‘ପୁରୀ’ର ନାମ ପରିବର୍ତ୍ତନ କଲେ ପ୍ରସିଦ୍ଧି ବଢ଼ିବ ନା କମିବ, ଜାଣନ୍ତୁ କ’ଣ କହିଲେ ଶଙ୍କରାଚାର୍ଯ୍ୟ

ପୁରୀ (ଓଡ଼ିଶା ରିପୋର୍ଟର): ‘ପୁରୀ’ର ନାମ ପରିବର୍ତ୍ତନ କରିବା ପାଇଁ ଗତ କିଛି ଦିନ ଧରି ବିଭିନ୍ନ ସଙ୍ଗଠନ ଦାବି କରି ଆସୁଥିବା ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏହା ଅନାବଶ୍ୟକ ବୋଲି କହିଛନ୍ତି। ସେ କହିଛନ୍ତି, ପୁରୀ ନାମ ହିଁ ଯଥେଷ୍ଟ। ପୁରୀ କହିଲେ ସାରା ବିଶ୍ୱବାସୀ ଜାଣନ୍ତି ଏହା ଜଗନ୍ନାଥଙ୍କ ଧାମ। ଶଙ୍କରାଚାର୍ଯ୍ୟ କହିଛନ୍ତି, ଅଯୋଧ୍ୟାର ନାଁ ପ୍ରକୃତରେ ଅଧୋଧ୍ୟା ପୁରୀ। ସେହିଭଳି ମଥୁରାର ନାଁ ମଥୁରା ପୁରୀ। କାଶୀର ନାଁ କାଶୀ […]

Puri Shankarachary

Jitendra Garnayak
  • Published: Friday, 05 November 2021
  • , Updated: 05 November 2021, 05:29 PM IST

ପୁରୀ (ଓଡ଼ିଶା ରିପୋର୍ଟର): ‘ପୁରୀ’ର ନାମ ପରିବର୍ତ୍ତନ କରିବା ପାଇଁ ଗତ କିଛି ଦିନ ଧରି ବିଭିନ୍ନ ସଙ୍ଗଠନ ଦାବି କରି ଆସୁଥିବା ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏହା ଅନାବଶ୍ୟକ ବୋଲି କହିଛନ୍ତି। ସେ କହିଛନ୍ତି, ପୁରୀ ନାମ ହିଁ ଯଥେଷ୍ଟ। ପୁରୀ କହିଲେ ସାରା ବିଶ୍ୱବାସୀ ଜାଣନ୍ତି ଏହା ଜଗନ୍ନାଥଙ୍କ ଧାମ।

ଶଙ୍କରାଚାର୍ଯ୍ୟ କହିଛନ୍ତି, ଅଯୋଧ୍ୟାର ନାଁ ପ୍ରକୃତରେ ଅଧୋଧ୍ୟା ପୁରୀ। ସେହିଭଳି ମଥୁରାର ନାଁ ମଥୁରା ପୁରୀ। କାଶୀର ନାଁ କାଶୀ ପୁରୀ। କାଞ୍ଚିର ନାଁ କାଞ୍ଚି ପୁରୀ। ଉଜ୍ଜୟିନୀର ନାଁ ଉଜ୍ଜୟିନୀ ପୁରୀ। ଦ୍ୱାରକାର ନାଁ ଦ୍ୱାରକା ପୁରୀ ଓ ହରିଦ୍ୱାରର ନାଁ ହରିଦ୍ୱାର ପୁରୀ। ସେହିଭଳି ଅଷ୍ଟମ ପୁରୀ ହେଉଛି ଜଗନ୍ନାଥ ପୁରୀ। କିନ୍ତୁ କେବଳ ପୁରୀ କହିଲେ, ଜଗନ୍ନାଥ ଧାମକୁ ହିଁ ବୁଝାଏ। ଖାଲି ପୁରୀ କହିଲେ, କେହି ଅଯୋଧ୍ୟା ପୁରୀ, ମଥୁରା ପୁରୀ ବା କାଶୀ ପୁରୀ ବୋଲି ବୁଝନ୍ତି ନାହିଁ। ସେଥିପାଇଁ ଅଯୋଧ୍ୟା ପୁରୀ ବା ମଥୁରା ପୁରୀ ବୋଲି କହିବାକୁ ପଡ଼ିବ।

ସେ ଆହୁରି କହିଛନ୍ତି, ‘ପୁରୀ’ର ବିଶେଷତ୍ୱ ହେଉଛି, ଏହା ପୂର୍ବରୁ ଜଗନ୍ନାଥ ନ ଲଗାଇଲେ ବି ସାରା ବିଶ୍ୱରେ ସମସ୍ତେ ଜାଣନ୍ତି ଏହା ହେଉଛି ଜଗନ୍ନାଥଙ୍କ ଧାମ। ଅଯୋଧ୍ୟାର ପ୍ରସିଦ୍ଧି ‘ଅଯୋଧ୍ୟା’ ନାଁରେ ହିଁ ରହିଛି। ସେହିଭଳି ‘ଜଗନ୍ନାଥ ପୁରୀ’ର ପ୍ରସିଦ୍ଧି ‘ପୁରୀ’ ନାଁରେ ହିଁ ରହିଛି। ପୁରୀ କହିଲେ ହିଁ ସମସ୍ତେ ବୁଝନ୍ତି, ଏହା ହେଉଛି ଜଗନ୍ନାଥଙ୍କ ଧାମ। ତେଣୁ ‘ପୁରୀ’ ଆଗରେ ‘ଜଗନ୍ନାଥ’ ଯୋଡ଼ିଲେ ଏହାର ପ୍ରସିଦ୍ଧି ବଢ଼ିବ ନା କମିବ ବୋଲି ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ଯ୍ୟ। ତା’ସହିତ ‘ପୁରୀ’ ନାଁଟି ହିଁ ଯଥେଷ୍ଟ ବୋଲି କହିଛନ୍ତି।

ପୁରୀ ଆମର ଅତିପ୍ରିୟ, କିନ୍ତୁ ବାହାରେ କେହି ଜାଣୁ ନାହାନ୍ତି’

‘ପୁରୀ’ର ନାଁ ପରିବର୍ତ୍ତନ ନେଇ ଗତ ଶ୍ରୀମନ୍ଦିର ପରିଚାଳନା କମିଟିରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ସେହିଭଳି ଏହି ଦାବି ନେଇ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ରେଳ ଷ୍ଟେସନ ନିକଟରେ ଧାରଣା ପ୍ରଦର୍ଶନ କରାଯାଇଥିଲା।

ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ କହିଛନ୍ତି, ଆମେ ପୁରୀର ନାମ ପରିବର୍ତ୍ତନ କରିବାକୁ ଦାବି କରିଆସୁଛୁ। ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ସହିତ ସମସ୍ତେ ଆମକୁ ସମର୍ଥନ କରୁଛନ୍ତି। ପୁରୀର ୪୨ଟି ନାଁ ଅଛି, ଯେମିତିକି- ଶ୍ରୀକ୍ଷେତ୍ର, ଶ୍ରୀପୁରୁଷୋତ୍ତମ, ନୀଳଶୈଳ, ନୀଳାଚଳ, ନୀଳାଦ୍ରି, ବୈକୁଣ୍ଠ ପୁରୀ ଓ ଜଗନ୍ନାଥ ପୁରୀ। ଆଉ କୌଣସି ଧାମର ୪୨ଟି ନାଁ ନାହିଁ। ପୁରୀ ଆମର ଅତିପ୍ରିୟ। କିନ୍ତୁ ପୁରୀ କହିଲେ ବାହାରେ କେହି ଜାଣୁ ନାହାନ୍ତି। କିନ୍ତୁ ‘ଜଗନ୍ନାଥ ପୁରୀ’ କହିଲେ ସମସ୍ତେ ଜାଣୁଛନ୍ତି। ତେଣୁ ପୁରୀ ସହିତ ଜଗନ୍ନାଥ ମହାପ୍ରଭୁଙ୍କ ନାଁ ଯୋଡ଼ିବାକୁ ଆମେ ଦାବି କରୁଛୁ।

ସେ କହିଛନ୍ତି, ପୁରୀ ବିଶ୍ୱସ୍ତରୀୟ ସହର ହେବାକୁ ଯାଉଛନ୍ତି। ଏଣୁ ଏହାର ନାଁ ବି ବିଶ୍ୱସ୍ତରୀୟ ହେଉ। ଶ୍ରୀକ୍ଷେତ୍ର, ଶ୍ରୀପୁରୁଷୋତ୍ତମ କହିଲେ ମଧ୍ୟ କେହି ବାହାରେ ବୁଝିବେ ନାହିଁ। କିନ୍ତୁ ଜଗନ୍ନାଥଙ୍କ ନାଁ ଯୋଡ଼ି ହେଲେ ସମସ୍ତେ ବୁଝିବେ।

ସେ ଆହୁରି କହିଛନ୍ତି, ପୁରୀ ନାଁ ବଦଳାଇବା ପାଇଁ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ଲୋଡ଼ା। ଆମେ ପ୍ରଥମେ ଆଜି ପୁରୀ ରେଳଷ୍ଟେସନର ନାଁ ‘ଶ୍ରୀଜଗନ୍ନାଥ ଧାମ ପୁରୀ ରେଳ ଷ୍ଟେସନ’ ରଖିଲୁ। ସେଥିପାଇଁ ଆଜି ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛୁ। ସେ କେଉଁ ଦିନ ଆସି ନଡ଼ିଆ ବାଡ଼େଇବେ, ତାକୁ ଆମେ ଅପେକ୍ଷା କରିଛୁ।

Related story