ରାଜ୍ୟ ସରକାରଙ୍କ ସତ୍ୟପାଠ; ‘ପୁରୀରେ କେ. ରମେଶଙ୍କର ହୋଇ ନ ଥିଲା ହାଜତ ମୃତ୍ୟୁ’

କଟକ(ଓଡ଼ିଶା ରିପୋର୍ଟର):ପୁରୀ ଜିଲ୍ଲା ବାସେଳିସାହି ଥାନା ପୁଲିସ୍‌ କେ. ରମେଶ ନାମକ ଯୁବକଙ୍କୁ ଉଠାଇ ନେଇଥିବା ବେଳେ ଗତ ନଭେମ୍ବର ୧୮ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହା ପୁଲିସ୍‌ ହେପାଜତରେ ମୃତ୍ୟୁ ଅଭିଯୋଗ ଆଣି ପୁରୀ ସହର ଅଶାନ୍ତ ହୋଇପଡ଼ିଥିବା ବେଳେ ବ୍ୟାପିବାକୁ ଲାଗିଥିବା ଉତ୍ତେଜନା। କିନ୍ତୁ ଏହା ହାଜତ ମୃତ୍ୟୁ ନୁହେଁ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ପୁଲିସ୍‌ ହେପାଜତରେ କେ. ରମେଶଙ୍କ  ମୃତ୍ୟୁ […]

Orissa High Court

Niharika Rout
  • Published: Monday, 11 January 2021
  • , Updated: 11 January 2021, 02:23 PM IST

କଟକ(ଓଡ଼ିଶା ରିପୋର୍ଟର):ପୁରୀ ଜିଲ୍ଲା ବାସେଳିସାହି ଥାନା ପୁଲିସ୍‌ କେ. ରମେଶ ନାମକ ଯୁବକଙ୍କୁ ଉଠାଇ ନେଇଥିବା ବେଳେ ଗତ ନଭେମ୍ବର ୧୮ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହା ପୁଲିସ୍‌ ହେପାଜତରେ ମୃତ୍ୟୁ ଅଭିଯୋଗ ଆଣି ପୁରୀ ସହର ଅଶାନ୍ତ ହୋଇପଡ଼ିଥିବା ବେଳେ ବ୍ୟାପିବାକୁ ଲାଗିଥିବା ଉତ୍ତେଜନା। କିନ୍ତୁ ଏହା ହାଜତ ମୃତ୍ୟୁ ନୁହେଁ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।

ପୁଲିସ୍‌ ହେପାଜତରେ କେ. ରମେଶଙ୍କ  ମୃତ୍ୟୁ ଘଟଣାକୁ ଅସ୍ୱୀକାର କରିଛନ୍ତି ରାଜ୍ୟ ସରକାରଙ୍କ।  ଆଜି ଏ ସଂକ୍ରାନ୍ତୀୟ ସତ୍ୟପାଠ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସରକାର କୋର୍ଟରେ ଦାଖଲ କରିଛନ୍ତି। ତେବେ ମାମଲାର ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରି ୨୨ କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୮ ତାରିଖରେ ପୁରୀ ଜିଲ୍ଲା ବାସେଳି ସାହି ଥାନା ପୁଲିସ୍‌ ହେପାଜତରେ ଥିବା କେ. ରମେଶ ନାମକ ଯୁବକଙ୍କ ମୃତ୍ୟୁକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଥିଲା। ଏହା ହାଜତ ମୃତ୍ୟୁ ବୋଲି ଅଭିଯୋଗ ଆଣି ପୁରୀ ହସ୍‌ପିଟାଲ୍‌ ସମ୍ମୁଖରେ ପୁଲିସ୍ ଓ ଜନତା ମୁହାଁମୁହିଁ ହୋଇଥିବା ବେଳେ ସମଗ୍ର ପୁରୀ ସହ ଅଶାନ୍ତ ହୋଇପଡ଼ିଥିଲା।

ତତ୍‌କାଳୀନ ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହ ସାମ୍ବାଦିକ ସମ୍ମିଳନୀ କରି ହାଜତ ମୃତ୍ୟୁ ଘଟଣାକୁ ଖଣ୍ଡନ କରିଥିଲେ। କେ. ରମେଶ  ମାରଣାସ୍ତ୍ର ଧରି ବୁଲୁଥିବା ଖବର ପାଇ ତାଙ୍କୁ  କାବୁ କରିବାକୁ ଯିବା ବେଳେ ପୁଲିସ୍‌ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ଫଳରେ ଅଭିଯୁକ୍ତ ଆହତ ହୋଇଥିଲେ। ତେଣୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ ନିଆଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କହିଥିଲେ ତତ୍‌କାଳୀନ ଏସ୍‌ପି।

ମାତ୍ର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଏହା ହାଜତ ମୃତ୍ୟୁ ନୁହେଁ, ହାଜତ ହତ୍ୟା ବୋଲି ସିଧାସଳଖ ଅଭିଯୋଗ ଆଣିଥିଲେ। ଏହି ଘଟଣା ପରେ ପୁଲିସ୍‌  ମୃତ ରମେଶଙ୍କ ବାପାମା’, ଦାଦାଙ୍କୁ ରାତି ଅଧିଆ ଉଠାଇ ନେଇଥିଲା। ରମେଶଙ୍କ ଶବ ସତ୍କାର ବେଳେ ମୃତଦେହକୁ ସମ୍ମାନ ଦିଆଯାଇ ନ ଥିବା ଅଭିଯୋଗ ଆଣିଥିଲା ବିଜେପି। ଏଥିସହ ରମେଶ ତାଙ୍କ ବାପାମ’ଙ୍କର ଗୋଟିଏ ପୁଅ ହୋଇଥିବାରୁ ତାଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତପୂରଣ ଦାବି କରିଥିଲେ ସମ୍ବିତ ପାତ୍ର।

ବିଜେପି ଏହି ପ୍ରସଙ୍ଗରେ ଉଭୟ ଜାତୀୟ ମାନବାଧିକାର କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କୁ ଫେରାଦ ହେବା ତଥା ବିଭିନ୍ନ ମହଲରୁ ଚାପ ପଡ଼ିବାପରେ ରାଜ୍ୟ ସରକାର ଶେଷରେ ବାଧ୍ୟ ହୋଇ ଅଖିଳେଶ୍ୱର ସିଂହଙ୍କୁ ପୁରୀ ଏସପି ପଦରୁ ହଟାଇ ହେଡକ୍ୱାର୍ଟର୍ସ ଏସପି ଭାବେ ଅବସ୍ଥାପିତ କରିଥିଲେ।

ଆଇନଜୀବୀ ଶରତ ରାୟଗୁରୁ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ସମ୍ପୃକ୍ତ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ସେ ଅପିଲ କରିଥିଲେ। ସେପଟେ ଏହି ମାମଲାକୁ ହାଇକୋର୍ଟ ଗ୍ରହଣ କରି ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟ ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।  ଏହାପରେ ଆଜି ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି।

Related story