ଭୁବନେଶ୍ୱର(ଓଡ଼ିଶାରିପୋର୍ଟର): କିଛି ଦିନ ପୂର୍ବେ ବିଜେଡିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ବିଦେଶୀ ଶକ୍ତି ରାଜ୍ୟକୁ ଲୁଣ୍ଠନ କରିବାକୁ ମସୁଧା ଚଳାଇଥିବା କହି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପରାମର୍ଶଦାତା ଗୋଷ୍ଠୀଙ୍କୁ ଟାର୍ଗେଟ କରିଛନ୍ତି। ଗତ କିଛି ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉ ନ ଥିବାରୁ ଏହା ପଛରେ ସେମାନଙ୍କ କେଉଁ ଉଦ୍ଦେଶ୍ୟ ଲୁଚି ରହିଛି ବୋଲି ପଚାରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।
ଭୁବନେଶ୍ୱର ଜୟଦେବ ଭବନରେ ଜନନେତା ହରିଶ୍ଟନ୍ଦ୍ର ବକ୍ସିପାତ୍ରଙ୍କ ୮୯ ତମ ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି, ପ୍ରାୟ ୩,୪ ବର୍ଷ ହେବ ଆମ ରାଜ୍ୟର କୌଣସି କଲେଜରେ ଛାତ୍ର ନିର୍ବାଚନ ହେଉନି। କେଉଁ ବିଚାର ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି, ସେ ସମ୍ପର୍କରେ ମୁଁ ଅଗୋଚର । କିନ୍ତୁ ଏହାର ପରିଣାମ ଭୋଗିବାକୁ ଆମେ ସମସ୍ତେ ପ୍ରସ୍ତୁତ ହେବା ଦରକାର ।
ଏଥିସହ ସେ କହିଛନ୍ତି ଆଜି ଛାତ୍ର ନେତାଟିଏ ସିଧା ଛିଡ଼ା ହୋଇ ୨ ପଦ କହିବାକୁ ସମର୍ଥ ହୋଇପାରୁ ନାହିଁ। ତେଣୁ ଛାତ୍ର ଜୀବନରେ ଛାତ୍ର ରାଜନୀତି କଲେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନେତୃତ୍ୱ ତିଆରି ହେବାକୁ ଏକ ସୁଯୋଗ ସୃଷ୍ଟି ହୁଏ । ହେଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତା ଗୋଷ୍ଠି କେଉଁ କାରଣରୁ ଛାତ୍ର ରାଜନୀତିରେ ଏପରି ପୂର୍ଣ୍ଣଛେଦ ଟାଣୁଛନ୍ତି ତାକୁ ପୁନଃବିଚାର କରିବା ଆବଶ୍ୟକ ।
କିଛି ଦିନ ପୂର୍ବେ ସଞ୍ଜୟ ଦାସବର୍ମାଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ସୌମ୍ୟଙ୍କ ମନ୍ତବ୍ୟ ସରକାରୀ ଦଳରେ କମ୍ପନ ସୃଷ୍ଟି କରିଛି।