ରାଜ୍ୟର ୬୯୯ଟି ଆଇନ ବେକାର, ବିଲୋପ ପାଇଁ ଆସିବ ବିଲ୍‌

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟର ୬୯୯ଟି ଆଇନକୁ ବିଲୋପ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ଆଇନ ବିଭାଗ ବିଗତ ୪୨ବର୍ଷ (୧୯୭୪-୨୦୧୬ ମସିହା) ମଧ୍ୟରେ ପ୍ରଣୟନ ହୋଇଥିବା ମୋଟ ୬୯୯ଟି ଆଇନକୁ ଏବେ ‘ବେକାର ବା ନିରର୍ଥକ’ ଚିହ୍ନଟ କରି ତାକୁ ବିଲୋପ ବା ରଦ୍ଦ କରିବା ନିମନ୍ତେ ବିଭିନ୍ନ ବିଭାଗର ମତାମତ ଲୋଡ଼ିଛି। ବିଭାଗଗୁଡ଼ିକର ମତାମତ ପରେ ଏହାକୁ କ୍ୟାବିନେଟର ଅନୁମୋଦନ ପାଇଁ ପଠାଯିବ ଓ ତା’ପରେ ବିଧାନସଭାରେ ‘ଓଡ଼ିଶା ରିପେଲିଂ […]

judgment

Manoranjan Sial
  • Published: Friday, 11 September 2020
  • , Updated: 11 September 2020, 07:58 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟର ୬୯୯ଟି ଆଇନକୁ ବିଲୋପ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ଆଇନ ବିଭାଗ ବିଗତ ୪୨ବର୍ଷ (୧୯୭୪-୨୦୧୬ ମସିହା) ମଧ୍ୟରେ ପ୍ରଣୟନ ହୋଇଥିବା ମୋଟ ୬୯୯ଟି ଆଇନକୁ ଏବେ ‘ବେକାର ବା ନିରର୍ଥକ’ ଚିହ୍ନଟ କରି ତାକୁ ବିଲୋପ ବା ରଦ୍ଦ କରିବା ନିମନ୍ତେ ବିଭିନ୍ନ ବିଭାଗର ମତାମତ ଲୋଡ଼ିଛି। ବିଭାଗଗୁଡ଼ିକର ମତାମତ ପରେ ଏହାକୁ କ୍ୟାବିନେଟର ଅନୁମୋଦନ ପାଇଁ ପଠାଯିବ ଓ ତା’ପରେ ବିଧାନସଭାରେ ‘ଓଡ଼ିଶା ରିପେଲିଂ ବିଲ-୨୦୨୦’ ଆଗତ କରାଯାଇ ଏସବୁ ବେକାର ଆଇନକୁ ସବୁଦିନ ପାଇଁ ରଦ୍ଦ କରାଯିବ ବୋଲି ଜଣାପଡ଼ିଛି।

ରାଜ୍ୟ ଆଇନ ବିଭାଗ ପକ୍ଷରୁ ଗତକାଲି ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖାଯାଇ ଏହି ଚିହ୍ନଟ ହୋଇଥିବା ୬୯୯ଟି ନିରର୍ଥକ ଆଇନ ସମ୍ପର୍କରେ ଅବଗତ କରାଯିବା ସହ ୫ଟି ଦିଗ ଉପରେ ସେମାନଙ୍କର ମତାମତ ୧୫ଦିନ ମଧ୍ୟରେ ଦେବାକୁ କୁହାଯାଇଛି। ଆଇନ ବିଭାଗ ଦ୍ୱାରା ଚିହ୍ନଟ ହୋଇଥିବା ଏହି ୬୯୯ଟି ଆଇନକୁ ରଦ୍ଦ ନିମନ୍ତେ ଆଗ୍ରହ ପ୍ରଦର୍ଶନ କରିବାବେଳେ ଯେଉଁ ୫ଟି ଦିଗକୁ ଯାଂଚ କରିବାକୁ ଆଇନ ସଚିବ କହିଛନ୍ତି, ସେଗୁଡ଼ିକ ହେଲା, ସଂଶୋଧିତ ଆଇନ ଦୀର୍ଘଦିନ ହେଲା ନିରର୍ଥକ ଓ ଅପ୍ରଚଳିତ ହୋଇ ପଡ଼ିରହିଛି କି? ଏହି ଆଇନର କୌଣସି ପ୍ରାବଧାନ ସଂଶୋଧିତ ହେବାପରେ ସେହି ଆଇନକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି କିମ୍ବା ତାହା ଏବେ ବିଚାରାଧୀନ ରହିଛି କି? କୌଣସି ସଂଶୋଧିତ ଆଇନର କୌଣସି ପ୍ରାବଧାନ ଅବା ସମସ୍ତ ପ୍ରାବଧାନ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ କି? କୌଣସି ସଂଶୋଧିତ ଆଇନ ତା’ର ମୂଳ ଆଇନଠୁ ଭିନ୍ନ ଅଛି ଓ ତାହା ଏବେ ବଳବତ୍ତର ରହିବା ଆବଶ୍ୟକ ପଡ଼ୁଛି କି? ଶେଷରେ କୌଣସି ପ୍ରଶାସନିକ କାରଣ ଅବା ଅନ୍ୟ କୌଣସି କାରଣରୁ ବିଭାଗ ଉକ୍ତ ଆଇନକୁ ଉଚ୍ଛେଦ କରିବାକୁ ଚାହୁଁନି, ତାହା ଲିଖିତ ଭାବେ ଜଣାଇବାକୁ ଆଇନ ବିଭାଗ କହିଛି।

ଦୀର୍ଘଦିନ ଧରି ଅକାମୀ ଓ ନିରର୍ଥକ ଆଇନ ଭାବେ ଚିହ୍ନଟ ହୋଇଥିବା ୬୯୯ଟି ଆଇନ ମଧ୍ୟରେ ସର୍ବାଧିକ ୧୧୩ଟି ଆଇନ ବା ଆକ୍ଟ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ଅଧୀନରେ ରହିଛି। ତା’ପଛକୁ ଅର୍ଥ ବିଭାଗର ୮୩ଟି, ପଂଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗର ୭୭ଟି ଲେଖାଏଁ, ଉଚ୍ଚଶିକ୍ଷା ବିଭାଗର ୪୯ଟି, ସଂସଦୀୟ ବ୍ୟାପାର ବିଭାଗର ୪୫ଟି, ସମବାୟ ବିଭାଗର ୩୨ଟି, ବାଣିଜ୍ୟ ଓ ପରିବହନର ୨୬ଟି,ସାଧାରଣ ପ୍ରଶାସନ ବିଭାଗର ୧୮ଟି, ଶକ୍ତି ବିଭାଗର ୧୭ଟି, ଗୃହ ବିଭାଗର ୧୬ଟି, କୃଷି ବିଭାଗର ୧୧ଟି, ଜଙ୍ଗଲ ଓ ପରିବେଶ ବିଭାଗର ୧୨ଟି, ଜଳସମ୍ପଦ ବିଭାଗର ୬ଟିର ଆଇନ ସମେତ ମୋଟ ୩୪ଟି ବିଭାଗର ୬୯୯ଟି ଆଇନ ଦୀର୍ଘବର୍ଷ ଧରି କାର୍ଯ୍ୟରେ ଲାଗୁନଥିବାରୁ ଏଗୁଡ଼ିକୁ ଉଚ୍ଛେଦ ନିମନ୍ତେ ଆଇନ ବିଭାଗ ଚିହ୍ନଟ କରିଛି।

Related story