ ୪ଟା ତାସ୍ ପ୍ୟାକେଟ ଜବତ କରାଯାଇଥିବା ଗତ ଗୁରୁବାର ରାତିରେ ଏସପିଓ ହୃଷିକେଶ ମେହେର କହିଥିଲେ।

ହେଲେ ଲଜ୍ ମ୍ୟାନେଜର ପୂର୍ଣ୍ଣ ଚନ୍ଦନ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ। ସେ କହିଥିଲେ,  ପ୍ରତିବର୍ଷ ଇଟାଭାଟି ମାଲିକ ଏଠାକୁ ଆସନ୍ତି । ଦାଦନ ସର୍ଦ୍ଦାରଙ୍କ ସହଯୋଗରେ ଏଠାରେ ସେମାନେ ଦାଦନ ଶ୍ରମିକ ଖୋଜନ୍ତିଏବଂ ବଇନା ଦେଇ ଚାଲି ଯାଆନ୍ତି। ପ୍ରତିବର୍ଷ ପରି ଏଥର ବି ସେମାନେ ଟଙ୍କା ଧରି ଆସିଥିଲେ। ଏହି ଲଜରେ କେବେ ବି ଜୁଆ ଖେଳା ଯାଏନା। ପୁଲିସ୍‌ ଓ ଲଜ୍‌ ମାଲିକଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ସନ୍ଦେହ ସୃଷ୍ଟି  ହୋଇଥିଲା।

ଯଦି ଜୁଆ ଖେଳ ହେଉଥିଲା, ତେବେ କାହିଁକି ଘଟଣାକୁ ଆଜି ପର୍ଯ୍ୟନ୍ତ ଲୁଚାଇ ରଖିଲା ପୁଲିସ। ଏତେ ଟଙ୍କା ଅଭିଯୁକ୍ତମାନେ କେଉଁଠୁ ଆଣିଲେ, ସେମାନଙ୍କ ପରିଚୟ କ’ଣ, ସେମାନେ ବୃତ୍ତିରେ କ’ଣ କରନ୍ତି, ପୁଲିସ ରାତିର କେଉଁ ସମୟରେ ଚଢ଼ାଉ କରିଥିଲା, ପରିଚୟ ନ ଜାଣି ଅଭିଯୁକ୍ତଙ୍କ ନାମରେ କିପରି ମାମଲା ରୁଜୁ ହେଲା ଓ ସେମାନଙ୍କ ନାମରେ ଆଉ କେଉଁଠି ଅପରାଧିକ ମାମଲା ରହିଛି ତାହାର ଉତ୍ତର ମଧ୍ୟ ପୁଲିସ ପାଖରେ ନାହିଁ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଅଧାରୁ ଉଠି ଚାଲି ଯାଇଥିଲେ ଏସ୍‌ଡିପିଓ। କେବଳ କହିଥିଲେ ମାମଲା ତଦନ୍ତାଧୀନ ଅଛି। ଏବେ ଏହି ତଦନ୍ତ କେଉଁ ଦିଗରେ ଗତି କରୁଛି ଏବଂ ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ଆଗକୁ ଜଣାପଡ଼ିବ ।

Related story