ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପରିମଳ କର୍ମଚାରୀମାନଙ୍କ ନିରାପତ୍ତା ଓ ସମ୍ମାନ ପାଇଁ ରାଜ୍ୟ ସରକାର ‘ଗରିମା’ ନାଁରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରାଥମିକ ଭାବେ ୫୦କୋଟି ଟଙ୍କାର କର୍ପସ ପାଣ୍ଠି ସମେତ ସଫେଇ କର୍ମଚାରୀଙ୍କ ନିମନ୍ତେ ରାଜ୍ୟ କମିଶନ ଗଠନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ରାଜ୍ୟର ସମସ୍ତ ୧୧୪ଟି ପୌରସଂସ୍ଥାର ୨୦ହଜାର ସଫେଇ କର୍ମଚାରୀଙ୍କ ସମେତ ସେମାନଙ୍କର ୧ଲକ୍ଷ ପରିବାର ସଦସ୍ୟ ଉପକୃତ ହେବେ। ଆଗକୁ ପୌର ନିର୍ବାଚନ ଥିବାବେଳେ ପରିମଳ କର୍ମଚାରୀମାନଙ୍କୁ ନିଜଆଡ଼କୁ ଆକୃଷ୍ଟ କରିବା ନିମନ୍ତେ ବିଜେଡି ସରକାର ଏହି ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବା ଚର୍ଚ୍ଚା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରି କହିଛନ୍ତି ଯେ, ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ‘ଗରିମା’ ଯୋଜନା ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି। ସେପଟିକ୍ ଟାଙ୍କି ଓ ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରୁ ମଇଳା କାଢ଼ୁଥିବା ସଫେଇ କର୍ମଚାରୀମାନେ ଏହି ଯୋଜନା ଦ୍ୱାରା ଉପକୃତ ହେବେ। ଏହି ଯୋଜନା ରାଜ୍ୟର ସମସ୍ତ ପୌରସଂସ୍ଥାରେ କାର୍ଯ୍ୟକାରୀ ହେବ। ସଫେଇ କର୍ମଚାରୀମାନଙ୍କ ବିପଦପୂର୍ଣ୍ଣ କାମକୁ ସମ୍ମାନ ଜଣାଇ ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଭତ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ଗୃହନିର୍ମାଣ, ଜୀବନବୀମା, ଦୁଇଚକିଆ ଗାଡ଼ି କ୍ରୟ ନିମନ୍ତେ ୯୦% ଅନୁଦାନ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ, ପିଲାଙ୍କ ଉଚ୍ଚଶିକ୍ଷା ନିମନ୍ତେ ସହାୟତା ଯୋଗାଇ ଦିଆଯିବ। ସେମାନଙ୍କୁ ଇଏସଆଇ, ଇପିଏଫ ଓ ପାରିବାରିକ ପେନସନ୍ ମଧ୍ୟ ପ୍ରଦାନ ଦିଗରେ ଏହି ଯୋଜନା କାର୍ଯ୍ୟ କରିବ।
ଏହି ଅବସରରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯେଉଁଠି ପରିମଳ କର୍ମଚାରୀଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଗରିମା ଯୋଜନାକୁ ଆଗେଇ ନେବା ପାଇଁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଓ ଅହମ୍ମଦାବାଦର ଅର୍ବାନ ମ୍ୟାନେଜମେଣ୍ଟ ସେଣ୍ଟର ମଧ୍ୟରେ ବୈଷୟିକ ସହଯୋଗ ନିମନ୍ତେ ଏମଓୟୁ ସ୍ୱାକ୍ଷରିତ ହୋଇଛି।
ରାଜ୍ୟସ୍ତରୀୟ ସର୍ବେକ୍ଷଣ ମାଧ୍ୟମରେ ମୂଳ ପରିମଳ କର୍ମଚାରୀମାନଙ୍କୁ ଚିହ୍ନଟ ଓ ପଞ୍ଜିକରଣ କରାଯାଇ ସେବା ପ୍ରଦାନକାରୀଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ ଆବଶ୍ୟକ ମେସିନ ଯୋଗାଣକୁ ସୁନିଶ୍ଚିତ କରାଯିବ। ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ବ୍ୟବସ୍ଥା ହେବ। ଏହାବ୍ୟତିତ ସ୍ୱତନ୍ତ୍ର ବର୍ଗ ବେତନ ପ୍ରବର୍ତ୍ତନ , ବିପଦପୂର୍ଣ୍ଣ କାର୍ଯ୍ୟପାଇଁ ସ୍ୱତନ୍ତ୍ର ଭତ୍ତାର ପ୍ରବର୍ତ୍ତନ , ଆଘାତ କିମ୍ବା ଦୁର୍ଘଟଣାଜନିତ ପରିସ୍ଥିତିରେ ପରିବାରକୁ ଆର୍ଥିକ ସହାୟତା , ଗୃହ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା , ଦୁଇଚକିଆ ଯାନ କ୍ରୟ ନିମନ୍ତେ ପ୍ରକୃତ ମୂଲ୍ୟର ୯୦ ପ୍ରତିଶତ ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯିବ। ଇପିଏଫ୍ , ଅବସରକାଳୀନ ସୁବିଧା , ସ୍ୱାସ୍ଥ୍ୟ ଯାଂଚ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥାନନ୍ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ସଚିବଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।