୭୫ କୋଟିର ୟୁସି ଦେଇନି ଶ୍ରୀମନ୍ଦିର ପ୍ରଶାସନ, ଭକ୍ତ ନଚଢ଼ିବା ପାଇଁ ୨ ବର୍ଷରେ ଦଇତାପତିଙ୍କୁ ୩ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ଦେଉଥିବା କୋଟିକୋଟି ଟଙ୍କାର ଅନୁଦାନର ହିସାବ ଶ୍ରୀମନ୍ଦିର ପ୍ରଶାସନ ଦେଉନାହିଁ । ଗତ ୩ବର୍ଷ ଧରି ପ୍ରାୟ ୭୫କୋଟି ଟଙ୍କାର ହିସାବ ଦେଇନଥିବା ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ରାଜ୍ୟ ସରକାର ନିଜସ୍ୱ ଆର୍ଥିକ ନିୟମକୁ ଉଲ୍ଲଘଂନ କରି ବାର୍ଷିକ ଅନୁଦାନ ଦେଇଛନ୍ତି। ଏପରିକି ରଥଯାତ୍ରାବେଳେ ରଥରେ ଶ୍ରଦ୍ଧାଳୁଙ୍କୁ ନଚଢ଼ାଇବା ପାଇଁ ଦଇତାପତିମାନଙ୍କୁ କ୍ଷତିପୂରଣ ଅନୁଦାନ ବାବଦରେ ୨୦୧୯ ଓ ୨୦୨୦ ମସିହାରେ ମୋଟ୍ […]

Puri JagannathTemple

Ordigital Desk
  • Published: Saturday, 14 August 2021
  • , Updated: 14 August 2021, 10:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ଦେଉଥିବା କୋଟିକୋଟି ଟଙ୍କାର ଅନୁଦାନର ହିସାବ ଶ୍ରୀମନ୍ଦିର ପ୍ରଶାସନ ଦେଉନାହିଁ । ଗତ ୩ବର୍ଷ ଧରି ପ୍ରାୟ ୭୫କୋଟି ଟଙ୍କାର ହିସାବ ଦେଇନଥିବା ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ରାଜ୍ୟ ସରକାର ନିଜସ୍ୱ ଆର୍ଥିକ ନିୟମକୁ ଉଲ୍ଲଘଂନ କରି ବାର୍ଷିକ ଅନୁଦାନ ଦେଇଛନ୍ତି। ଏପରିକି ରଥଯାତ୍ରାବେଳେ ରଥରେ ଶ୍ରଦ୍ଧାଳୁଙ୍କୁ ନଚଢ଼ାଇବା ପାଇଁ ଦଇତାପତିମାନଙ୍କୁ କ୍ଷତିପୂରଣ ଅନୁଦାନ ବାବଦରେ ୨୦୧୯ ଓ ୨୦୨୦ ମସିହାରେ ମୋଟ୍ ୩.୦୩କୋଟି ଟଙ୍କା ଦିଆଯାଇଥିଲେ ବି ସେଥିରୁ ୧.୪୪କୋଟି ଟଙ୍କାର ହିସାବ ଦେବାରେ ଶ୍ରୀମନ୍ଦିର ପ୍ରଶାସନ ସକ୍ଷମ ହୋଇନି। ଶ୍ରୀମନ୍ଦିର ପ୍ରଶାସନର ଏସବୁ ଅନୁଦାନର ବିନିଯୋଗ ପ୍ରମାଣପତ୍ର(ୟୁସି) ସରକାରଙ୍କ ନିକଟରେ ଦାଖଲ କରୁନଥିଲେ ମଧ୍ୟ ଆଇନ ବିଭାଗ ଆଶ୍ଚର୍ଯ୍ୟଜନକ ଭାବେ ଏନେଇ ସାମାନ୍ୟତମ ପ୍ରଶ୍ନ ବି କରିନି। ଓଲଟା ପ୍ରତିବର୍ଷ ଅନୁଦାନ ଦେଇଚାଲିଛି। ଶ୍ରୀମନ୍ଦିରକୁ ଦିଆଯାଉଥିବା ଅନୁଦାନର ଆବଶ୍ୟକ ତଦାରଖ ହେଉନଥିବାକୁ ନେଇ ଏବେ ସିଏଜି ପ୍ରଶ୍ନ ଉଠାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରସ୍ଥିତ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲରେ କାର୍ଯ୍ୟରତ ବରିଷ୍ଠ ଅଡିଟ୍ ଅଫିସର ଏସଏନ ସାହୁ ଗତ ଦୁଇଦିନ ତଳେ ଆଇନ ସଚିବଙ୍କୁ ଏନେଇ ଚିଠି ଲେଖି ଅନୁଦାନ ବିନିଯୋଗର ସଠିକ୍ ତଦାରଖ କରିବାରେ ଆଇନ ବିଭାଗର ବିଫଳତାକୁ ଦର୍ଶାଇଛନ୍ତି। ଏହାସହିତ ଗୋଟିଏ ଆର୍ଥିକ ବର୍ଷରେ ଦିଆଯାଇଥିବା ଅନୁଦାନ ଅର୍ଥ ଖର୍ଚ୍ଚ ହୋଇନଥିବା ଅବା ପଡ଼ି ରହିଥିବାବେଳେ ପୁଣି ସେହି କାମ ପାଇଁ କିଭଳି ପରବର୍ତ୍ତୀ ବର୍ଷଗୁଡ଼ିକରେ ଅନୁଦାନ ଦିଆଯାଇଛି ଓ ଆଇନ ବିଭାଗ ଥରୁଟିଏ ବି ଏନେଇ କାହିଁକି ସ୍ପଷ୍ଟୀକରଣ ମାଗିନି ବୋଲି ସିଏଜି ଜାଣିବାକୁ ଚାହିଁଛନ୍ତି। ଓଡ଼ିଶା ଜେନେରାଲ ଫାଇନାନ୍ସିଆଲ ରୁଲସ୍ ୧୭୧ ଅନୁସାରେ, ସରକାର ପ୍ରତିବର୍ଷ ଯେକୌଣସି ନିଜସ୍ୱ ସଂସ୍ଥା ଓ ଅନୁଷ୍ଠାନକୁ ଅନୁଦାନ ଦେଇଥାନ୍ତି, ତାହା ଖର୍ଚ୍ଚ ପାଇଁ ମଧ୍ୟ ସମୟ ନିର୍ଦ୍ଧାରଣ କରିଥାନ୍ତି। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ସେହି ଅନୁଦାନ ଖର୍ଚ୍ଚ ହୋଇନପାରେ, ତା’ହେଲେ ସମ୍ପୃକ୍ତ ସଂସ୍ଥା ବା ଅନୁଷ୍ଠାନ ଉକ୍ତ ଅର୍ଥକୁ ବର୍ଷ ଶେଷବେଳକୁ ସରକାରଙ୍କୁ ଫେରସ୍ତ କରିଥାନ୍ତି ନଚେତ୍ ବଳକା ଅର୍ଥକୁ ପରବର୍ତ୍ତୀ ଅନୁଦାନବେଳେ ତାହା ସେହି କାର୍ଯ୍ୟ ପାଇଁ ଆଡଜଷ୍ଟ କରାଯାଇଥାଏ।

କିନ୍ତୁ ଅଡିଟ୍ ବେଳେ ଜଣାପଡ଼ିଥିଲା ଯେ, ଆଇନ ବିଭାଗ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଅନୁଦାନ ମଞ୍ଜୁରୀ କରିବାବେଳେ ଏସବୁ ଦିଗ ପ୍ରତି ସାମାନ୍ୟତମ ଦୃଷ୍ଟି ଦେଇନାହିଁ । କର୍ମଚାରୀଙ୍କ ଦରମା ଓ ପାରିଶ୍ରମିକ, କୋଠ ଭୋଗ ଦାନ ଯୋଜନା, ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା ଓ ପର୍ବପର୍ବାଣି ପାଳନ, ଶ୍ରୀମନ୍ଦିର ଅଧ୍ୟକ୍ଷଙ୍କ ଭତ୍ତା ଓ ଅନ୍ୟାନ୍ୟ ଅନୁଦାନ, କର୍ପସ ପାଣ୍ଠି, ଶ୍ରୀମନ୍ଦିର ସେବାୟତଙ୍କ ସ୍ୱାସ୍ଥ୍ୟବୀମା, ଗୃହ ଯୋଜନା, ଆବାସିକ ଇଂରାଜୀ ବିଦ୍ୟାଳୟ ଆଦି ପାଇଁ ୨୦୧୮-୧୯ ମସିହାରୁ ୨୦୨୦-୨୧ ମସିହା ମଧ୍ୟରେ ମୋଟ ୧୨୪.୪୦କୋଟି ଟଙ୍କା ଅନୁଦାନ ରାଜ୍ୟ ସରକାର ଦେଇଛନ୍ତି । ଗତ ୩ଟି ଆର୍ଥିକବର୍ଷ ମଧ୍ୟରେ ରାଜ୍ୟ ସରକାର ଦେଇଥିବା ଏହି ଅନୁଦାନ ମଧ୍ୟରୁ ମାତ୍ର ୪୯.୮୬କୋଟି ଟଙ୍କାର ଖର୍ଚ୍ଚର ହିସାବ(ୟୁସି) ଦାଖଲ କରିବାରେ ଶ୍ରୀମନ୍ଦିର ପ୍ରଶାସନ ସକ୍ଷମ ହୋଇଛି । ୭୪.୫୪କୋଟି ଟଙ୍କାର ହିସାବ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ଦେଇନାହାନ୍ତି।

୨୦୧୮-୧୯ରୁ ୩ବର୍ଷ ମଧ୍ୟରେ ଦିଆଯାଇଥିବା ୧୫କୋଟି ଟଙ୍କାର କର୍ପସ ପାଣ୍ଠି, ଆବାସିକ ଇଂରାଜୀ ସ୍କୁଲ ପାଇଁ ୬୬ଲକ୍ଷ ଟଙ୍କାର ଅନୁଦାନ, ଗରିବ ସେବାୟତଙ୍କ ପାଇଁ ୬୦ଲକ୍ଷ ଟଙ୍କାର ଗୃହ ଯୋଜନା ସମେତ ୨୦୨୦-୨୧ରେ ଦିଆଯାଇଥିବା ୪୦କୋଟି ଟଙ୍କାର କୋଭିଡ୍ ସହାୟତାର ହିସାବ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ଦେଇନାହାନ୍ତି । ସେହିପରି ଶ୍ରଦ୍ଧାଳୁଙ୍କୁ ରଥରେ ନଚଢ଼ାଇବ ପାଇଁ ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ ୨୦୧୯-୨୦ ଆର୍ଥିକ ବର୍ଷରେ ୧.୪୪କୋଟି ଟଙ୍କା ଓ ୨୦୨୦-୨୧ରେ ୧.୫୦କୋଟି ଟଙ୍କା ଅନୁଦାନ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ଦେଇଛନ୍ତି । ତେବେ ଏହାର ୟୁସି ସରକାରଙ୍କୁ ମିଳିନଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ ଏଥିପାଇଁ ଅନୁଦାନ ଦିଆଯାଇଥିବା ଜଣାପଡ଼ିଛି।

୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତିବେଳେ କିମ୍ବା ଏପର୍ଯ୍ୟନ୍ତ ମଧ୍ୟ ଆଇନ ବିଭାଗ ପକ୍ଷରୁ ଶ୍ରୀମନ୍ଦିରକୁ ଦିଆଯାଇଥିବା ଅନୁଦାନ କିଭଳି ଖର୍ଚ୍ଚ ହେଉଛି,କ’ଣ ପାଇଁ ୟୁସି ଆସୁନି, ଅନୁଦାନ ଅର୍ଥ ଠିକ୍ ଭାବେ ଖର୍ଚ୍ଚ ହେଉଛି କି ନାହିଁ ତା’ର ତଦାରଖ ମଧ୍ୟ ହୋଇନି। କିମ୍ବା ଏନେଇ ସାମୟିକ ରିପୋର୍ଟ ମଧ୍ୟ ମଗାଯାଇ ନାହିଁ । ୧୫କୋଟି ଟଙ୍କାର କର୍ପସ ପାଣ୍ଠି ଓ ପ୍ରାୟ ୧କୋଟି ଟଙ୍କାର କୋଠ ଭୋଗ ଦାନ ଯୋଜନା ଅର୍ଥକୁ ଶ୍ରୀମନ୍ଦିର ପ୍ରଶାସନ ଫିକ୍ସ ଡିପୋଜିଟ୍ ଆକାରରେ ବ୍ୟାଙ୍କରେ ଜମା କରିଛି । ଆଉ ଏହି ଅନୁଦାନର ୟୁସି ମିଳିନଥିଲେ ବି ଆଇନ ବିଭାଗ ପକ୍ଷରୁ ପୁଣିଥରେ ଏଥିପାଇଁ ଅନୁଦାନ ଦିଆଯାଇଛି । ତେଣୁ ଏସବୁ ଦିଗ ଉପରେ ଆବଶ୍ୟକ ସ୍ପଷ୍ଟୀକରଣ ଦୁଇ ଦିନ ମଧ୍ୟରେ ଦେବାକୁ ଏଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଇନ ସଚିବଙ୍କୁ ଚିଠି ଲେଖାଯାଇଛି।

Related story