ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ମଧ୍ୟରେ ରାଜ୍ୟ ସରକାର କୃଷି ଓ ଐତିହ୍ୟ କ୍ୟାବିନେଟ ବୈଠକ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ପ୍ରାୟ ୩ବର୍ଷ ପରେ କୃଷି କ୍ୟାବିନେଟ ଓ ୨ବର୍ଷ ପରେ ଐତିହ୍ୟ କ୍ୟାବିନେଟ ବୈଠକ ଆସନ୍ତାକାଲି ଅପରାହ୍ନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଅପରାହ୍ନ ୫ଟାରୁ ୫ଟା ୪୫ ମିନିଟ ମଧ୍ୟରେ ଐତିହ୍ୟ, କୃଷି ଓ ସାଧାରଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ହେବାକୁ ଥିବା ଏହି ବୈଠକରେ ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମ୍ମାନରେ ଏକ ଶୋକପ୍ରସ୍ତାବ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ୩ଟି କ୍ୟାବିନେଟ ବୈଠକ ପ୍ରଥମେ ସୋମବାର ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ବାତ୍ୟାଂଚଳ ପରିଦର୍ଶନ କରିବା ଯୋଗୁ ବୈଠକକୁ ମଙ୍ଗଳବାରକୁ ସ୍ଥଗିତ ରଖାଯାଇଥିଲା ।
ତେବେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀଙ୍କ ମୃତ୍ୟୁ ଯୋଗୁ ଏହାକୁ ପୁଣିଥରେ ବୁଧବାର ଅପରାହ୍ନକୁ ଘୁଂଚାଇ ଦିଆଯାଇଛି।
ଐତିହ୍ୟ କ୍ୟାବିନେଟ ବୈଠକ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବ। ୨୦୧୭ ଡିସେମ୍ବର ୨୬ତାରିଖରେ ପୁରୀଠାରେ କ୍ୟାବିନେଟ ବୈଠକ ବସି ରାଜ୍ୟର କଳା,ସଂସ୍କୃତି ଓ ଭାଷାର ସୁରକ୍ଷା ନିମନ୍ତେ ଏକ ସ୍ୱତନ୍ତ୍ର ‘ଐତିହ୍ୟ କ୍ୟାବିନେଟ’ ଗଠନ ନିମନ୍ତେ ନିଷ୍ପତ୍ତି ହୋଇଥିଲା। ୨୦୧୮ ଜୁଲାଇ ୧୩ରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ୭ଜଣ ମନ୍ତ୍ରୀଙ୍କୁ ନେଇ ଐତିହ୍ୟ କ୍ୟାବିନେଟ ଗଠନ ହେବାପରେ ସେହିବର୍ଷ ଜୁଲାଇ ୨୭ତାରିଖରେ ପ୍ରଥମ ଐତିହ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ସତ୍ୟବାଦୀରେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ପାଇଁ ଏହି ଐତିହ୍ୟ କ୍ୟାବିନେଟ ବୈଠକରେ ହିଁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ତା’ପରଠୁ ରାଜ୍ୟ ସରକାର ଏହି କ୍ୟାବିନେଟକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ଏବେ ଶ୍ରୀଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରରର ସୌନ୍ଦର୍ଯ୍ୟକରଣ ନିମନ୍ତେ ପାଇଁ ଭଙ୍ଗାଗଢ଼ା କାର୍ଯ୍ୟ ଚାଲିଥିବାବେଳେ ଲୋକଙ୍କ ଦୃଷ୍ଟି ଏଡ଼ାଇବାକୁ ଐତିହ୍ୟ କ୍ୟାବିନେଟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି।
ଆସନ୍ତାକାଲି ଅପରାହ୍ନ ୫ଟା ୪୫ମିନିଟରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଉଚ୍ଚଶିକ୍ଷା, ସାଧାରଣ ପ୍ରଶାସନ, ରାଜସ୍ୱ ଓ ବିପର୍ଯ୍ୟୟ, ଶିଳ୍ପ ଆଦି ବିଭାଗର ୭ଟି ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।