‘କୋଷ୍ଟାଲ ହାଇୱେକୁ ଅଟକାଇଛନ୍ତି ରାଜ୍ୟ ସରକାର, ବିଭ୍ରାନ୍ତ କରୁଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ନିଜେ ବିଭ୍ରାନ୍ତି କରୁଛନ୍ତି। ସାତପଡ଼ାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରକଳ୍ପ କାମକୁ ନିଜେ ରାଜ୍ୟ ସରକାର ଅଟକାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ପୂର୍ବ ନକସା ଅନୁସାରେ କୋଷ୍ଟାଲ ହାଇୱେ କାମ ହେବ। ଓଡ଼ିଶାର ବିକାଶ ପାଇଁ ସମ୍ଭାବନାକୁ ନେଇ ଉପଜୁଥିବା ସମସ୍ୟା ଓ ତାହାର ସମାଧାନ ପାଇଁ ବିଜେପି ବଦ୍ଧପରିକର ବୋଲି ସେ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର […]

golaka

Manoranjan Sial
  • Published: Friday, 29 January 2021
  • , Updated: 29 January 2021, 10:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ନିଜେ ବିଭ୍ରାନ୍ତି କରୁଛନ୍ତି। ସାତପଡ଼ାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରକଳ୍ପ କାମକୁ ନିଜେ ରାଜ୍ୟ ସରକାର ଅଟକାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ପୂର୍ବ ନକସା ଅନୁସାରେ କୋଷ୍ଟାଲ ହାଇୱେ କାମ ହେବ। ଓଡ଼ିଶାର ବିକାଶ ପାଇଁ ସମ୍ଭାବନାକୁ ନେଇ ଉପଜୁଥିବା ସମସ୍ୟା ଓ ତାହାର ସମାଧାନ ପାଇଁ ବିଜେପି ବଦ୍ଧପରିକର ବୋଲି ସେ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ରହିଥିବା କୋଷ୍ଟାଲ ହାଇୱେ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡ୍ରିମ୍ ପ୍ରୋଜେକ୍ଟ । ତେବେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଦ୍ୱାରା ଏହି ପ୍ରକଳ୍ପ ଉପରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ ଏବଂ ଏ ସମ୍ବନ୍ଧରେ ସେ ଗଣମାଧ୍ୟମକୁ ଏକପାଖିଆ ମନ୍ତବ୍ୟ ଦେଇ ଓଡ଼ିଶାର ଜନସାଧାରଣଙ୍କୁ

ବିଭ୍ରାନ୍ତି କରିଛନ୍ତି। ଶ୍ରୀ ଦାସବର୍ମା ତଥ୍ୟ ଆଧାରିତ କଥା ନକହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଗଣମାଧ୍ୟମରେ ତଥ୍ୟ ରଖିବା ପୂର୍ବରୁ ସଞ୍ଜୟ ଦାସବର୍ମା ପ୍ରଥମେ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ବିଷୟରେ ସବିଶେଷ ଜାଣିବାର ଆବଶ୍ୟକତା ରହିଛି। ଗତ ଦୁଇ ଦିନ ପୂର୍ବରୁ ତଥା ଜାନୁୟାରୀ ୨୭ରେ ଶ୍ରୀ ବର୍ମା କୋଷ୍ଟାଲ ହାଇୱେର ଆଲାଇନମେଂଟ୍ ପରିବର୍ତ୍ତନ ବିଷୟରେ ଜନସାଧାରଣ ସମ୍ମୁଖରେ ଦୁଇଟି ବିବରଣୀ ରଖିଥିଲେ।

ପ୍ରଥମ ବିବରଣୀରେ ସେ କହିଥିଲେ ଯେ, ପୂର୍ବରୁ ଅନୁମୋଦିତ ହୋଇଥିବା ୪୪୦ କିମି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ୩୭୦ କିମି ଲମ୍ବର କୋଷ୍ଟାଲ ହାଇୱେକୁ ୧୭୭ କିଲୋମିଟରକୁ କମାଇ ଦିଆଯାଇଛି। ତେବେ ବାସ୍ତବ କଥା ହେଉଛି ଶ୍ରୀ ବର୍ମାଙ୍କୁ କୋଷ୍ଟାଲ ହାଇୱେ ବିଷୟରେ କୌଣସି ଧାରଣା ନାହିଁ। ସେ କେବଳ କୋଷ୍ଟାଲ ହାଇୱେର ଏକପାଖିଆ ଯଥା ୧୭୭ କିମି ୧୪୯ ମିଟର ଲମ୍ବ ଟାଙ୍ଗୀରୁ ରତନପୁର ଭାୟା ଟାଙ୍ଗୀ – ବ୍ରହ୍ମଗିରି - ପୁରୀ – କୋଣାର୍କ - ଅସ୍ତରଙ୍ଗ - ନାଉଗାଁ- ପାରାଦୀପ ବନ୍ଦର - ରତନପୁର ଉପରେ କହିଥିଲେ। ଯାହାକୁ ଗତବର୍ଷ ନଭେମ୍ବର ୧୦ ତାରିଖରେ ଅନୁମୋଦନ ମିଳିଥିଲା।

ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ସାତପଡ଼ାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରକଳ୍ପର କାମକୁ ଅଟକାଇ ରଖିଛନ୍ତି। ଶ୍ରୀ ଦାସବର୍ମା ପ୍ରକଳ୍ପର ଦ୍ୱିତୀୟ ଭାଗକୁ ହିସାବ କରୁନାହାନ୍ତି। ଯଥା ଗତବର୍ଷ ଡ଼ିସେମ୍ବର ୧୫ତାରିଖରେ ଧାମରା, ବାସୁଦେବପୁର ବ୍ୟତୀତ ୧୭୦.୭୭ କିମି ଲମ୍ବର ରତନପୁରରୁ ଦୀଘା କୋଷ୍ଟାଲ ହାଇୱେ ପାଇଁ ପରିବେଶ ମନ୍ତ୍ରଣାଳୟ ଅନୁମୋଦନ ଦେଇଛନ୍ତି । ସେହିପରି ୩୫ କିମି ଲମ୍ବ ଧାମରାରୁ ବାସୁଦେବପୁରର କାର୍ଯ୍ୟ ଏନଏଚଏଆଇ ଦ୍ୱାରା ଜାମ୍ମୁଝାଡ଼ି - ଧାମରା ବନ୍ଦର ସଂଯୋଗ ସ୍ଥାପନ ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ କରାଯାଉଥିଲା। ପ୍ରଥମ ପର୍ଯ୍ୟାୟରେ ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ଅନୁମୋଦିତ ହୋଇଥିବା ୩୭୦ କିମି ଲମ୍ବର ପ୍ରକଳ୍ପକୁ ଏବେ ୩୮୨.୮୪୯ କିମି ଲମ୍ବର କୋଷ୍ଟାଲ ହାଇୱେ ପାଇଁ ଅନୁମୋଦନ ଦିଆଯାଇଛି।

ସେହିପରି ରାଜ୍ୟ ସରକାର ଗୋପାଳପୁରରୁ ସାତପଡ଼ାର ରାସ୍ତାକୁ ସହମତି ଦେଇନଥିବା ଯୋଗୁଁ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଟାଙ୍ଗୀ – ବ୍ରହ୍ମଗିରି – ପୁରୀ – କୋଣାର୍କ ଅସ୍ତରଙ୍ଗ-ନାଉଗାଁ– ପାରାଦୀପ ବନ୍ଦର-ରତନପୁର-ଧାମରା-ଦୀଘାକୁ ସଂଯୋଗ କରିବା ପାଇଁ ଅନୁମୋଦନ ଦିଆଯାଇଛି ବୋଲି ବିଜେପି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସୁରଥ ବିଶ୍ୱାଳ, ଠାକୁର ରଞ୍ଜିତ ଦାସ ଉପସ୍ଥିତ ଥିଲେ।

Related story