ଯୁବତୀ ରାଜାଙ୍କ ରାଜକୀୟ ଠାଣି, ରଥରେ କଲେ ଛେରା ପହଁରା

ଆସିକା(ମନୋଜ ମୁନି): ଯୁବତୀ ରାଜାଙ୍କ ରାଜକୀୟ ଠାଣି । ରାଜନୀତିର ପଦବୀ ସହ ସମ୍ଭାଳୁଛନ୍ତି ଦେବନୀତି । ମନ୍ତ୍ରୀ, କଟୁଆଳ, ସେନାପତି ଓ ପାରିଷଦ ବର୍ଗଙ୍କ ସହ ରୁପା ତାମଞ୍ଜିନ ( ପାଲିଙ୍କି )ରେ ଯାଇ ରଥ ଉପରେ ଠାକୁରଙ୍କ ପୂଜା ଅର୍ଚ୍ଚନା କରିବା ସହ ଛେରା ପହଁରା ବି କରୁଛନ୍ତି। ସବୁଠାରେ ରଥରେ ରାଜା ଛେରା ପହଁରା କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଧରାକୋଟ ଗଡର ଚିତ୍ର କିନ୍ତୁ ଭିନ୍ନ । ଏଠାରେ କୌଣସି ପୁରୁଷ […]

raja

Niharika Rout
  • Published: Monday, 11 July 2022
  • , Updated: 11 July 2022, 02:36 PM IST

ଆସିକା(ମନୋଜ ମୁନି): ଯୁବତୀ ରାଜାଙ୍କ ରାଜକୀୟ ଠାଣି । ରାଜନୀତିର ପଦବୀ ସହ ସମ୍ଭାଳୁଛନ୍ତି ଦେବନୀତି । ମନ୍ତ୍ରୀ, କଟୁଆଳ, ସେନାପତି ଓ ପାରିଷଦ ବର୍ଗଙ୍କ ସହ ରୁପା ତାମଞ୍ଜିନ ( ପାଲିଙ୍କି )ରେ ଯାଇ ରଥ ଉପରେ ଠାକୁରଙ୍କ ପୂଜା ଅର୍ଚ୍ଚନା କରିବା ସହ ଛେରା ପହଁରା ବି କରୁଛନ୍ତି। ସବୁଠାରେ ରଥରେ ରାଜା ଛେରା ପହଁରା କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଧରାକୋଟ ଗଡର ଚିତ୍ର କିନ୍ତୁ ଭିନ୍ନ । ଏଠାରେ କୌଣସି ପୁରୁଷ ରାଜା ନୁହନ୍ତି ବରଂ ରାଜା ବେଶରେ ଯୁବତୀ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ତୁଲାଇଥାନ୍ତି ସମସ୍ତ ଦେବନୀତି।

ଏଥିନିମନ୍ତେ ଗଞ୍ଜାମ ଜିଲ୍ଲାର  ୧୪ ଗୋଟି ଗଡଜାତ ମଧ୍ୟରୁ ଧରାକୋଟ ଗଡର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ । ଏଠାରେ ରଥ ଯାତ୍ରା ପରଦିନ ରଥ ଟଣା ହୋଇ ମାଉସୀ ମା’ ମନ୍ଦିରକୁ ଯାଇଥାଏ।  ବାହୁଡା ବାସି ଦିନ ତଥା ଏକାଦଶୀ ତିଥିରେ ଏଠାରେ ଅନୁଷ୍ଠିତ ହୋଇଥାଏ ବାହୁଡ଼ା ଯାତ୍ରା।  ଏପରି ନିଆରା ପରମ୍ପରା ଦେଖିବା ସହ ନିଜ ପ୍ରିୟ ରାଜାଙ୍କ ଦର୍ଶନ ପାଇଁ ୧୪ କୋଷରୁ ଧାଇଁ ଆସନ୍ତି ଗଡକୁ ଲୋକେ।

ରାଜା କିଶୋର ଚନ୍ଦ୍ର ସିଂ ଦେଓଙ୍କର କୌଣସି ପୁତ୍ର ସନ୍ତାନ ନ ଥିବା ବେଳେ କେବଳ ଦୁଇ ଝିଅ ଅଛନ୍ତି। ତେଣୁ ପିତାଙ୍କ ଦେହାନ୍ତ ପରେ ବଡ଼ଝିଅ ସୁଲକ୍ଷଣା ଗୀତାଞ୍ଜଳି ମାତ୍ର ୧୪ ବର୍ଷ ବୟସରୁ ରାଜ୍ୟାଭିଷେକ ହୋଇ ଦେବନୀତି ତୁଲାଇ ଆସୁଛନ୍ତି । ଧରାକୋଟ ଗଡ଼ରେ ଆଦ୍ୟସେବକ ଭାବେ ଗୀତାଞ୍ଜଳି ଦେବୀଙ୍କ ଠାକୁର ସେବାକାର୍ଯ୍ୟ ଭିନ୍ନ ଓ ସ୍ୱତନ୍ତ୍ର ଅଟେ। ଖାସ କରି ରଥଯାତ୍ରା ଓ ବାହୁଡ଼ା ବେଳେ  ରାଜକୀୟ ଠାଣି ଓ ପରିପାଟୀରେ ପାଲିଙ୍କିରେ ଯାଇ ରଥ ଉପରେ ଠାକୁରଙ୍କ ଛେରା ପହଁରା କରିଥାନ୍ତି ସେ। ଅଞ୍ଚଳର ହଜାର ହଜାର ଲୋକ ନିଜ ପ୍ରିୟ ରାଜାଙ୍କୁ ଦେଖିବା ପାଇଁ ରୁଣ୍ଡ ହୁଅନ୍ତି । କରୋନାର ୨ ବର୍ଷ ପରେ ରଥଯାତ୍ରା ହେଉଥିବାରୁ ଗହଳି ଚହଳି ଜମିବା ସହ ଅସ୍ଥାୟୀ ବଜାର ବସିଥିଲା ।

ବାପା, ଜେଜେବାପା ଯେମିତି ଜଗନ୍ନାଥ ଆଦ୍ୟସେବକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ, ତାଙ୍କ ପ୍ରକାରାନ୍ତେ ସୌଭାଗ୍ୟବଶତଃ ମୋତେ ଏହି ଦାୟିତ୍ୱ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ସୁଲକ୍ଷଣା । ଛାତ୍ର ଜୀବନ ବେଳେ ମାତ୍ର ୧୪ ବର୍ଷରୁ ରାଜଦାୟିତ୍ୱ ତୁଲାଇ ଯୁବା ବୟସରେ ରାଜନୀତିରେ ପାଦ ଥାପିଥିବା ସୁଲକ୍ଷଣା ଦେବୀ ଏବେ ଧରାକୋଟ ବ୍ଲକ ଅଧ୍ୟକ୍ଷା ଅଛନ୍ତି।  ତଥାପି ଏ ଦେବନୀତି ତାଙ୍କ ପାଇଁ ସୌଭାଗ୍ୟ ବୋଲି ମନେକରି ଆଗକୁ ଏହି ଦାୟିତ୍ୱ ସୁଚାର ରୂପେ ତୁଲାଇବାର ସଂକଳ୍ପ ନେଇଛନ୍ତି ।

https://youtu.be/Q2PKQeZqJGE

 

Related story