ହାଇକୋର୍ଟଙ୍କ ଆଦେଶକୁ ମାନୁ ନାହାନ୍ତି ସରକାର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲୋକେ ମଦ ପିଇ ମାତାଲ୍। ସରକାର ବି ମଦରୁ ରାଜସ୍ୱ କମାଇ ମାଲାମାଲ୍। ହେଲେ ହାଇକୋର୍ଟଙ୍କ ନିଶା ନିବାରଣ ଆଦେଶକୁ ଭୁଲି ଯାଇଛନ୍ତି ସରକାର। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚିଠି ଖୋଲିଛି ଗୁମର। ଲୋକଙ୍କ ଭିତରେ ସଚେତନା ସୃଷ୍ଟି ସହ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ ୨୦୧୫ରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏ ବାବଦରେ ମଦ ନିଗମ ପ୍ରଥମ ବର୍ଷ ୨କୋଟି ଖର୍ଚ୍ଚ କରିଥିଲେ […]

bb.jpg-90

Tapas Behera
  • Published: Sunday, 08 September 2019
  • , Updated: 08 September 2019, 08:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲୋକେ ମଦ ପିଇ ମାତାଲ୍। ସରକାର ବି ମଦରୁ ରାଜସ୍ୱ କମାଇ ମାଲାମାଲ୍। ହେଲେ ହାଇକୋର୍ଟଙ୍କ ନିଶା ନିବାରଣ ଆଦେଶକୁ ଭୁଲି ଯାଇଛନ୍ତି ସରକାର। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚିଠି ଖୋଲିଛି ଗୁମର। ଲୋକଙ୍କ ଭିତରେ ସଚେତନା ସୃଷ୍ଟି ସହ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ ୨୦୧୫ରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏ ବାବଦରେ ମଦ ନିଗମ ପ୍ରଥମ ବର୍ଷ ୨କୋଟି ଖର୍ଚ୍ଚ କରିଥିଲେ ବି ଗଲା ୩ ବର୍ଷ ହେଲା ଟଙ୍କାଟିଏ ବି ଖର୍ଚ୍ଚ କରିନି।

ନିର୍ବାଚନ ବେଳେ ଭଦ୍ରକ ତିହିଡିର ମଦମୃତ୍ୟୁ ବିଭୀଷିକା ଏବେ ବି ତାଜା ରହିଛି । ବିଷାକ୍ତ ମଦ ପିଇ ଏଠି ଚାଲିଯାଇଥିଲା ୧୨ ଅମୂଲ୍ୟ ଜୀବନ । ମଦ ପିଇ ବେପରୁଆ ଗାଡି ଚାଳନା ଓ ଦୁର୍ଘଟଣା ନିତିଦିନିଆ ଘଟଣା ହୋଇଗଲାଣି । ଏପରି ସ୍ଥିତିରେ ନିଶାନିବାରଣକୁ ଗୁରୁତ୍ୱ ଦେଇ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ମେଡିକାଲ କଲେଜରେ ନିଶା ନିବାରଣକେନ୍ଦ୍ର ଖୋଲିବା ପାଇଁ ୨୦୧୫ରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ହେଲେ କୋର୍ଟଙ୍କ ଏ ନିର୍ଦ୍ଦେଶକୁ ପାଳନ କରିନାହାଁନ୍ତି ସରକାର । ହାଇକୋର୍ଟଙ୍କ ଏ ନିର୍ଦ୍ଦେଶକୁ ମନେପକାଇ ଏବେ ଅବକାରୀ ସଚିବଙ୍କୁ ଚିଠି ଲେଖିଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତକରଣ ବିଭାଗ। ନିଶାନିବାରଣ ପାଇଁ ସଚେତନତା ସୃଷ୍ଟି କରିବାକୁ ଅବକାରୀ ବିଭାଗ ପ୍ରତିବର୍ଷ ୨ କୋଟି ଟଙ୍କା ଦେବାର ଥିଲେ ବି ୨୦୧୫ ପରଠାରୁ ଆଉ ଦେଉ ନାହିଁ ବୋଲି ଚିଠିରେ ଉଲ୍ଲେଖ ଅଛି । ତେଣୁ ସରକାରୀ ହସ୍ପିଟାଲରେ ନିଶା ନିବାରଣ କେନ୍ଦ୍ର ଖୋଲିବା ହେଉ କି ଲୋକଙ୍କୁ ସଚେତନ କରିବା ହେଉ ପୁରା ନିରବ ପଡିଯାଇଛି ସରକାରଙ୍କ ପଦକ୍ଷେପ।

ସେପଟେ ମଦରୁ ପ୍ରତିବର୍ଷ ରାଜସ୍ୱ ଆଦାୟ ବଢିଚାଲିଛି। ୨୦୧୭-୧୮ ବର୍ଷରେ ମଦରୁ ୩ ହଜାର ୨୨୧ କୋଟି ମିଳିଥିବା ବେଳେ ୧୮-୧୯ ବର୍ଷରେ ଏହା ୨୧ ପ୍ରତିଶତ ବଢି ୩ ହଜାର ୯୨୫ କୋଟି ହୋଇଥିଲା । ତେବେ ଏତେ ଟଙ୍କା ରାଜସ୍ୱ ମିଳିଥିଲେ ବି ସରକାର ନିଶାନିବାରଣ ପାଇଁ ଆନ୍ତରିକତା ଦେଖାଉନାହାଁନ୍ତି। ଏପଟେ ୨୦୧୫ରେ ନିଶାନିବାରଣ ପାଇଁ ୨ କୋଟି ଟଙ୍କା ଦେଇଥିବା ମଦ ନିଗମ ତାପରେ ନିଶାନିବାରଣ ପାଇଁ  କିନ୍ତୁ ଆଉ ମନ ଦେଉନି । ସେପଟେ ଅବକାରୀ ବିଭାଗ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁ ନଥିବା ଅଭିଯୋଗ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ତେବେ ମଦ ନିଗମ କହିଛି ସରକାରଙ୍କ ନିର୍ଦ୍ଦେଶ ମିଳିଲେ ନିଶାନିବାରଣ ପାଇଁ ଟଙ୍କା ଖର୍ଚ୍ଚ କରିବ।

Related story