‘ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ରୋକିବାକୁ ହେବ ସ୍ୱତନ୍ତ୍ର ରଣନୀତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ପରିସ୍ଥିତି ଜାତୀୟସ୍ତରଠୁ ଭଲରେ ଥିଲେ ମଧ୍ୟ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ଦୁଇ ଜିଲ୍ଲା ନିମନ୍ତେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର କୋଭିଡ୍ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମୌସୁମୀ […]

naveen1

Manoranjan Sial
  • Published: Thursday, 03 September 2020
  • , Updated: 03 September 2020, 09:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ପରିସ୍ଥିତି ଜାତୀୟସ୍ତରଠୁ ଭଲରେ ଥିଲେ ମଧ୍ୟ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ଦୁଇ ଜିଲ୍ଲା ନିମନ୍ତେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର କୋଭିଡ୍ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମୌସୁମୀ ବନ୍ୟା, ବନ୍ୟା ଓ ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ ସ୍ୱତନ୍ତ୍ର କୋଭିଡ୍ ରଣନୀତିକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି। ବର୍ଷାଋତୁରେ ସର୍ଦ୍ଦି ଓ କାଶର ସମ୍ଭାବନା ଅଧିକ ଥିବାରୁ ଏସବୁ ଲକ୍ଷଣ ଉପରେ ତୀକ୍ଷ୍ଣ ନଜର ରଖିବା ଜରୁରୀ ହୋଇପଡ଼ିଛି। ଉଭୟ ସରକାରୀ ଓ ବେସରକାରୀସ୍ତରର ଫିଭର କ୍ଲିନିକଗୁଡ଼ିକୁ ଆଲର୍ଟରେ ରଖିବାକୁ ସେ ପରାମର୍ଶ ଦେବା ସହ ଲୋକଙ୍କ ସଚେତନ କରାଇବା ନିମନ୍ତେ ସରକାରୀସ୍ତରରେ ବ୍ୟାପକ ସଚେତନତା ଅଭିଯାନ ତୁରନ୍ତ ଆରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର କୋଭିଡ୍ ରୋଗୀମାନଙ୍କ ପାଇଁ ଜିଲ୍ଲା ଭିତରେ ଥିବା ହସ୍ପିଟାଲଗୁଡ଼ିକରେ ଆଇସିୟୁ ବେଡର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଆଇସିୟୁ ସୁବିଧା ଗୁରୁତର ରୋଗୀମାନେ ଯେଭଳି ପାଇବେ ସେଥିପ୍ରତି ନଜର ଦେବାକୁ କହିଛନ୍ତି।

କଟକ ଓ ଭୁବନେଶ୍ୱରରେ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସଂକ୍ରମଣ ମାମଲା ବଢ଼ୁଥିବାରୁ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାସ୍କ ଓ ସାମାଜିକ ଦୂରତ୍ୱ ନିୟମରେ ଯେପରି କୌଣସି ଅବହେଳା ନହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ରାଜ୍ୟରେ ଏବେସୁଦ୍ଧା ୨୦ଲକ୍ଷ ଲୋକଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ପ୍ରତି ୧୦ଲକ୍ଷ ଲୋକରେ ଏହା ୪୨,୪୦୪ ଯାହାକି ଜାତୀୟସ୍ତରଠୁ ବହୁତ ଅଧିକ। ଆରୋଗ୍ୟହାର ମଧ୍ୟ ୭୬.୭୮ ପ୍ରତିଶତରୁ ରହିଛି ଓ ମୃତ୍ୟୁହାର ୦.୪୬ପ୍ରତିଶତ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ବୈଠକରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଥିଲେ ଯେ,ରାଜ୍ୟରେ ଲକଡାଉନ୍ ଓ ଶଟଡାଉନ୍ ପରିଚାଳନା ସମ୍ପୂର୍ଣ୍ଣ ସଫଳ ହୋଇଛି। କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ୍ ରଣନୀତିକୁ ସୁଦୃଢ଼ କରାଯାଉଛି।

ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୭୫୧୪କୋଟି ଟଙ୍କାର ୨୦୦ଟି ନୂଆ ପ୍ରକଳ୍ପକୁ ଅନୁମୋଦିତ କରାଯାଇଛି। ଏଥିରେ ୧୩ହଜାର କର୍ମନିଯୁକ୍ତିର ସମ୍ଭାବନା ରହିଛି । ସେହିପରି ଶିଳ୍ପ ଉତ୍ପାଦନ ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇ ସାରିଛି। ବିଦ୍ୟୁତ ଉପଯୋଗ, କାର୍ଗୋ ପରିଚାଳନା, ସବୁ କ୍ଷେତ୍ରରେ ଉନ୍ନତି ଆସିଛି। ଏମଏସଏମଇ କ୍ଷେତ୍ରରେ ସେପ୍ଟେମ୍ବର ସୁଦ୍ଧା ଦେଢ଼ ଲକ୍ଷରୁ ଅଧିକ ୟୁନିଟକୁ ପାଖାପାଖି ୩ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି।

Related story