ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରାଜନୀତି ଜୋର୍, ଦ୍ୱନ୍ଦ୍ୱରେ ଶ୍ରଦ୍ଧାଳୁ, ୯ରେ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ମିଟର ନିଷେଧା ଅଞ୍ଚଳରେ ଖନନ ଓ ନିର୍ମାଣ କାର୍ଯ୍ୟକୁ ନେଇ ରାଜନୀତି ଜୋର ଧରିଥିବାବେଳେ ହାଇକୋର୍ଟ ଏହି ପ୍ରସଙ୍ଗରେ ଦାଏର ମାମଲାର ଶୁଣାଣି ମେ’ ୯ତାରିଖରେ କରିବା ପାଇଁ ସାନି ତାରିଖ ଧାର୍ଯ୍ୟ କରିଛନ୍ତି । ଏଏସଆଇକୁ ମଧ୍ୟ ମିଳିତ ଅନୁଧ୍ୟାନ ରିପୋର୍ଟ ସତ୍ୟପାଠ ଆକାରରେ ଦାଖଲ କରିବା ନିମନ୍ତେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନଙ୍କ ମଧ୍ୟରେ […]

Puri Temple

Ordigital Desk
  • Published: Thursday, 28 April 2022
  • , Updated: 28 April 2022, 09:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ମିଟର ନିଷେଧା ଅଞ୍ଚଳରେ ଖନନ ଓ ନିର୍ମାଣ କାର୍ଯ୍ୟକୁ ନେଇ ରାଜନୀତି ଜୋର ଧରିଥିବାବେଳେ ହାଇକୋର୍ଟ ଏହି ପ୍ରସଙ୍ଗରେ ଦାଏର ମାମଲାର ଶୁଣାଣି ମେ’ ୯ତାରିଖରେ କରିବା ପାଇଁ ସାନି ତାରିଖ ଧାର୍ଯ୍ୟ କରିଛନ୍ତି । ଏଏସଆଇକୁ ମଧ୍ୟ ମିଳିତ ଅନୁଧ୍ୟାନ ରିପୋର୍ଟ ସତ୍ୟପାଠ ଆକାରରେ ଦାଖଲ କରିବା ନିମନ୍ତେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନଙ୍କ ମଧ୍ୟରେ ଚାଲିଥିବା ବୟାନବାଜି ଓ ନିର୍ମାଣ କାର୍ଯ୍ୟ ବନ୍ଦ ନହେବା ଏବଂ ଏଏସଆଇର ନିରବତା ଏବେ କୋଟିକୋଟି ଶ୍ରଦ୍ଧାଳୁଙ୍କୁ ଚିନ୍ତାରେ ପକାଇଛି । ପ୍ରକୃତ ସତ କ’ଣ ତାହା ସାଧାରଣ ଭକ୍ତ ଜାଣି ନପରି ଦ୍ୱନ୍ଦ୍ୱରେ ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଦାଏର ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୬ତାରିଖ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧରଙ୍କୂ ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଥିଲେ । କିନ୍ତୁ ଆବେଦନକାରୀ ଦିଲ୍ଲୀପ କୁମାର ବରାଳଙ୍କ ଓକିଲ ମାମଲାର ତ୍ୱରିତ୍ ଶୁଣାଣି ପାଇଁ କେତେକ ଦସ୍ତାବିଜ ଦାଖଲ କରିବା ପରେ ହାଇକୋର୍ଟ ମାମଲାକୁ ୯ତାରିଖରେ ଶୁଣାଣି କରିବା ନିମନ୍ତେ ଦିନ ଧାର୍ଯ୍ୟ କରିଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ସହ ମିଶି ମିଳିତ ଅନୁଧ୍ୟାନ ରିପୋର୍ଟ ଅତିକମରେ ଶୁଣାଣିର ଦୁଇଦିନ ପୂର୍ବରୁ ଦାଖଲ କରିବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ କେତେକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାଲିଥିବା ବୟାନବାଜି ଶୁଣିବା ପରେ ତାଙ୍କ ମନରେ ବାରମ୍ବାର ସନ୍ଦେହ ଆସିଥିଲା । ଗଜପତି ମହାରାଜା ମଧ୍ୟ ଶ୍ରୀମନ୍ଦିର ପ୍ରକଳ୍ପ ଯୋଗୁ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କହିବା ପରେ ତାଙ୍କ ମନରେ ଥିବା ସନ୍ଦେହ ଅଧିକ ବଢ଼ିଥିଲା । ତେଣୁ ସେ ନିଜେ କାହାକୁ କିଛି ନକହି ରବିବାର ଶ୍ରୀମନ୍ଦିରକୁ ଯାଇ ନିର୍ମାଣ କାର୍ଯ୍ୟ ଦେଖିଛନ୍ତି । ଆଉ ତାହା ଦେଖିବା ପରେ ତାଙ୍କ ମନରେ ଥିବା ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି । ବଡ଼ବଡ଼ ଗାତ ଖୋଳାଯାଇଛି ଓ ସେସବୁ ପୋତା ଯାଇଛି । ମନ୍ଦିରର ୧୦୦ମିଟର ପରିସର ଭିତରେ ଏଏସଆଇର ବିନା ଅନୁମତିରେ ନିର୍ମାଣ କରାଯିବା କଥା ନୁହେଁ । ସ୍ଥାନୀୟ ସାଂସଦ କହୁଛନ୍ତି ୪ଟି ପାଇଖାନା ନିର୍ମାଣ ହେଉଛି । ମାତ୍ର ତାକୁ ଦେଖିଲେ ଲାଗୁଛି ୫ କି ୧୦ ମହଲା କୋଠା ନିର୍ମାଣ ହେବା ଭଳି କାର୍ଯ୍ୟ ହୋଇଛି । ଆଉ ତାଙ୍କ ପାଖରେ ଯେତିକି ଖବର ଅଛି, ଏସବୁ ନିର୍ମାଣ ପାଇଁ ଏଏସଆଇର ଅନୁମତି ଦେଇନାହିଁ ।

ଶ୍ରୀମନ୍ଦିର ଚାରିପଟେ ଏଭଳି ଖନନକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇବା ପରେ ମାର୍ଚ୍ଚ ୩୧ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ହୋଇଥିଲା। ଗୃହ କମିଟି ସବୁ କ୍ଷମତାର ଅଧିକାରୀ। ଗୃହ କମିଟି ଏହି ନିର୍ମାଣ ପ୍ରସଙ୍ଗରେ ବିଶେଷଜ୍ଞଙ୍କ ମତାମତ ଲୋଡ଼ିବା ସହ ଯେଉଁମାନେ କାମ କରୁଛନ୍ତି ତାଙ୍କୁ ମଧ୍ୟ ଡାକି ବୟାନ ରେକର୍ଡ କରିପାରିବ। ଏପରିକି ହାଇକୋର୍ଟଙ୍କଠୁ ମଧ୍ୟ ଗୃହ କମିଟିର କ୍ଷମତା ଅଧିକ। ଗୃହ କମିଟି ତତକ୍ଷଣାତ ପରିଦର୍ଶନ କରିବା କଥା। କିନ୍ତୁ ତାହା ହୋଇନି।

ସେପଟେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ଚାଲିଛି । ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି କିଏ କହୁଛି । ବହୁତ ଲୋକ ବହୁ କଥା କହୁଛନ୍ତି । ଏସବୁ ରାଜନୀତି ସରିଯାଉ । ତା’ପରେ ବିଧାନସଭା ଗୃହ କମିଟିି ଅନୁଧ୍ୟାନ କରିବାକୁ ଯିବ ଓ ଆସିକି ରିପୋର୍ଟ ଦେବ । ବିଧାନସଭାର ଗୃହ କମିଟି ଖୁବଶୀଘ୍ର ବସିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

ଏସବୁ ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ବିଜେପିରେ ପରସ୍ପରବିରୋଧୀ ବୟାନ ଆସିବାରେ ଲାଗିଛି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ଖୋଲିନାହାନ୍ତି । ବଡ଼ ବଡ଼ ନିର୍ମାଣ କାର୍ଯ୍ୟ ଚାଲିଥିବାକୁ ସେ ସମର୍ଥନ କରିଛନ୍ତି, କିନ୍ତୁ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି କି ନାହିଁ ସେ କଥା କିଛି ନକହି ଏଏସଆଇ ହିଁ ପ୍ରକୃତ ବଦମାସ ବୋଲି କହିଛନ୍ତି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିଲେ ମଧ୍ୟ ଏଏସଆଇର ବିନା ଅନୁମତିରେ ନିଷେଧାଂଚଳ ପରିସରରେ ନିର୍ମାଣକୁ ବିରୋଧ କରିଛନ୍ତି । ବିଜେପି ମୁଖପାତ୍ର ସୋନାଲି ସାହୁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ନିଜ ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ବିଜେପିରେ ଏଭଳି ମତଭେଦ ଶାସକ ଦଳକୁ ସୁହାଇଛି । ଆଉ ସାଧାରଣ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ଚର୍ଚ୍ଚା ହେଉଛି ।

Related story