ଚାର୍ଜସିଟ୍‌ରେ କଣ ଅଛି? ପରୀ ଦେହରେ କେମିକାଲ ବ୍ୟବହାର ହୋଇଥିଲା କି ନାହିଁ?

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ କୁନି ଝିଅ ପରୀ ଅପହରଣ ଓ ହତ୍ୟା ମାମଲାରେ ଦାଖଲ ହୋଇଛି ଚାର୍ଜସିଟ୍‌। ଆଜି ଏସ୍‌ଆଇଟି ପକ୍ଷରୁ ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ୩୮୨ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି। ଯେଉଁଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଚାର୍ଜସିଟ୍‌ରେ ଦର୍ଶାଯାଇଛି ଯେ, ପରୀ ମୃତଦେହରେ କୌଣସି କେମିକାଲ ବ୍ୟବହାର ହେବାର ପ୍ରମାଣ ମିଳିନି। ମୃତଦେହ ଠାବ ହେବା ବେଳକୁ ପଚି ନଷ୍ଟ ହେବା ସ୍ଥିତିକୁ ଆସିଥିଲା। […]

pari

Manoranjan Sial
  • Published: Tuesday, 16 February 2021
  • , Updated: 16 February 2021, 06:02 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ କୁନି ଝିଅ ପରୀ ଅପହରଣ ଓ ହତ୍ୟା ମାମଲାରେ ଦାଖଲ ହୋଇଛି ଚାର୍ଜସିଟ୍‌। ଆଜି ଏସ୍‌ଆଇଟି ପକ୍ଷରୁ ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ୩୮୨ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି। ଯେଉଁଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଚାର୍ଜସିଟ୍‌ରେ ଦର୍ଶାଯାଇଛି ଯେ, ପରୀ ମୃତଦେହରେ କୌଣସି କେମିକାଲ ବ୍ୟବହାର ହେବାର ପ୍ରମାଣ ମିଳିନି। ମୃତଦେହ ଠାବ ହେବା ବେଳକୁ ପଚି ନଷ୍ଟ ହେବା ସ୍ଥିତିକୁ ଆସିଥିଲା। ଏଭଳି ସ୍ଥିତିରେ ଶରୀରରୁ କୌଣସି ଅଙ୍ଗ ଯାଇଛି କି ନାହିଁ, ତାହା ସ୍ପଷ୍ଟ ଜଣାପଡୁନି। ମୃତ୍ୟୁ ପୂର୍ବରୁ ବା ମୃତ୍ୟୁ ପରେ କିଛି ଅଙ୍ଗ ଗାଏବ ନେଇ ନିର୍ଦ୍ଦିଷ୍ଟ ଭାବେ ଜଣାପଡୁନି। ପରୀର ସମସ୍ତ ହାଡ଼ ଓ ଖପୁରୀ ଠାବ ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି।

ତେବେ ଏସ୍‌ଆଇଟି ଦର୍ଶାଇଥିବା ଚାର୍ଜସିଟ୍‌ରେ ଆଦୌ ସନ୍ତୁଷ୍ଟ ନାହାନ୍ତି ପରୀଙ୍କ ବାପା-ମାଆ। ଏସ୍‌ଆଇଟିର ତଦନ୍ତ ଆରମ୍ଭରୁ ବାଟବଣା ବୋଲି କହି ଆସିଛନ୍ତି ପରୀଙ୍କ ବାପା ଅଶୋକ ସାହୁ।

ଅଭିଯୁକ୍ତଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ର କହିଛନ୍ତି-“ଅତି ତରବରିଆ ଭାବେ ଚାର୍ଜସିଟ୍‌ ଦାଖଲ ହୋଇଛି। ଏହା ପଛରେ ରାଜନୈତିକ କାରଣ ଥିଲା ଭଳି ଲାଗୁଛି। କାରଣ ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଅପିଲ୍‌ ହୋଇଥିଲା। ଆଉ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଥିଲେ। ତାହାର ସମୟ ସୀମା କମି ଆସୁଥିବାରୁ ଅତି ତରବରିଆ ଭାବେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟ ସରକାର କହିବାକୁ ଚାହୁଁଛନ୍ତି, ଆମେ ରିପୋର୍ଟ ଦାଖଲ କରିଦେଇଥିବାରୁ ସିବିଆଇ ତଦନ୍ତର ଆବଶ୍ୟକତା କଣ ରହିଛି? ସିବିଆଇ ତଦନ୍ତରୁ ବଞ୍ଚିବା ପାଇଁ ଏପରି ପଥ ଆପଣା ଯାଇଛି।”

୭ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରାଯାଉଥିଲା। ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱରରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେହି ସମୟରେ ବିଧାନସଭା ଚାଲିଥିବାରୁ ମାମଲାକୁ ନେଇ ଗୃହରେ ତମ୍ୱି ତୋଫାନ୍‌ ହୋଇଥିଲା। ଶେଷ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଆଇଟି ଏହି ମାମଲାର ତଦନ୍ତ କରି ଜଣେ ନାବାଳକକୁ ସାବାଳକ କହି ଗିରଫ କରିଥିଲା।

Related story