ରତ୍ନ ଭଣ୍ଡାର ଯାଞ୍ଚ ହେଲେ କେଉଁଠି ରହିବ ଦୁର୍ଲଭ ଅଳଙ୍କାର ? ଘାରିଛି ଚିନ୍ତା

Ordigital Desk
  • Published: Sunday, 25 March 2018
  • , Updated: 25 March 2018, 07:36 PM IST
<p>ପୁରୀ(ଓଡିଶା ରିପୋର୍ଟର): ଅଳଙ୍କାର ପ୍ରିୟ କାଳିଆ ଠାକୁରଙ୍କ ରତ୍ନଭଣ୍ଡାର ଚର୍ଚ୍ଚା ଥମୁନି। ସବୁଠୁ ଚର୍ଚ୍ଚାରେ ରହିଛି ରତ୍ନଭଣ୍ଡାରର ସ୍ଥିତି ଏବଂ ଭୌଗୋଳିକ ଅବସ୍ଥିତି । କାରଣ ନାନା ମୁନୀଙ୍କ ନାନା ମତ ଭଳି ଅନେକ ରୋଚକ ତଥ୍ୟ ଶୁଣିବାକୁ ମିଳିଛି। ଏଭଳି ସ୍ଥିତିରେ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଏଏସ୍ଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଆହୁରି ଉତ୍କଣ୍ଠା ବଢ଼ିବାରେ ଲାଗିଛି । ତାସହ କେମିତି ଏବଂ କେଉଁଭଳି ଢ଼ଙ୍ଗରେ ରତ୍ନଭଣ୍ଡାରର ଅନୁଧ୍ୟାନ କରାଯିବ, ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ବି ଅକଳରେ ପଡ଼ିଛି।</p> <p>ମହାପ୍ରଭୁଙ୍କ ରହସ୍ୟମୟ ରତ୍ନଭଣ୍ଡାରର ବାସ୍ତବ ସ୍ଥିତି କଣ ? ଜଗମୋହନ ଭଳି ଶ୍ରୀଜୀଉଙ୍କ ଏହି ରତ୍ନଭଣ୍ଡାର ବି ଦୁର୍ବଳ ହୋଇଯାଇନାହିଁ ତ ? ଯଦି ଦୁର୍ବଳ ହୋଇଯାଇଛି, ତେବେ କେମିତି ହେବ ମରାମତି ? ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ। କାରଣ ଶହ ଶହ ବର୍ଷ ଧରି ଅଜଣା ଏବଂ କୁହେଳିକାପୂର୍ଣ୍ଣ ହୋଇରହିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର। ତାହାରି ଭିତରେ ଭରି ରହିଛି ମହଣ ମହଣ ଦୁର୍ଲଭ ଅଳଙ୍କାର । କିଏ କହୁଛନ୍ତି ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ଅନ୍ଧକାରମୟ ତ ଆଉ କିଏ କହୁଛନ୍ତି ଏହା ଅତି ସଂକୀର୍ଣ୍ଣ । ଯଦି ଏହା ସତ, ତେବେ କେମିତି ଢଙ୍ଗରେ ମରାମତି କରାଯିବ ଏହି ରତ୍ନଭଣ୍ଡାରକୁ ? କେଉଁଠି ରଖାଯିବ ମହଣ ମହଣ ସୁନା, ରୂପା, ହୀରାର ଅଳଙ୍କାର। କିଭଳି ଭାବେ ଯୋଗାଇ ଦିଆଯିବ ଏହାକୁ ସୁରକ୍ଷା।</p> <p>ଇତିମଧ୍ୟରେ ଆସନ୍ତାକାଲିଠାରୁ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସ୍ଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ଆଇନ ଅନୁଯାୟୀ, ରାଜ୍ୟ ସରକାରଙ୍କ ଅନୁମତି ମଧ୍ୟ ମାଗିଛି ଶ୍ରୀମନ୍ଦିର ପ୍ରଶାସନ । ଯାଞ୍ଚ ସମୟରେ ଯଦି ରତ୍ନଭଣ୍ଡାରର ଅବସ୍ଥା ଦୁର୍ବଳ ଥିବା ଜଣାପଡେ ତେବେ କେବେ ହେବ ମରାମତି ? କାରଣ ଆଗକୁ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା ସହ ଅନେକ ଯାନିଯାତ୍ରା ଥିବାବେଳେ ଏଏସ୍ଆଇ ଅଧିକାରୀ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ରତ୍ନଭଣ୍ଡାରର ମରାମତି କରିପାରିବେ ତ ? ଏମିତି ଅନେକ ପ୍ରଶ୍ନର କୁହେଳିକା ଭିତରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପରିଚାଳନା ପରିଷଦ ବି ଅକଳରେ ପଡ଼ିଯାଇଛି ।</p>

Related story