୫ଟି ରୂପାନ୍ତରିକରଣ, ବ୍ଲାକବୋର୍ଡ ବଦଳରେ ଆଲମିରା

ବିନିକା(ଦିଲୀପ କୁମାର ସାହୁ): ଆଲମିରା ସାଜିଛି ବ୍ଲାକ୍ ବୋର୍ଡ। ଟେବୁଲ ସାଜିଛି ସିମେଣ୍ଟ ଚଟାଣ । ସ୍କୁଲ କାନ୍ଥ ପାର୍ଶ୍ୱ ସାଜିଛି ଶୌଚାଳୟ। ଶ୍ରେଣୀ ଗୃହ ଛାତରୁ ଖସୁଛି ସିମେଣ୍ଟ ପ୍ଲାଷ୍ଟର। ଏମିତି ଅବସ୍ଥା ହେଉଛି ଏକ ସ୍କୁଲ୍‌ର ଯାହାକୁ ମାତ୍ର ୪ ମାସ ତଳେ ସରକାର ସ୍ମାର୍ଟ ସ୍କୁଲ୍‌ ବୋଲି ଘୋଷଣା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ରହିଛି ବିନିକା ଉଚ୍ଚ ବିଦ୍ୟାଳୟ। ଏହି ସ୍କୁଲରେ ୯ମ ଓ ୧୦ମ ଶ୍ରେଣୀର ୧୧୧ ଜଣ […]

School

  • Published: Monday, 12 September 2022
  • , Updated: 12 September 2022, 10:26 PM IST

ବିନିକା(ଦିଲୀପ କୁମାର ସାହୁ): ଆଲମିରା ସାଜିଛି ବ୍ଲାକ୍ ବୋର୍ଡ। ଟେବୁଲ ସାଜିଛି ସିମେଣ୍ଟ ଚଟାଣ । ସ୍କୁଲ କାନ୍ଥ ପାର୍ଶ୍ୱ ସାଜିଛି ଶୌଚାଳୟ। ଶ୍ରେଣୀ ଗୃହ ଛାତରୁ ଖସୁଛି ସିମେଣ୍ଟ ପ୍ଲାଷ୍ଟର। ଏମିତି ଅବସ୍ଥା ହେଉଛି ଏକ ସ୍କୁଲ୍‌ର ଯାହାକୁ ମାତ୍ର ୪ ମାସ ତଳେ ସରକାର ସ୍ମାର୍ଟ ସ୍କୁଲ୍‌ ବୋଲି ଘୋଷଣା କରିଥିଲେ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ରହିଛି ବିନିକା ଉଚ୍ଚ ବିଦ୍ୟାଳୟ। ଏହି ସ୍କୁଲରେ ୯ମ ଓ ୧୦ମ ଶ୍ରେଣୀର ୧୧୧ ଜଣ ପିଲା ପାଠପଢ଼ନ୍ତି। ଏଠାରେ କେବଳ ବାଳକମାନେ ପଢ଼ନ୍ତି। ୪ ମାସ ତଳେ ଏହି ସ୍କୁଲକୁ ରୂପାନ୍ତରିକରଣ କରାଯାଇଥିବା ଦର୍ଶାଇ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଅଜବ କଥା, ଏ ପର୍ଯ୍ୟନ୍ତ ସ୍କୁଲରେ ଅନେକ ନିର୍ମାଣ କାମ ସରିନି।

ସ୍କୁଲର ୯ମ ଶ୍ରେଣୀର ଛାତ୍ରମାନେ ତଳେ ବସି ପଢୁଛନ୍ତି। ଷ୍ଟିଲ୍ ଆଲମିରା ସେମାନଙ୍କ ପାଇଁ ସାଜିଛି କଳାପଟା। ଶିକ୍ଷକ, ଶିକ୍ଷୟିତ୍ରୀ ଏହି ଆଲମିରାକୁ ବ୍ଲାକବୋର୍ଡ ଭାବେ ବ୍ୟବହାର କରି ପିଲାଙ୍କୁ ପଢ଼ାଉଛନ୍ତି। ରାଜ୍ୟ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟର ଏଭଳି ଅବସ୍ଥା ଦେଖି ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ପର୍ଯ୍ୟନ୍ତ ସମସ୍ତେ ସମାଲୋଚନା କରୁଛନ୍ତି।

ଏଭଳି ଅବ୍ୟବସ୍ଥାରେ ପାଠପଢ଼ା ଚାଲିବା ଦିନେ କିମ୍ବା ଦୁଇ ଦିନର ଦୃଶ୍ୟ ନୁହେଁ। ମାସମାସ ଧରି ଏଠାରେ ଏମିତି ପାଠପଢ଼ା ଚାଲିଛି। ଏହା ବିଷୟରେ ବିଇଓ ଓ ଅନ୍ୟ ଉଚ୍ଚ ପଦସ୍ତ ଅଧିକାରୀଙ୍କ ପାଖରେ ମଧ୍ୟ ସୂଚନା ନାହିଁ। ତେଣୁ ଶିକ୍ଷା ଅଧିକାରୀମାନଙ୍କ କାର୍ଯ୍ୟ କରିବା ଶୈଳୀକୁ ବି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

[caption id="attachment_765912" align="aligncenter" width="650"] ସ୍କୁଲ ପରିସରରେ ଗଦା ହୋଇ ନଷ୍ଟ ହେଉଥିବା ଚେୟାର, ଟେବୁଲ। ଛାତରୁ ପ୍ଲାଷ୍ଟର ଖସି ପଡ଼ିଛି।[/caption]

ନବମ ଶ୍ରେଣୀ ଛାତ୍ର ଅମିତ କୁମାର ମେହେର କହିଛନ୍ତି ଯେ, ସେମାନେ ଯେଉଁ ଶ୍ରେଣୀ ଗୃହରେ ବସି ପୂର୍ବରୁ ପାଠପଢ଼ୁଥିଲେ, ସେଠାରେ ଛାତରୁ ପ୍ଲାଷ୍ଟର ଖସୁଛି। ଛାତ ଉପରେ ପାଣି ଜମା ହୋଇ ରହୁଥିବାରୁ ଏମିତି ହେଉଛି। ତେଣୁ ଅନ୍ୟ ଏକ ଶ୍ରେଣୀ ଗୃହରେ ସେମାନଙ୍କ ପାଠପଢ଼ା ଚାଲିଛି। ସେହି ଶ୍ରେଣୀ ଗୃହରେ ଚେୟାର ଟେବୁଲ ନାହିଁ। ସ୍ମାର୍ଟ ବ୍ଲାକବୋର୍ଡ ମଧ୍ୟ ନାହିଁ। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ଷ୍ଟିଲ୍ ଆଲମିରାକୁ ବ୍ଲାକ ବୋର୍ଡ ଭାବେ ବ୍ୟବହାର କରୁଛନ୍ତି।

ସେ ଆହୁରି କହିଛନ୍ତି, ସ୍କୁଲ୍‌ରେ ପାଇଖାନା ନିର୍ମାଣାଧୀନ ରହିଛି। ତେଣୁ ଛାତ୍ରମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ବାଧ୍ୟ ହୋଇ ପିଲାମାନେ ଏଣେତେଣେ ପରିସ୍ରା କରୁଛନ୍ତି।  ସରକାର ତୁରନ୍ତ ସ୍କୁଲରେ ଚାଲିଥିବା ନିର୍ମାଣ କାମ ଶେଷ କଲେ ଆମ ପାଠପଢ଼ା ସ୍ୱାଭାବିକ ହୋଇପାରନ୍ତା। ଦଶମ ଶ୍ରେଣୀର ପିଲାମାନେ ଟେବୁଲ ଉପରେ ପାଠ ପଢୁଥିବା ବେଳେ ନବମ ଶ୍ରେଣୀର ପିଲାମାନେ ତଳେ ବସି ପାଠ ପଢୁଛନ୍ତି ଅମିତ କହିଛନ୍ତି।

ଅନ୍ୟପଟେ ଏହି ସ୍ମାର୍ଟ ସ୍କୁଲ ଭିତରେ ଚେୟାର, ଟେବୁଲ ଓ ଆଲମିରା ପ୍ରଭୃତି ପଡି ଖତ ଖାଉଛି। ସ୍କୁଲର ସୌନ୍ଦର୍ଯ୍ୟକରଣ ନଷ୍ଟ ହୋଇ ପଡ଼ିଛି। ସ୍କୁଲ୍ ପରିସରଟି ଅନାବନା ବୁଦାରେ ପୂରିଛି।

[caption id="attachment_765918" align="aligncenter" width="650"] ବିନିକା ଉଚ୍ଚ ବିଦ୍ୟାଳୟ।[/caption]

ଏନେଇ ବିନିକା ଭାରପ୍ରାପ୍ତ ବିଇଓ ଗଣେଶ କିସାନ କହିଛନ୍ତି, କାମ ଚାଲିଥିବା ସମ୍ପର୍କରେ ସେ ଜାଣିଛନ୍ତି। ତେବେ ପିଲାମାନେ ଏଭଳି ଅବ୍ୟବସ୍ଥାରେ ପାଠପଢ଼ୁଥିବା ଜାଣିନାହାନ୍ତି। ଏହାର ଯାଞ୍ଚ କରି ଉଚିତ୍ ପଦକ୍ଷେପ ନେବେ।

ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ଭିତ୍ତିଭୂମି ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରିଛନ୍ତି ବୋଲି କହିଛନ୍ତି।  ସ୍କୁଲ ଗେଟ୍‌ରେ ଏହାର ବ୍ୟାପକ ପ୍ରଚାର ବ୍ୟବସ୍ଥା କରାଯାଇଛି। ୫ଟି ସଂଜ୍ଞା ନିରୂପଣ କରାଯାଇଛି। ହେଲେ ତାଜୁବର କଥା ସ୍କୁଲ କାମ ସରି ନ ଥିଲେ ହେଁ ମୁଖ୍ୟମନ୍ତ୍ରୀ ବାହାବା ନେବାପାଇଁ ତରବରିଆ ଭାବେ ରୂପାନ୍ତରିକରଣ କାମ ସରିଥିବା ଦର୍ଶାଇ ଉଦ୍‌ଘାଟନ କାମ ସାରି ଦେଇଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ଏହା କେଉଁ ପ୍ରକାର ଡ୍ରିମ ପ୍ରୋଜେକ୍ଟ କାମ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

https://youtu.be/IDvHdLt57H0

Related story