ବିଶ୍ୱ ତାଇକୋଣ୍ଡୋ ଚମ୍ପିଆନସିପ୍‌ରେ ସୁବର୍ଣ୍ଣପୁରର ଏହେସାସ୍

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଅଦମ୍ୟ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସବୁକିଛି ହାସଲ କରିବା ସମ୍ଭବ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଏହେସାସ୍ ହୋତା। ସବୁବେଳେ କିଛି ନୂଆ କରି ଦେଖାଇବା ନିଶାରେ ଚର୍ଚ୍ଚାରେ ରହି ଆସିଥିବା ଏହେସାସ୍, ଏବେ ବିଶ୍ୱ ତାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ମନୋନୀତ ହୋଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମେ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ନେପାଳର ରୁପାନଡେହିଠାରେ ହେବାକୁ ଥିବା ବିଶ୍ୱ ତାଇକୋଣ୍ଡୋ ପ୍ରତିଯୋଗିତା-୨୦୧୮ରେ ଏହେସାସ ଭାଗନେବେ। […]

Sonepur

Ordigital Desk
  • Published: Thursday, 17 May 2018
  • , Updated: 17 May 2018, 08:18 PM IST

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଅଦମ୍ୟ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସବୁକିଛି ହାସଲ କରିବା ସମ୍ଭବ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଏହେସାସ୍ ହୋତା। ସବୁବେଳେ କିଛି ନୂଆ କରି ଦେଖାଇବା ନିଶାରେ ଚର୍ଚ୍ଚାରେ ରହି ଆସିଥିବା ଏହେସାସ୍, ଏବେ ବିଶ୍ୱ ତାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ମନୋନୀତ ହୋଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ମେ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ନେପାଳର ରୁପାନଡେହିଠାରେ ହେବାକୁ ଥିବା ବିଶ୍ୱ ତାଇକୋଣ୍ଡୋ ପ୍ରତିଯୋଗିତା-୨୦୧୮ରେ ଏହେସାସ ଭାଗନେବେ। ଏହି ପ୍ରତିଯୋଗିତାରେ ଭାରତର ୬୦ ଜଣ ଖେଳାଳୀ ଓ ୨ ଜଣ କୋଚ୍ ଯୋଗଦେବେ। ଓଡ଼ିଶାରୁ ଏକମାତ୍ର ଖେଳାଳୀ ଭାବେ ସିନିଅର ୫୪ କେଜି ବର୍ଗରେ ଏହେସାସ୍ ଭାଗନେବେ। ଗତ ଡିସେମ୍ୱର ମାସରେ ଛତିଶଗଡ଼ର ବିଳାସପୁରଠାର ଅନୁଷ୍ଠିତ ସର୍ବଭାରତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଏହେସାସ୍ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଏହି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ।

ପୂର୍ବରୁ ଜାତୀୟ ତାଇକୋଣ୍ଡୋ, ଜାତୀୟ କରାଟେ, ବକ୍ସିଂ, ଜାତୀୟ ବିଜ୍ଞାନମେଳା, ଜାତୀୟ ବକ୍ତୃତା ଏବଂ ଦୌଡ଼କୁଦ ଭଳି ପ୍ରତିଯୋଗିତାରେ ସଫଳତା ଅର୍ଜନ କରିସାରିଛନ୍ତି ଏହେସାସ୍। ପିଲାଟି ଦିନରୁ ଚିତାକର୍ଷକ ମ୍ୟାଜିକ ପ୍ରଦର୍ଶନ କରି କୁନି ମେଜିସିଆନ ଭାବରେ ନିଜ ଅଂଚଳରେ ସେ ଜଣାଶୁଣା। ଏବେ ସେ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରି ତାଙ୍କ ସଫଳତା ତାଲିକାରେ ଆଉଏକ ଫର୍ଦ୍ଦ ଯୋଡ଼ିଛନ୍ତି।

ପ୍ରତିଯୋଗିତାରେ ଯୋଗଦେବା ପାଇଁ ଏହେସାସ୍ ଗତ ମଂଗଳବାର ନେପାଳ ଯାତ୍ରା କରିଛନ୍ତି। ତାଙ୍କର ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପାଳ ଦାଶରଥି ଶତପଥି, ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ, ରାଜ୍ୟ ତାଇକୋଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ, ବୀରମହାରାଜପୁର ଓକିଲ ସଂଘ ତଥା ଉପଖଣ୍ଡ ସାଂବାଦିକ ସଂଘର ସଭାପତି ସ୍ୱୟମ୍ଭୁନାଥ ଖଣ୍ଡଗିଗି, ବରିଷ୍ଠ ସାଂବାଦିକ ଯୁଗଳ କିଶୋର ମିଶ୍ର, ରାଧାକାନ୍ତ ବାଘ, ଶେଷଦେବ ବାରିକ, ବିଧାୟକ ପ୍ରତିନିଧି ନାରାୟଣ ଲୁହା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଂଜିତ ରଥ ଓ ସରପଂଚ ସଂଘ ସଭାପତି ସରୋଜ ବାରିକଙ୍କ ସମେତ ବନ୍ଧୁ ଓ ପରିବାର ବର୍ଗ ଶୁଭେଚ୍ଛା ଜଣାଇଛନ୍ତି।

Related story