ହିଟୱେଭ୍‌: ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ଦୁଇଦିନ ଧରି ଖରାର ପ୍ରକୋପ ବୃଦ୍ଧି ପାଇବାପରେ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ହିଟୱେଭ୍ ପାଇଁ ସତର୍କ କରାଇବା ସହ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ହିଟୱେଭ ଓ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ ଏକ ଏସଓପି ମଧ୍ୟ ଜାରି କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସମସ୍ତ ଜିଳ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ଏବେ ଗ୍ରୀଷ୍ମ ଋତୁ […]

heat

Ordigital Desk
  • Published: Wednesday, 24 February 2021
  • , Updated: 24 February 2021, 10:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ଦୁଇଦିନ ଧରି ଖରାର ପ୍ରକୋପ ବୃଦ୍ଧି ପାଇବାପରେ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ହିଟୱେଭ୍ ପାଇଁ ସତର୍କ କରାଇବା ସହ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ହିଟୱେଭ ଓ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ ଏକ ଏସଓପି ମଧ୍ୟ ଜାରି କରିଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସମସ୍ତ ଜିଳ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ଏବେ ଗ୍ରୀଷ୍ମ ଋତୁ ପାଖେଇ ଆସୁଥିବାବେଳେ ସମ୍ଭାବ୍ୟ ହିଟୱେଭ୍ ସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ହିଟୱେଭଜନିତ ଅସୁସ୍ଥତାକୁ ଏଡ଼ାଇବା ପାଇଁ ପରାମର୍ଶ ଦିଆଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ନାଗରିକ ସଂଗଠନକୁ ସାମିଲ କରିବାକୁ କୁହାଯାଇଛି। ଯେଉଁସବୁ ଅଂଚଳରେ ପାନୀୟ ଜଳ ସମସ୍ୟା ରହିଛି ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାଣି ପହଂଚାଇବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଯେଉଁଠି ଜଳର ଅଭାବ ଥିବ ସେଠାରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ। ଜଳସମ୍ପଦ ବିଭାଗକୁ ମଧ୍ୟ ବିଭିନ୍ନ କେନାଲକୁ ଜଳଭଣ୍ଡାରରୁ ପାଣି ଛାଡ଼ିବାକୁ କୁହାଯାଇଛି। ପୌରାଂଚଳ ଓ ପଂଚାୟତସ୍ତରରେ ପାନୀୟ ଜଳ ସେବାକେନ୍ଦ୍ର ସ୍ଥାପନ କରି ଜନଗହଳି ସ୍ଥାନରେ ଲୋକଙ୍କୁ ପାନୀୟ ଜଳ ସୁବିଧା ଯୋଗାଇବାକୁ ପରାମର୍ଶ ଦିଆଯାଇଛି। ଯେଉଁ ସବୁ ସ୍ଥାନରେ ହ୍ୟାଣ୍ଡ ପାଇପ ଅଚଳ ହୋଇ ପଡ଼ିଛି ଅବା ପାଇପଯୋଗେ ପାନୀୟ ଜଳ ଯୋଗାଣ ହୋଇପାରୁନି, ସେଠାରେ ଆବଶ୍ୟକ ପଦକ୍ଷେପ ତୁରନ୍ତ ନେବାକୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି କୋଭିଡ୍ ସମସ୍ୟା ଯୋଗୁ ଚଳିତବର୍ଷ ଖରାଦିନେ ସ୍କୁଲକଲେଜରେ ପାଠପଢ଼ା ହେବାର ସମ୍ଭାବନା ଥିବାରୁ ସ୍କୁଲ ଓ କଲେଜରେ ଆବଶ୍ୟକ ପାନୀୟ ଜଳ ସୁବିଧା, ପିଲା ଓ କର୍ମଚାରୀମାନଙ୍କ ଯାତାୟତ ନିମନ୍ତେ ପରିବହନ ସୁବିଧା ଆଦି ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି ଯଦି କୌଣସି ସ୍ଥାନରେ ଅଂଶୁଘାତରେ ପ୍ରାଣ ହରାଇଥିବାର ଖବର ମିଳେ ତା’ହେଲେ ତା’ର ତଦନ୍ତ କରି ୪୮ଘଣ୍ଟା ମଧ୍ୟରେ ଏସଆରସିଙ୍କ ନିକଟକୁ ରିପୋର୍ଟ ପଠାଇବାକୁ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରାଯାଇଛି।

ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଅଂଶୁଘାତଜନିତ ହୋଇଥାଏ, ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ତୁରନ୍ତ ଦେବା ନିମନ୍ତେ ଜିଲ୍ଲ ପ୍ରଶାସନ କାର୍ଯ୍ୟ କରିବେ। ହିଟୱେଭ୍ ସମୟରେ ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ଘଂଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯିବ। ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସକାଳୁ ଖୋଲିବ। ନିଜର ଛାତ ଉପର ଥଣ୍ଡା ରଖିବା ପାଇଁ ଲୋକମାନଙ୍କୁ ‘କୁଲ ରୁଫ ଟେକ୍ନୋଲୋଜି’ ସମ୍ପର୍କରେ ସଚେତନ କରାଇବାକୁ କୁହାଯାଇଛି। ଛାତରେ ପେଣ୍ଟିଂ କରିବା ଦ୍ୱାରା ଘରର ଭିତରର ତାପମାତ୍ରା ହ୍ରାସ ପାଇଥାଏ ବୋଲି ଏସଆରସି ତାଙ୍କ ଚିଠିରେ ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି।

Related story