ବଲାଙ୍ଗିର,(ସସ୍ମିତା ସାହୁ): କୁନି କୁନି କଣ୍ଠରେ ଭାସିଆସୁଛି ସୁମଧୂର ସଂଗୀତର ସ୍ୱର। କେତେବେଳେ ସମ୍ବଲପୁରୀ ଗୀତ ତ’ ଆଉ କେତେବେଳେ ହିନ୍ଦୀ ଫିଲ୍ମଗୀତ ପୁଣି ଆଉ କେତେବେଳେ ଦେଶାତ୍ମକ ବୋଧକ ଗୀତ । ବିଭିନ୍ନ ପ୍ରକାର ଗୀତ ଗାଇପାରୁଛନ୍ତି କୁନି କଣ୍ଠଶିଳ୍ପୀ। ଇଏ ହେଉଛନ୍ତି ବଲାଙ୍ଗିର ପାଟଣାଗଡ ବ୍ଳକ ଭୁଳୁଦର୍ହ ଗାଁର ବର୍ଷାରାଣୀ ତ୍ରିପାଠୀ । କେବଳ ବର୍ଷା ନୁହନ୍ତି, ତାଙ୍କ ମଝିଆ ଭାଇ ଅମିତ କୁମାର ତ୍ରିପାଠୀ ମଧ୍ୟ ଗୀତ ଗାଇବାରେ ଧୂରନ୍ଧର। ଭାଇ ଅମିତ ଦୁଃଖୀଶ୍ୟାମ ତ୍ରୀପାଠି ପ୍ରଖ୍ୟାତ ସଙ୍ଗୀତଜ୍ଞ ତଥା ସ୍ୱର୍ଭତ ଅରବିନ୍ଦ ମୁଦୁଲିଙ୍କ ଗୀତ ଗୁଡିକୁ ଗାଇବା ପାଇଁ ବେଶୀ ଭଲ ପାଇଥାନ୍ତି । ଏମାନେ ଗୀତ ଗାଇବା ପାଇଁ କୌଣସି ଗୁରୁଙ୍କ ଠାରୁ ଶିକ୍ଷା ନେଇନାହାନ୍ତି ।
ନିଜେ ନିଜେ କ୍ୟାସେଟରେ ଗୀତ ଶୁଣି ସେସବୁକୁ ମନେ ରଖି, ଗୀତ ଗାଇବାର ଅଭ୍ୟାସ କରୁଛନ୍ତି । ସୁରିଲା ସୁରିଲା ଗୀତ ଗାଈ ସମସ୍ତଙ୍କୁ ଝୁମାଓ ଥିବା ଏ ଦୁଇ ଭାଇଭଉଣୀ କିନ୍ତୁ ସୁଯୋଗ ଅଭାବରୁ, ଆଗକୁ ଯାଇପାରୁନାହାନ୍ତି। ଗରୀବିର ତାଡନାରେ ଭାଇ ଅମିତର ପାଠପଢାରେ ଡୋରି ଲାଗିଯାଇଛି। ପରିବାର ପ୍ରତିପୋଷଣ ପାଇଁ ସେ ଏବେ ଏକ ଟେଲର ଦୋକାନରେ କାମ କରୁଛନ୍ତି । ଏବେ ଆସନ୍ତୁ ନଜର ପକାଇବା,ସଂଗୀତର ଯାଦୁ ଦେଖାଉଥିବା ବର୍ଷା ଓ ଅମିତଙ୍କ ପରିବାର ସମ୍ପର୍କରେ । ଏ ଦୁଇ ଭାଇଭଉଣୀଙ୍କ ସାହାରା କହିଲେ କେବଳ ମା’ ଡିଲେଶ୍ୱରୀ। ଡିଲେଶ୍ୱରୀ କୋରାପୁଟ ଜୟପୁରର ଜଣେ ଘରୋଇ ଶିକ୍ଷକଙ୍କୁ ବାହା ହୋଇଥିଲେ। କିନ୍ତୁ ସ୍ୱାମୀର ନିର୍ଯାତନା ସହି ନ ପାରି ଡିଲେଶ୍ୱରୀ ଦୁଇ ପୁଅ ଏବଂ ଗୋଟିଏ ଝିଅଙ୍କୁ ନେଇ ଏବେ ନିଜ ବାପ ଘରେ ରହୁଛନ୍ତି ।
ଡିଲେଶ୍ୱରୀ ଦୁଇ ପୁଅ ପାଠପଢା ଛାଡି ପରିବାର ପ୍ରତିପୋଷଣ ପାଇଁ ଅନ୍ୟତ୍ର କାମ କରୁଛନ୍ତି । କେବଳ ଝିଅ ବର୍ଷା ଏବେ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି। ବର୍ଷା ଓ ଅମିତଙ୍କ ଭଲ କଣ୍ଠଶିଳ୍ପୀ ଟିଏ ହେବା ପାଇଁ ବିଶେଷ ଆଗ୍ରହ । କିନ୍ତୁ ଗରିବୀ ଯୋଗୁଁ ମା ପୁଅ, ଝିଅଙ୍କ ଆଶାକୁ ପୂରଣ କରିପାରୁନାହାନ୍ତି। ଧୀରେ ଧୀରେ ଗରିବୀର ତାଡନାରେ ଏହି ଦୁଇ ପ୍ରତିଭା ଲୁଚି ଯିବାର ଆଶଙ୍କା ଦେଖାଦେଇଛି। ତେଣୁ ଏମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ଦାବି ହେଉଛି ।
କଳା ହେଉଛି ଈଶ୍ୱରଙ୍କ ଦାନ ଭଳି। କଣ୍ଠଶିଳ୍ପୀଟିଏ ହେବାର ସ୍ୱପ୍ନ ବହୁ ଲୋକ ଦେଖିଥାନ୍ତି । କିନ୍ତୁ ସେଥିପାଇଁ ସୁମଧୂର ସ୍ୱରଟିଏ ଦରକାର। ଦୁଇ କୁନୀ କଳାକାରଙ୍କ ସୁମଧୂର କଣ୍ଠ ରହିଛି। କିନ୍ତୁ ବାଧକ ସାଜିଛି ଗରିବୀ। ଭଲ ଗୀତ ଗାଇପାରୁଥିଲେ ମଧ୍ୟ ଆଗକୁ ଯିବା ପାଇଁ ସୁବିଧା ସୁଯୋଗର ଅଭାବ ରହିଛି ।