‘ପିସି’ କାରବାର ଉପରେ ଅଙ୍କୁଶ ନାହିଁ, ଚାଲିଛି ଭାବମୂର୍ତ୍ତି ସଜାଡ଼ିବା ଉଦ୍ୟମ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ ’ର ଡିଣ୍ଡିମ ପିଟି ଭାବମୂର୍ତ୍ତି ସଜାଡ଼ିବା ନିମନ୍ତେ ରାଜ୍ୟ ସରକାର ଆଜି ପୁଣି ୬ ଜଣ କର୍ମଚାରୀଙ୍କୁ ବରଖାସ୍ତ କରିବା ସହ ୪ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ବନ୍ଦ କରିଛନ୍ତି। ଚଳିତ ମାସରେ ମୋଟ ୨୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଦୁର୍ନୀତି ବିରୋଧୀ ନୀତି’ ଓ ‘ଫାଇଭ-ଟି’ ମନ୍ତ୍ରକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାର ଉଦ୍ୟମ ହେଉଛି। ମାତ୍ର […]

naveen1

Manoranjan Sial
  • Published: Saturday, 31 August 2019
  • , Updated: 31 August 2019, 09:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ ’ର ଡିଣ୍ଡିମ ପିଟି ଭାବମୂର୍ତ୍ତି ସଜାଡ଼ିବା ନିମନ୍ତେ ରାଜ୍ୟ ସରକାର ଆଜି ପୁଣି ୬ ଜଣ କର୍ମଚାରୀଙ୍କୁ ବରଖାସ୍ତ କରିବା ସହ ୪ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ବନ୍ଦ କରିଛନ୍ତି। ଚଳିତ ମାସରେ ମୋଟ ୨୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଦୁର୍ନୀତି ବିରୋଧୀ ନୀତି’ ଓ ‘ଫାଇଭ-ଟି’ ମନ୍ତ୍ରକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାର ଉଦ୍ୟମ ହେଉଛି। ମାତ୍ର ଏପଟେ ରାଜ୍ୟର ତଳଠୁ ଉପର ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଅଫିସରେ ‘ପିସି’ କାରବାର ବେଧଡ଼କ ଭାବେ ଚାଲିଛି। ଏପରିକି ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରରେ ବ୍ଲକଗୁଡ଼ିକରେ ‘ପିସି’ ପରିମାଣ ସର୍ବନିମ୍ନ ୧୦%ରୁ ବଢ଼ି ୧୨% ଛୁଇଁଲାଣି। ଏହି ‘ପିସି’ କାରବାର ଉପରେ କିନ୍ତୁ ସରକାରୀ ସ୍ତରରେ କଟକଣା ଲାଗି ପାରୁନି କିମ୍ବା ସେଭଳି କଠୋର ଆଭିମୁଖ୍ୟ ପୋଷଣ କରିବାରେ ନବୀନ ପଟ୍ଟନାୟକ ସରକାର ଏପର୍ଯ୍ୟନ୍ତ ସକ୍ଷମ ହୋଇପାରୁନାହାନ୍ତି।

ସୂଚନା ଅନୁସାରେ, ରାଜ୍ୟର ୩୧୪ଟି ବ୍ଲକ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ସରକାରୀ ସୁବିଧାସୁଯୋଗ ମିଳିଥାଏ । ରାସ୍ତାଘାଟ କାମଠୁ ଆରମ୍ଭ କରି ଭତ୍ତା ଓ ଘର ଆଦି ଏହି ବ୍ଲକଗୁଡ଼ିକ ମାଧ୍ୟମରେ ସମ୍ପନ୍ନ ହୋଇଥାଏ। କିନ୍ତୁ ବ୍ଲକଗୁଡ଼ିକରେ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟରେ ‘ପିସି’ ଆଦାୟ ହେବା ଏକ ବାଧ୍ୟତାମୂଳକ ଓ ଅପରିହାର୍ଯ୍ୟ ପ୍ରକ୍ରିୟା ପାଲଟିଛି। ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଚାଲିଥିଲେ ମଧ୍ୟ ଏହି ‘ପିସି’ ଉପରେ ନିୟନ୍ତ୍ରଣ ସମ୍ଭବପର ହୋଇପାରିନି।

ଓଲଟା ବ୍ଲକରେ ଏହି ‘ପିସି’ ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟର ଏଭଳି କୌଣସି ବ୍ଲକ୍ କିମ୍ବା ପୌରାଞ୍ଚଳ କାର୍ଯ୍ୟାଳୟ ନାହିଁ ଯେଉଁଠି ସରକାରୀ କାର୍ଯ୍ୟ ପାଇଁ ‘ପିସି’ କାରବାର ହୁଏନି। ଏକଥା ରାଜ୍ୟର ସବୁ ଦଳ ଓ ବର୍ଗର ନେତାଙ୍କ ସମେତ ଭିଜିଲାନ୍ସ ବିଭାଗଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ଜାଣେ। କିନ୍ତୁ ଏହି ‘ପିସି’ ଉପରେ ନିୟନ୍ତ୍ରଣ ସମ୍ଭବପର ହୋଇପାରିନି। କେବଳ ବ୍ଲକ ଅଫିସ୍ ନୁହେଁ ରାଜ୍ୟର ସମସ୍ତ ଲାଇନ୍ ବିଭାଗ ଯଥା- ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ଶକ୍ତି, ଜଳସମ୍ପଦ, ପଞ୍ଚାୟତିରାଜ ଆଦି ବିଭାଗରେ ଖୁଲମଖୁଲା ‘ପିସି’କାରବାର ହୋଇଥାଏ । ଇଞ୍ଜିନିୟରମାନଙ୍କ ଉପରେ ଏହି ‘ପିସି’ ଆଦାୟର ଦାୟିତ୍ୱ ନ୍ୟସ୍ତ ଥାଏ। ନିର୍ଦ୍ଦେଶକ, ସଚିବ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏହି ବ୍ୟବସ୍ଥା ସହ ପରୋକ୍ଷ ଭାବେ ବି ଜଡ଼ିତ। ଯେଉଁଥିପାଇଁ ପିସି କାରବାର ନିୟନ୍ତ୍ରଣ ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନି କିମ୍ବା ଏହାକୁ ସମ୍ପୂର୍ଣ୍ଣ ବନ୍ଦ ନିମନ୍ତେ ସରକାର ଆନ୍ତରିକତା ଦେଖାଇ ନାହାନ୍ତି। କେବଳ ଏହି ଲାଇନ୍ ବିଭାଗଗୁଡ଼ିକ ନୁହଁନ୍ତି ରାଜ୍ୟର ଅନ୍ୟ ବିଭାଗଗୁଡ଼ିକରେ ବି ଖୁଲମଖୁଲା ଆର୍ଥିକ ଅନିୟମିତତା ଚାଲିଛି। ତେଣୁ ଏ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଜିରୋ ଟଲେରାନ୍ସ ଓ ଫାଇଭ-ଟି’ କଥା କହିବାକୁ ସାଧାରଣ ଲୋକ ସହଜରେ ହଜମ କରିପାରୁନାହାନ୍ତି। ଯେଉଁ ୨୧ ଜଣ କର୍ମଚାରୀଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରାଯାଇଛି ସେମାନେ ସବୁ ତଳସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଦୁର୍ନୀତି ଅଭିଯୁକ୍ତ।

ଉପରସ୍ତରରେ ଖୁଲମଖୁଲା ଦୁର୍ନୀତି କରୁଥିବା ବରିଷ୍ଠ ଓଏଏସ୍ ଓ ଆଇଏଏସଙ୍କ ପାଖରେ ସରକାର ଏପର୍ଯ୍ୟନ୍ତ ବି ପହଂଚି ପାରିନାହାନ୍ତି। ଫାଇଭ-ଟି ( ଟିମୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ ଓ ଟାଇମ୍ ) ମାଧ୍ୟମରେ ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ ଲୋକଙ୍କ ନିକଟତର କରିବାକୁ ଯେତେ ପ୍ରୟାସ କରାଗଲେ ବି ଯଦି ତଳସ୍ତରରେ ଦୁର୍ନୀତିକୁ ରୋକା ନଯାଇଛି ତଥା କ୍ୟାନସର ଭଳି ବ୍ୟାପୁଥିବା ‘ପିସି’ କାରବାର ଉପରେ ଅଙ୍କୁଶ ନଲାଗିଛି ତା’ହେଲେ କର୍ମଚାରୀଙ୍କୁ ବରଖାସ୍ତ ଭଳି ନିଷ୍ପତ୍ତି କେବଳ ଲୋକଦେଖାଣିଆ ହୋଇ ରହିଯିବ।

Related story