ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)କରୋନା ମାଡ଼ରେ ସଂକୁଚିତ ହେବ ପିଲାଙ୍କ ପାଠ୍ୟକ୍ରମ । ପ୍ରଥମରୁ ଦଶମ ଏବଂ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ସିଲାବସ୍ କମିବ। ତେବେ ସିଲାବସ୍ କେତେ ପ୍ରତିଶତ କମିବ ତାହା ଶିକ୍ଷାନୁଷ୍ଠାନ ଖୋଲିବା ପରେ ହିଁ ସ୍ପଷ୍ଟ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପିଲା ଏବଂ ଶିକ୍ଷାବିତ୍ ସ୍ୱାଗତ କରିଛନ୍ତି । କିନ୍ତୁ ପ୍ରକୃତରେ ସିଲାବସ୍ର କଣ ହେବ ରୂପରେଖ, ତାକୁ ନେଇ ଆଶଙ୍କାରେ ପଡ଼ିଯାଇଛନ୍ତି ସମସ୍ତେ।
କେନ୍ଦ୍ରୀୟ ବୋର୍ଡ ଫଣ୍ଡା ଆପଣାଇବ କି ସ୍କୁଲ ଓ ଗଣଶିକ୍ଷା ବିଭାଗ? ସିବିଏସ୍ଇ ଭଳି ହ୍ରାସ ପାଇବ କି ୩୦% ପାଠ୍ୟକ୍ରମ? କରୋନା ମାଡ଼ରେ ସାଂଘାତିକ ପ୍ରଭାବିତ ହୋଇଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ବିଳମ୍ବରେ ହେଲେ ବି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଚଳିତ ଶିକ୍ଷାବର୍ଷରେ ପିଲାଙ୍କ ପାଠପଢ଼ା ବୋଝ ହାଲକା କରିବା ପାଇଁ ପାଠ୍ୟକ୍ରମ ସଙ୍କୁଚିତ କରିବ ଗଣଶିକ୍ଷା ବିଭାଗ। ଏନେଇ ମୁଖ୍ୟମନ୍ତ୍ରୀ ବି ଅନୁମୋଦନ ଦେଇଛନ୍ତି । କେତେ ପ୍ରତିଶତ ସିଲାବସ୍ ରହିବ? କେଉଁ ଚାପ୍ଟର ଗୁଡ଼ିକୁ ବାଦ୍ ଦିଆଯିବ? ପ୍ରଥମରୁ ଦଶମ ଶ୍ରେଣୀ ଲାଗି SCERT ଏବଂ ପ୍ଲସଟୁ ପାଇଁ CHSE ନିଷ୍ପତ୍ତି ନେବ । କିନ୍ତୁ କେବେ? ତାକୁ ଗଣଶିକ୍ଷା ବିଭାଗ ଝୁଲାଇ ରଖିବା ସହ ଶିକ୍ଷାନୁଷ୍ଠନ ଖୋଲିବା ପରେ ହିଁ ଶିକ୍ଷାବର୍ଷର ବଳକା ଅବଧିକୁ ଦେଖି ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।
ଗୋଟିଏ ପଟେ ମାଟ୍ରିକ୍ ଓ ଯୁକ୍ତଦୁଇ ରେଜଲ୍ଟ କେବେ ଆସିବ, ତାକୁ ନେଇ ଆଶଙ୍କା ଲାଗିରହିଛି । ଅନ୍ୟପଟେ ଅନ୍ଲାଇନ୍ କ୍ଲାସ୍ ଜରିଆରେ ପିଲାଙ୍କୁ ପାଠପଢ଼ାଯିବ ବୋଲି କହିଥିଲେ ରାଜ୍ୟ ସରକାର । କିନ୍ତୁ ଭିତ୍ତିଭୂମିର ବିକାଶ ନକରି କିଭଳି ହଁ ଭରିଦେଲେ, ତାକୁ ନେଇ ନା ନା ପ୍ରଶ୍ନ ଉଠିଥିବାବେଳେ ଏବେ ପୁଣି ସିଲାବସ୍ କେତେ କମିବ ତାହା ସସ୍ପେନ୍ସ ଭିତରେ ରହିଲା ଏଥିଯୋଗୁ ଲକ୍ଡାଉନ୍ ଭିତରେ ପାଠପଢ଼ାକୁ ନେଇ ଚିନ୍ତାରେ ଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକ ଦ୍ୱନ୍ଦ୍ୱରେ। ଶିକ୍ଷାବିତଙ୍କ ମତ, ପାଠ୍ୟକ୍ରମ ହ୍ରାସ ନେଇ ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ନେବା ଦରକାର।
ସେପଟେ ଛାତ୍ରଛାତ୍ରୀଙ୍କୁ ମନସ୍ତାତ୍ତ୍ୱିକ ସହାୟତା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଆରମ୍ଭ କରିଛନ୍ତି ମନୋଦର୍ପଣ କାର୍ଯ୍ୟକ୍ରମ। ଏଥିପାଇଁ ଟୋଲ୍ ଫ୍ରି ନମ୍ବର ୮୪୪ ୮୪୪ ୦୬୩୨ ଜାରି ହୋଇଛି। ଏହି ନମ୍ବରକୁ ଫୋନ୍ କଲେ ବିଶେଷଜ୍ଞ ପରାମର୍ଶ ଦେବେ। ଏହାଛଡ଼ା ଅନ୍ଲାଇନ୍ ଚାଟ୍ ମାଧ୍ୟମରେ ବି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପିଲାଙ୍କ ପରିବାର ସଦସ୍ୟ ମାନସିକ ଓ ମନସ୍ତାତ୍ତିକ ସ୍ୱାସ୍ଥ୍ୟ ସଂପର୍କରେ ପରାମର୍ଶ ପାଇପାରିବେ ।